ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତଥା ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିରର ବିକାଶ କାର୍ଯ୍ୟକୁ ନେଇ ବିରୋଧୀ ଦଳର ଅନେକ ନେତା ସମାଲୋଚନା କରିଛନ୍ତି। ମନ୍ଦିର କାର୍ଯ୍ୟରେ ସରକାରଙ୍କ ତତ୍ପରତା ନଥିବା ବିରୋଧୀ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଅଭିଯୋଗକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଖଣ୍ଡନ କରିଛନ୍ତି।
ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ କହିଛନ୍ତି ଯେ, ମନ୍ଦିର କାର୍ଯ୍ୟ କ୍ଷିପ୍ରଗତିରେ ଜାରି ରହିଥିବା ବେଳେ କିଛି କୁଚକ୍ରୀ ଏହାର ଅପପ୍ରଚାର କରୁଛନ୍ତି। ପୂର୍ବ ବିଜେଡି ସରକାର ସମୟରେ ମନ୍ଦିର ଉନ୍ନୟନ କାର୍ଯ୍ୟ ଆଳରେ ଠିକ ସାଧାରଣ ନିର୍ବାଚନ ପୂର୍ବରୁ କେବଳ ଅର୍ଥ ଘୋଷଣା କରାଯାଇଥିବା ବେଳେ ସରକାରୀ ସ୍ତରରେ ଏହାର ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ହୋଇନଥିଲା। ୨୪ ବର୍ଷର ମିଛକୁହା ସରକାର କେବଳ ମିଛ କଥା କହି ବାଣପୁରବାସୀଙ୍କୁ ପ୍ରତାରିତ କରିବା ଜାଣିଥିଲେ। ବ୍ଲକ ଠୁ ତହସିଲ ପର୍ଯ୍ୟନ୍ତ ସମସ୍ତ କାମରେ ପିସି କଲେକ୍ସନ ନକଲେ କାମ ଆଗକୁ ବଢୁନଥିଲା। ବର୍ତ୍ତମାନ ନୂତନ ଭାଜପା ସରକାର ଅମଳରେ ଏକ ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥା ଚାଲିଛି। ସେଥିପାଇଁ କିଛି ବ୍ୟକ୍ତି ଏହାକୁ ହଜମ କରିପାରୁନାହାନ୍ତି। ଏପରିକି ମା’ ଭଗବତୀଙ୍କ ଉନ୍ନୟନ ପ୍ରକଳ୍ପ ବାବଦରେ କିଛି ଗଣମାଧ୍ୟମରେ ଭ୍ରମିତ ଖବର ଦେଖିବାକୁ ମିଳୁଛି।
ଶ୍ରୀ ରଣସିଂହ ଆହୁରି କହିଛନ୍ତି ଯେ, “ଯେତେବେଳେ ଗତ ସରକାର ବାଣପୁର ମା’ ଭଗବତୀ ଙ୍କ ପୀଠର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ସେତେବେଳେ ଉକ୍ତ ପ୍ରକଳ୍ପ ପାଇଁ ଆର୍ଥିକ, ପ୍ରଶାସନିକ ଅନୁମୋଦନ ହୋଇନଥିଲା କି ଜମି ଅଧିଗ୍ରହଣ ମଧ୍ୟ ହୋଇନଥିଲା। କେବଳ ନିର୍ବାଚନ ଫାଇଦା ପାଇଁ ପୂର୍ବ ବିଜେଡି ସରକାର ଏହାକୁ ଧୂଆଁବାଣ ରୂପେ ବ୍ୟବହାର କରିଥିଲା। ନୂତନ ସରକାର ଆସିବାପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତୁରନ୍ତ ଉକ୍ତ ପ୍ରକଳ୍ପ ପାଇଁ ଆର୍ଥିକ ଏବଂ ପ୍ରଶାସନିକ ଅନୁମୋଦନ କରାଇ, ଭୂମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଇଥିଲେ। ଏଥିରେ ପୂର୍ଵ ସରକାରଙ୍କ ଶ୍ରେୟ ନେବାର କୌଣସି ତାତ୍ପର୍ଯ୍ୟ ନାହିଁ, ଏପରିକି ନୂତନ ସରକାର ଆସିବାପରେ ମଧ୍ୟ ପୁରୁଣା ଭିତ୍ତିପ୍ରସ୍ତର ଯାହାର କୌଣସି ପ୍ରଶାସନିକ ଅନୁମୋଦନ ନଥିଲା ତାହା ମଧ୍ୟ ସୌଜନ୍ୟତା ଦୃଷ୍ଟିରୁ ମନ୍ତ୍ରୀ ମହୋଦୟ ହଟାଇନାହାନ୍ତି।
ସେ କହିଛନ୍ତି ଯେ, “ଭୂମି ଅଧିଗ୍ରହଣ ପାଇଁ ବହୁ ସମସ୍ୟା ଉପୁଜୁଥିବାରୁ ଏହା ମଧ୍ୟରେ ମନ୍ତ୍ରି ଶ୍ରୀ ହରିଚନ୍ଦନ ନିଜେ ଉକ୍ତ ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ଇତି ମଧ୍ୟରେ ଅନୁନ୍ୟ ଦଶ ଥର ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ବ୍ୟକ୍ତିବିଶେଷ, ପ୍ରଶାସନିକ ଅଧିକାରୀ ଏବଂ ବୈଷୟିକ ବିଭାଗର ଯନ୍ତ୍ରୀଙ୍କ ସହ ବୈଠକ କରିବା ସହ ଏହାର ସମୀକ୍ଷା କରିଛନ୍ତି, ଯାହାଫଳରେ ଉନ୍ନୟନ କାର୍ଯ୍ୟ କ୍ଷିପ୍ରଗତିରେ ଜାରିରହିଛି। ସେହିପରିଭାବେ ମା’ ଭଗବତୀ ମନ୍ଦିର ଭିତର ଉନ୍ନୟନ କାର୍ଯ୍ୟ ଦଶହରା ପୂଜା ପୂର୍ବରୁ ଶେଷ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିଭାଗ ଏହାକୁ ଜାରି ରଖିଛି।
ଅନୁରୂପ ଭାବେ ମା’ ଭଗବତୀ ମନ୍ଦିର ବାହ୍ୟ ସୌନ୍ଦର୍ଯ୍ୟକରଣ, ପାର୍କିଂ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ବହୁପରିମାଣରେ ଶେଷ ହୋଇଥିବାବେଳେ ଅବଶିଷ୍ଟ କାର୍ଯ୍ୟକୁ ଯଥାଶୀଘ୍ର ସାରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭୂମି ଅଧିଗ୍ରହଣ ଏକ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ବାଣପୁର ତହସିଲଦାର ମିଳିତ ଭାବେ ଏହାକୁ ଶେଷ କରିବାପାଇଁ ଉଦ୍ୟତରତ ଅଛନ୍ତି ଏବଂ ଏହା ଶେଷ ପର୍ଯ୍ୟାୟରେ ପହଁଚିଛି। ତେଣୁ ଯେଉଁ ମୁଷ୍ଟିମୟ ବ୍ୟକ୍ତିବିଶେଷ ଏହାକୁ ସମାଲୋଚନା କରୁଛନ୍ତି ସେମାନେ ସତ୍ୟ ଜାଣିକରି ମଧ୍ୟ ମିଛ ଅଭିନୟ କରୁଥିବା ବ୍ଲକ ଅଧ୍ୟକ୍ଷ କହିଛନ୍ତି।
ଚଳିତ ବର୍ଷ ଶେଷସୁଧା ମା’ ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ସଂପୂର୍ଣ୍ଣ ହେବାନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କୁ କଣ୍ଟ ଦେଇଥିବା ଜଣାପଡିଛି। ତେବେ ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଉଛି କୌଣସି ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ବିନା ପୂର୍ବ ବିଜେଡି ସରକାର ମନ୍ଦିର ଉନ୍ନୟନ ପାଇଁ ୩୩ କୋଟି ଟଙ୍କା ଘୋଷଣା କରିଥିବା ବେଳେ ଏହା କେବଳ ଏକ ନିର୍ବାଚନୀ ଧୂଆଁବାଣ ଥିଲା। ନିର୍ବାଚନୀ ଭୋଟ ବ୍ୟାଙ୍କ ପାଇଁ ଏହା ଘୋଷଣା ହୋଇଥିବା ବେଳେ ଭିତ୍ତିପ୍ରସ୍ତର ସ୍ଥାପନରେ ଉନ୍ନୟନ କାର୍ଯ୍ୟ ସୀମିତ ଥିଲା। ନୂତନ ବିଧାୟକ ଶ୍ରୀ ହରିଚନ୍ଦନ ନିର୍ବାଚିତ ହେବାପରେ ୨୦୨୪ ମସିହା ଅକ୍ଟୋବର ମାସରେ ୩୨ କୋଟି ଟଙ୍କାର ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ କରାଇଥିଲେ ଏବଂ ପରବର୍ତ୍ତୀ ସମୟରେ ୨୦୨୫ ମସିହାରେ ଆବଶ୍ୟକତା ଦୃଷ୍ଟିକୁ ଦେଖି ଆଉ ୧୦.୧୬ କୋଟି ଟଙ୍କା ବଢ଼ାଇ ଅର୍ଥାତ ସମୁଦାୟ ୪୨.୧୬ କୋଟି ଟଙ୍କାର ଅଟକଳ ଅନୁମୋଦନ ହୋଇଛି।
ଜନସାଧାରଣମାନେ ପୂର୍ଵ ସରକାରର ଷଡଯନ୍ତ୍ରକୁ ହୃଦୟଙ୍ଗମ କରିବା ସହ ପୁରୁଣା ଫଳକ ଉଚ୍ଛେଦ ପାଇଁ ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ସୁଦ୍ଧା, ମନ୍ତ୍ରୀ ସୌଜନ୍ୟତା ଦୃଷ୍ଟିରୁ ତାହାକୁ ଆଗ୍ରାହ୍ୟ କରିଦେଇଥିଲେ। ତେଣୁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଏବଂ ଅପପ୍ରଚାର କରୁଥିବା କିଛି କୁଚକ୍ରୀଙ୍କୁ ଏଥିରୁ ନିବୃତ ରହିବା ସହ ଉନ୍ନୟନ କାର୍ଯ୍ୟରେ ସରକାର ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ଅନୁରୋଧ କରିଛନ୍ତି।


