ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡ଼ଭାଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଫୁଲ ତୋଳୁଥିବା ଦୁଇ ମହିଳାଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଖଡ଼ଭାଗ ନିକଟରେ ରାସ୍ତାକଡ଼ରେ ଏକ କାର୍ ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍ଟି ପ୍ରଥମେ କାର୍କୁ ଧକ୍କା ଦେଇଥିଲା। ପରେ ଭାରସାମ୍ୟ ହରାଇ ଟ୍ରକ୍ଟି ରାସ୍ତାକଡ଼ରେ ଫୁଲ ତୋଳୁଥିବା ଦୁଇ ମହିଳାଙ୍କ ଉପରେ ଚଢ଼ିଯାଇଥିଲା।
ଦୁର୍ଘଟଣାରେ ଖଡ଼ଭାଗ ଗାଁର ଅହଲ୍ୟା ଗୌଡ଼ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଗୁରୁତର ଆହତ ଅନ୍ୟ ମହିଳାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ଆସିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାର ପ୍ରକୃତ କାରଣ ଓ ଟ୍ରକ୍ ଚାଳକଙ୍କ ସମ୍ପର୍କରେ ଛାନଭିନ୍ ଜାରି ରହିଛି।


