ପୁରୀ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଖୁବଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ଯାଉଛି। ସମ୍ଭବତଃ ଆସନ୍ତା ଅକ୍ଟୋବର ମାସରୁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଆଡ଼ପ ମଣ୍ଡପ ଦର୍ଶନ କରିପାରିବେ। ଏଥିପାଇଁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି। ମନ୍ଦିର ପ୍ରବେଶ ପାଇଁ ମାତ୍ର ୧୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଏଥି ସହିତ ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଛୋଟ ଶିଶୁଙ୍କ ପାଇଁ କୌଣସି ପ୍ରବେଶ ଶୁଳ୍କ ଲାଗିବ ନାହିଁ। ଭକ୍ତମାନେ ବର୍ତ୍ତମାନ କେବଳ ଆଡ଼ପ ମଣ୍ଡପ ଦର୍ଶନ କରିପାରିବେ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ଥାନ ବୁଲିବା ପାଇଁ ଅନୁମତି ଦିଆଯିବ। ସେବା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଟିକେଟ କାଉଣ୍ଟର, ଜୋତା ଷ୍ଟାଣ୍ଡ ଓ ମୋବାଇଲ୍ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଉଛି। ଜୋତା ଏବଂ ମୋବାଇଲ୍ ଷ୍ଟାଣ୍ଡ ସମ୍ପୂର୍ଣ୍ଣ ନିଃଶୁଳ୍କ ରହିବ। ଏହାସହ ସମଗ୍ର ଗୁଣ୍ଡିଚା ମନ୍ଦିରକୁ ସିସିଟିଭି ନଜରରେ ରଖାଯିବ।


