ଭାଙ୍ଗିଲା ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟ, କେବଳ ସଭାପତି ଏବଂ ଦୁଇ କାର୍ଯ୍ୟକାରୀ ସଭାପତି ରହିବେ,ହେଲେ ବେଶୀ ଦିନ ନୁହେଁ

Published: Aug 26, 2019, 9:18 pm IST

ସମୀକ୍ଷା ବ୍ୟୁରୋ

ଆଜି ଏଆଇସିସି ତରଫରୁ ଏକ ବଡ ନିଷ୍ପତି ନିଆଯାଇଛି। ନୂଆଦିଲ୍ଲୀରେ ବସିଥିବା ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟକୁ ଭାଙ୍ଗି ଦିଆଯାଇଛି। ଏପରିକି ନିର୍ବାଚନ ପୂର୍ବରୁ ହୋଇଥିବା କେତେକ କମିଟକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ବର୍ତ୍ତମାନ କଂଗ୍ରେସରେ କେବଳ ସଭାପତି ନିରଂଜନ ପଟ୍ଟନାୟକଙ୍କ ସହିତ ଦୁଇ କାର୍ଯ୍ୟକାରୀ ସଭାପତି ରହିବେ। ଏହି ଦୁଇ ଜଣ ହେଲେ ଚିରଞ୍ଜୀବି ବିଶ୍ବାଳ ଏବଂ ପ୍ରଦୀପ ମାଝି।ଏ ନେଇ ଏଆଇସିସି ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଯାଇଛି। ତେବେ ସଭାପତି ଏବଂ ଦୁଇ କାର୍ଯ୍ୟକାରୀ ସଭାପତିଙ୍କ ଭାଗ୍ୟ ମଧ୍ୟ ବେଶୀ ଦିନ ନୁହେଁ ବୋଲି ଜଣାପଡିଛି। କାରଣ ଗତ 22 ତାରିଖରେ ନୂଆଦିଲ୍ଲୀରେ ଓଡିଶାର ସମସ୍ତ କଂଗ୍ରେସ ପ୍ରତିନିଧୀଙ୍କୁ ଡାକି ଏକ ବୈଠକ କରାଯାଇଥିଲା। ସେହି ବୈଠକରେ ପିସିସି ସଭାପତିଙ୍କୁ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ଅନେକ ଦାବୀ କରିଥିଲେ। ପିସିସି ସଭାପତି ପଦରୁ ନିରଂଜନ ପଟ୍ଟନାୟକ ଇସ୍ତଫା ଦେଇଥିବାରୁ ତାହାକୁ ଗ୍ରହଣ କରାଯାଉ ବୋଲି ଦାବୀ କରାଯାଇଥିଲା। ତେବେ ତାଙ୍କର ଇସ୍ତଫାକୁ ବର୍ତ୍ତମାନ ପାଇଁ ଏଆଇସିସି ଗ୍ରହଣ କରି ନାହିଁ। ହେଲେ ଦଳର ସମସ୍ତ କମିଟ ଗଠନ ପରେ ହୁଏତ ସଭାପତିଙ୍କ ଇସ୍ତଫାକୁ ଗ୍ରହଣ କରିନିଆଯିବ ବୋଲି ଜଣାପଡିଛି। ଗତ ନିର୍ବାଚନରେ ନିରଂଜନ, ସଭାପତି ଭାବେ ଯେପରି ଦକ୍ଷତା ଦେଖାଇବା କଥା ତାହା କରିପାରିଲେ ନାହିଁ। ଏପରିକି ନିଜେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ହାରିବା ସହିତ ପୁଅ ମଧ୍ୟ ହାରିଯାଇଥିଲେ। ଏହାକୁ ନେଇ କଂଗ୍ରେସ ଦଳ ଭିତରେ ଅସନ୍ତୋଷ ରହିଥିବାରୁ ତାଙ୍କ ବଦଳରେ ଆଉ କାହାକୁ ଦାୟିତ୍ବ ଦିଆଯାଉ ବୋଲି ଦାବୀ ହୋଇଛି।

Related posts