ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ନାମ ଓ ନିର୍ବାଚନ ଚିହ୍ନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିର୍ବାଚନ କମିଶନ ବଡ଼ ଅନ୍ତରୀଣ ନିଷ୍ପତ୍ତି ନେଇଛନ୍ତି। ମମତା ବାନାର୍ଜୀ ଓ ରୀତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଦୁଇ ଗୋଷ୍ଠୀ ଆସନ୍ତା ଉପନିର୍ବାଚନରେ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ ଦଳର ‘ଘାସଫୁଲ’ ଚିହ୍ନ ବ୍ୟବହାର କରିପାରିବେ ନାହିଁ। ଅନ୍ତିମ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଏହି ନାମ ଓ ଚିହ୍ନକୁ ଫ୍ରିଜ୍ କରାଯାଇଛି।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ମମତା ବାନାର୍ଜୀ ଓ ରୀତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀକୁ ନୂଆ ନାମ ଓ ନୂଆ ନିର୍ବାଚନୀ ଚିହ୍ନ ପାଇଁ ତିନୋଟି ଲେଖାଏଁ ବିକଳ୍ପ ଦେବାକୁ କୁହାଯାଇଛି। ଉଭୟ ଗୋଷ୍ଠୀ ଶୁକ୍ରବାର ସକାଳ ୧୧ଟା ସୁଦ୍ଧା ନିଜ ପସନ୍ଦର ବିକଳ୍ପ ଦାଖଲ କରିବେ। ଉପଲବ୍ଧ ବିକଳ୍ପ ମଧ୍ୟରୁ କମିଶନ ଚିହ୍ନ ଓ ନାମ ଅନୁମୋଦନ କରିବେ।
ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗରରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ଦୁଇ ଆସନକୁ ନେଇ ଉଭୟ ଗୋଷ୍ଠୀ ନିଜ ନିଜ ପ୍ରାର୍ଥୀ ଦେଇଥିବାରୁ ଦଳର ନାମ ଓ ଚିହ୍ନ ଉପରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଗୁରୁତ୍ୱ ବହନ କରୁଛି।
ଏହି ଅନ୍ତରୀଣ ବ୍ୟବସ୍ଥାର ଉଦ୍ଦେଶ୍ୟ ଦୁଇ ପକ୍ଷକୁ ସମାନ ସ୍ଥିତିରେ ରଖିବା ଏବଂ ଉପନିର୍ବାଚନ ପ୍ରକ୍ରିୟାରେ ଦ୍ୱନ୍ଦ୍ୱ ଏଡ଼ାଇବା ବୋଲି କମିଶନଙ୍କ ଆଦେଶରେ ଉଲ୍ଲେଖ ରହିଛି।
ଗୁରୁବାର, ସେପ୍ଟେମ୍ବର ୧୭ରେ ନିର୍ବାଚନ କମିଶନ ଦୁଇ ଗୋଷ୍ଠୀର ପୃଥକ ଶୁଣାଣି କରିଥିଲେ। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ଡେରେକ୍ ଓ’ବ୍ରାଏନ୍, କଲ୍ୟାଣ ବାନାର୍ଜୀ, ମହୁଆ ମୋଇତ୍ରା ଓ ସାଗରିକା ଘୋଷଙ୍କ ସମେତ ପ୍ରତିନିଧିମାନେ କମିଶନଙ୍କ ସମ୍ମୁଖରେ ପକ୍ଷ ରଖିଥିଲେ।
ମମତା ଗୋଷ୍ଠୀ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବାର ଆବଶ୍ୟକତା ନଥିବା ଯୁକ୍ତି ରଖିଥିଲେ। କଲ୍ୟାଣ ବାନାର୍ଜୀ ମଧ୍ୟ ଶୁଣାଣି ପରେ କହିଥିଲେ ଯେ ସେମାନେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଜାରି ନକରିବାକୁ କମିଶନଙ୍କୁ କହିଥିଲେ।
ରୀତାବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ମଧ୍ୟ କମିଶନଙ୍କ ସମ୍ମୁଖରେ ନିଜ ପକ୍ଷ ରଖିଥିଲା। ରୀତାବ୍ରତଙ୍କ ସହ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ଆକ୍ରୂଲ ଜମାନ, ଅରୂପ ରାୟଙ୍କ ସମେତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶୁଣାଣି ପରେ ରୀତାବ୍ରତ କହିଥିଲେ ଯେ ସେମାନେ ନିଜ ପକ୍ଷ ରଖିବା ସହ କମିଶନ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି।
ଉପନିର୍ବାଚନ ନିକଟତର ହୋଇଥିବାରୁ ନାମ ଓ ନିର୍ବାଚନ ଚିହ୍ନ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ଏହି ଗୋଷ୍ଠୀ ଗୁରୁତ୍ୱ ଦେଇଥିଲା।
ନିର୍ବାଚନ କମିଶନଙ୍କ ଅନ୍ତରୀଣ ଆଦେଶ ଅନୁସାରେ ଏବେ ଦୁଇ ଗୋଷ୍ଠୀକୁ ଅଲଗା ନାମ ଓ ଅଲଗା ନିର୍ବାଚନ ଚିହ୍ନରେ ଉପନିର୍ବାଚନ ଲଢ଼ିବାକୁ ପଡ଼ିବ। ଉଭୟ ପକ୍ଷ ନିଜ ପସନ୍ଦର ତିନୋଟି ନାମ ଓ ଚିହ୍ନ ଦେବେ। କମିଶନଙ୍କ ଅନୁମୋଦନ ପରେ ସେହି ପରିଚୟରେ ଉପନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିବ।
ତେବେ ଏହା ଏକ ଅନ୍ତରୀଣ ବ୍ୟବସ୍ଥା। ଦଳର ନାମ, ଚିହ୍ନ ଓ ସଂଗଠନ ନିୟନ୍ତ୍ରଣକୁ ନେଇ ଦୁଇ ପକ୍ଷର ଦାବି ଉପରେ ଅନ୍ତିମ ନିଷ୍ପତ୍ତି ଆସିବା ବାକି ରହିଛି।


