ଗଜପତି: ଗଜପତି ଜିଲ୍ଲାର ବହୁଚର୍ଚ୍ଚିତ ଡବଲ ମର୍ଡର ମାମଲାରେ କୋର୍ଟଙ୍କ ବଡ଼ ରାୟ। ୧୨ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହର ପ୍ରସାଦ ପଟ୍ଟନାୟକ। ଦଣ୍ଡାଦେଶ ସହ ପ୍ରତ୍ୟେକ ଦୋଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଜୋରିମାନା ଅନାଦେୟ ସ୍ଥଳେ ଅଭିଯୁକ୍ତଙ୍କୁ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସରକାରୀ ଓକିଲ ରାଜେଶ ମିଶ୍ର ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ୨୦୨୧ ମସିହା ଜୁନ୍ ୧୨ ତାରିଖ ସନ୍ଧ୍ୟାରେ ଅଡ଼ବା ଥାନା ଅନ୍ତର୍ଗତ ମୁଠାଗୁଡା ଗାଁର ଲୁକା ଦଳବେହେରାଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଗାଁ ଲୋକେ ଆକ୍ରମଣ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ତାଙ୍କ ପୁଅ ଅନୁଖ ଦଳବେହେରାଙ୍କୁ ମଧ୍ୟ ବେଧଡ଼କ ଆକ୍ରମଣ କରାଯାଇଥିଲା। ପ୍ରଥମେ ବାପ-ପୁଅ ମରିଯାଇଛନ୍ତି ଭାବି ଆକ୍ରମଣକାରୀମାନେ ଛାଡ଼ି ଚାଲିଯାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉଭୟ ବଞ୍ଚିଥିବା ଜାଣିବା ପରେ ସେମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଥିଲା। ଏହି ନୃଶଂସ କାଣ୍ଡ ନେଇ ଅଡ଼ବା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଜସୁଆ ଗମାଙ୍ଗଙ୍କ ସମେତ ୧୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସାକ୍ଷ୍ୟ ଓ ପ୍ରମାଣ ଆଧାରରେ କୋର୍ଟ ଆଜି ଏହି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି।


