କାେଲକାତା: ପୋଲିସକୁ ଦୀର୍ଘ ଦିନରୁ ଚକମା ଦେଇ ଆସୁଥିବା ତଥା ଓଡ଼ିଶା ଏବଂ ଝାଡ଼ଖଣ୍ଡର ଅନ୍ୟତମ ଟପ୍ କ୍ୟାଡର ମାଓବାଦୀ ଅସୀମ ମଣ୍ଡଳ ଓରଫ୍ ଆକାଶ ଶେଷରେ ପୋଲିସ ଜାଲରେ ଛନ୍ଦି ହୋଇଛନ୍ତି। ପୂର୍ବ ମେଦିନୀପୁର ଜିଲ୍ଲାର ପୋତାଶପୁର ଅଞ୍ଚଳରୁ ସୀମାନ୍ତ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ବହୁ ବଡ଼ ବଡ଼ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିବା ଅସୀମଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମୋଟ ୨ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏଥିମଧ୍ୟରୁ ଝାଡ଼ଖଣ୍ଡ ସରକାର ୧ କୋଟି ଟଙ୍କା ଏବଂ ଓଡ଼ିଶା ସରକାର ୧ କୋଟି ୨୦ ଲକ୍ଷ ଟଙ୍କାର ଇନାମ୍ ରଖିଥିଲେ। ପଶ୍ଚିମ ମେଦିନୀପୁରର ଫୁଲଚକର ବାସିନ୍ଦା ଅସୀମ ୧୯୮୦ ଦଶକରେ ଛାତ୍ର ଜୀବନରୁ ଅତି-ବାମପନ୍ଥୀ କାର୍ଯ୍ୟକଳାପ ପ୍ରତି ଆକୃଷ୍ଟ ହୋଇଥିଲେ। ୨୦୦୪ରେ ମାଓବାଦୀ ସଂଗଠନ ଗଠନ ହେବା ପରେ ସେ ଜଙ୍ଗଲମହଲ ଅଞ୍ଚଳରେ ସକ୍ରିୟ ହୋଇଥିଲେ। ଐତିହାସିକ ଲାଲଗଡ଼ ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାପରେ ୨୦୧୦ରେ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟ କମିଟିର ସମ୍ପାଦକ କରାଯାଇଥିଲା। ତାଙ୍କ ସ୍ତ୍ରୀ ମଧ୍ୟ ନକ୍ସଲ ସଂଗଠନର ଜଣେ ସକ୍ରିୟ କର୍ମୀ ଥିଲେ, ଯାହାଙ୍କୁ ୨୦୧୦ରେ କୋଲକାତା ପୋଲିସ ଗିରଫ କରିଥିଲା। ଶାରୀରିକ ଅସୁସ୍ଥତା କାରଣରୁ ଅସୀମ ନିଜ ଘର ପଶ୍ଚିମବଙ୍ଗ ଆଡ଼କୁ ମୁହାଁଉଥିବା ବେଳେ ତାଙ୍କ ଗତିବିଧିକୁ ଟ୍ରାକ୍ କରି ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି। ଅସୀମଙ୍କ ଗିରଫଦାରୀ ପରେ ଝାଡ଼ଖଣ୍ଡରେ ନକ୍ସଲ ଶକ୍ତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଚର୍ଚ୍ଚା ହେଉଛି।


