ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ପୁନର୍ବାର ଆହତ ହୋଇ ଚଳିତ ଆଫଗାନିସ୍ତାନ ଟି-୨୦ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କର ‘ସାଇଡ୍ ଷ୍ଟ୍ରେନ୍’ ଜନିତ ସମସ୍ୟା ଦେଖାଦେଇଛି। ରିପୋର୍ଟ ଅନୁସାରେ, ଏମ୍ଆର୍ଆଇ ସ୍କାନ୍ରୁ ଏହି ନୂଆ ଆଘାତ ସମ୍ପର୍କରେ ଜଣାପଡ଼ିବା ପରେ ଆଗାମୀ ଏସିଆନ୍ ଗେମ୍ସରେ ତାଙ୍କର ଅଂଶଗ୍ରହଣ ନେଇ ମଧ୍ୟ ଅନିଶ୍ଚିତତା ସୃଷ୍ଟି ହୋଇଛି। ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ରେ ବରୁଣ ପ୍ରତ୍ୟାବର୍ତ୍ତନ କରି ୪ ଓଭରରେ ୧୬ ରନ୍ ଦେଇ ୧ଟି ୱିକେଟ୍ ଅଖତିୟାର କରିଥିଲେ। ଏହି ମ୍ୟାଚ୍କୁ ଭାରତ ୭ ୱିକେଟ୍ରେ ଜିତି ନେଇଥିଲା। ତେବେ ତାଙ୍କ ବଦଳ ଖେଳାଳି ଭାବେ କୌଣସି ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।
ଗତ ଜୁଲାଇରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ସମୟରେ ବରୁଣଙ୍କ ବାମ ହାମ୍ଷ୍ଟ୍ରିଙ୍ଗ୍ରେ ଗ୍ରେଡ୍-୨ ଆଘାତ ଲାଗିଥିଲା, ଯାହା ଫଳରେ ସେ ଜିମ୍ବାୱେ ସିରିଜ୍ରୁ ବାଦ୍ ପଡ଼ିବା ସହ ପ୍ରାୟ ୨ ମାସ ଧରି କ୍ରିକେଟ୍ରୁ ଦୂରରେ ଥିଲେ।ବେଙ୍ଗାଲୁରୁସ୍ଥିତ ବିସିସିଆଇର ‘ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ’ ରେ ଦୀର୍ଘ ଦିନର ରିହାବ୍ ଶେଷ କରି ସେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବା ପରେ ପୁଣି ଆହତ ହୋଇଛନ୍ତି। ଏହା ସିଓଇର ଫିଟ୍ନେସ୍ ଏବଂ ରିହାବିଲିଟେସନ୍ ପ୍ରକ୍ରିୟା ଉପରେ ପୁନର୍ବାର ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


