କଟକ: ପାର୍ବଣ ଋତୁ ପୂର୍ବରୁ କଟକ ସହରରେ ଅପମିଶ୍ରିତ ଫଳ ବିକ୍ରି ରୋକିବା ପାଇଁ କଟକ ମହାନଗର ନିଗମ (ସିଏମ୍ସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସହରର ବିଭିନ୍ନ ଫଳ ଦୋକାନଗୁଡ଼ିକରେ ଖାଦ୍ୟ ସୁରକ୍ଷା ଟିମ୍ ପକ୍ଷରୁ ଚଢ଼ାଉ ବ୍ୟାପକ କରାଯିବ ବୋଲି ସିଏମ୍ସି ହେଲଥ ଅଫିସର ସୂଚନା ଦେଇଛନ୍ତି। ଗତକାଲି ବକ୍ସି ବଜାର ଅଞ୍ଚଳର କେତେକ ଫଳ ଦୋକାନରେ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିବା ବେଳେ ଆଜି ମଧ୍ୟ ସହରର ଅନ୍ୟାନ୍ୟ ପ୍ରମୁଖ ଫଳ ବଜାରରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ପାର୍ବଣ ସମୟରେ ଅସାଧୁ ବ୍ୟବସାୟୀମାନେ ଯେପରି ଅପମିଶ୍ରିତ କିମ୍ବା ରସାୟନ ବିଯୁକ୍ତ ଫଳ ବିକ୍ରି ନକରନ୍ତି, ସେଥିପାଇଁ ନିଗମ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି। ଆଗାମୀ ଦିନରେ ମଧ୍ୟ ଏହି ଯାଞ୍ଚ କାର୍ଯ୍ୟକ୍ରମ ବଳବତ୍ତର ରହିବ। ଅପମିଶ୍ରିତ ଫଳ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ସହ ଆମ ଜନସାଧାରଣଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ଫଳ ଯୋଗାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ହେଲଥ୍ ଅଫିସର ପ୍ରକାଶ କରିଛନ୍ତି।


