ପୁରୀ: ଶ୍ରୀକ୍ଷେତ୍ରରେ ଅସାଧୁ ଖଜା ବ୍ୟବସାୟୀଙ୍କ ବିରୋଧରେ ପୁରୀ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭକ୍ତମାନଙ୍କୁ ନିମ୍ନମାନର, ଭେଜାଲ ଓ ଚଢ଼ା ଦରରେ ଖଜା ବିକ୍ରି ହେଉଥିବା ଅଭିଯୋଗ ପରେ ଆଜି ସକାଳେ ବିଭିନ୍ନ ଖଜା ପ୍ରସ୍ତୁତି କେନ୍ଦ୍ର ଓ ଗୋଦାମ ଉପରେ ହଠାତ ଚଢ଼ାଉ କରାଯାଇଛି। ନଗର ଡିଏସପି ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଏହି ଚଢ଼ାଉ କରିଛି। ଏଥିରେ ଟାଉନ୍ ପୋଲିସ ସହ ଖାଦ୍ୟ ନିରାପତ୍ତା ଏବଂ ଆଇନଗତ ମାପଚୁପ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ଥିଲେ। ସହରର ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ ଏବଂ ସ୍ୱର୍ଗଦ୍ୱାର ଅଞ୍ଚଳରେ ଥିବା କାରଖାନାଗୁଡ଼ିକରେ ଏହି ଯାଞ୍ଚ କରାଯାଇଥିଲା।
ଯାଞ୍ଚ ସମୟରେ ବିଶେଷ କରି ଖଜା ପ୍ରସ୍ତୁତି ସାମଗ୍ରୀର ଶୁଦ୍ଧତା, ରୋଷେଇ ଘରର ପରିମଳ, ଏଫଏସଏସ୍ଏଆଇ ଲାଇସେନ୍ସ, ଓଜନ ଯନ୍ତ୍ରର ସଠିକତା ଏବଂ ପ୍ୟାକେଜିଂ ମାନଦଣ୍ଡ ଉପରେ କଡ଼ା ନଜର ରଖାଯାଇଛି। ଭେଜାଲ ସାମଗ୍ରୀ ମିଳିଲେ ତାହା ଜବତ କରାଯିବା ସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଖାଦ୍ୟ ନିରାପତ୍ତା ଓ ଖାଉଟି ସୁରକ୍ଷା ଆଇନ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଏଥି ସହିତ କିଛି କିଛି ସ୍ଥାନରେ ନିମ୍ନମାନର ଖଜା ଗୁଡ଼ିକୁ ନଷ୍ଟ ମଧ୍ୟ କରିଦିଆଯାଇଛି।


