ଜାକର୍ତ୍ତା: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଆଜି ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିପୋର୍ଟ ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୩୭୬ କିଲୋମିଟର ଗଭୀରତାରେ ଥିବାରୁ ଏହାକୁ ‘ଡିପ୍-ଫୋକସ୍’ ଭୂକମ୍ପ ଭାବେ ଚିହ୍ନଟ କରାଯାଇଛି। ଅତ୍ୟଧିକ ଗଭୀରତାରେ ଭୂକମ୍ପ ସୃଷ୍ଟି ହୋଇଥିବାରୁ ତୁରନ୍ତ କୌଣସି ଜୀବନହାନି କିମ୍ବା ବଡ଼ଧରଣର ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ କ୍ରମାଗତ ନଜର ରଖିଛି।
ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଶୁକ୍ରବାର ଇଣ୍ଡୋନେସିଆର ମାଲୁକୁ ଦ୍ୱୀପ ନିକଟବର୍ତ୍ତୀ ବାଣ୍ଡା ସାଗରରେ ମଧ୍ୟ ୬.୨ ତୀବ୍ରତାର ଅନ୍ୟ ଏକ ଭୂକମ୍ପ ଘଟିଥିଲା। ଏହା ଭୂପୃଷ୍ଠରୁ ୧୪୩ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ତେବେ ଏହି ଭୂକମ୍ପ ଯୋଗୁଁ କୌଣସି ସୁନାମି ଆଶଙ୍କା ନଥିବା ସମ୍ପୃକ୍ତ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯିବା ସହ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।


