ନୂଆଦିଲ୍ଲୀ: ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୨୧ଟି ବିଜେପି ତଥା ଏନଡିଏ ଶାସିତ ରାଜ୍ୟରେ ‘ସମାନ ନାଗରିକ ସଂହିତା’ (UCC) ଲାଗୁ କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁମ୍ବାଇଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ଘୋଷଣା କରିଛନ୍ତି।
ଗୃହମନ୍ତ୍ରୀ କହିଛନ୍ତି ଯେ, ବିଜେପି ଦେଶରେ ସମାନ ଆଇନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରତିଶ୍ରୁତିବଦ୍ଧ। ଉତ୍ତରାଖଣ୍ଡ ସରକାର ସଫଳତାର ସହ ୟୁସିସି ଆଇନ ପାରିତ କରି ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ଅନ୍ୟ ଏନଡିଏ ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଏହି ଦିଗରେ ଦ୍ରୁତ ଗତିରେ କାମ କରୁଛନ୍ତି। ୨୦୨୯ ସୁଦ୍ଧା ସମସ୍ତ ୨୧ଟି ରାଜ୍ୟରେ ଏହି ସମ୍ପର୍କିତ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ।
ଏହି ଆଇନ ବଳରେ ବିବାହ, ବିବାହ ବିଚ୍ଛେଦ (ଛାଡ଼ପତ୍ର), ସମ୍ପତ୍ତି ଅଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବିଷୟଗୁଡ଼ିକରେ ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ନିୟମ ରହିବ। ଏହାସହ ସମାଜରେ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ବୃଦ୍ଧି ପାଇବ। ବିରୋଧୀଙ୍କ ସମାଲୋଚନା ଉପରେ କଡ଼ା ପ୍ରତିକ୍ରିୟା ରଖି ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ୟୁସିସି କୌଣସି ଧର୍ମ ବା ସମ୍ପ୍ରଦାୟ ବିରୋଧୀ ନୁହେଁ। ବରଂ ଏହା ଦେଶର ସମସ୍ତ ନାଗରିକଙ୍କୁ ସମାନ ସାମ୍ବିଧାନିକ ଅଧିକାର ପ୍ରଦାନ କରିବ।


