ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସବୁ ରଙ୍ଗର ଅଙ୍ଗୁର ମଧ୍ୟରୁ ଲାଲ୍ ରଙ୍ଗର ଅଙ୍ଗୁର ସବୁଠୁ ଅଧିକ ଲାଭପ୍ରଦ। କାରଣ ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ଲାଲ୍ ଅଙ୍ଗୁରରେ ସର୍ବାଧିକ ଆଣ୍ଟିଅକ୍ସିଡାଣ୍ଟ ରହିବା ସହିତ ପ୍ରଚୁର ପରିମାଣରେ ଭିଟାମିନ୍ , ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଆଇରନ୍ ରହିଛି। ଖାଦ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏକ କପ୍ ଲାଲ୍ ଅଙ୍ଗୁରରେ ୫୨ କ୍ୟାଲୋରୀ, ୧ ଗ୍ରାମ ପ୍ରୋଟିନ୍, ୧୪ ଗ୍ରାମ କାର୍ବୋହାଇଡ୍ରେଟ୍, ୧ ଗ୍ରାମ ଫାଇବର୍ ଥିବାବେଳେ ଚର୍ବି ଆଦୌ ନାହିଁ । ଲାଲ୍ ଅଙ୍ଗୁରରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟର ଥିବାରୁ ଏହା ଅନେକ ରୋଗର ଆଶଙ୍କା ହ୍ରାସ କରିଥାଏ।
ହୃଦ୍ଘାତର ଆଶଙ୍କା କରେ ହ୍ରାସ
ଲାଲ୍ ଅଙ୍ଗୁର ନିୟମିତ ଏବଂ ସୀମିତ ପରିମାଣରେ ଖାଇଲେ ସମସ୍ତ ପ୍ରକାରର ହୃଦ୍ରୋଗ ସମ୍ବନ୍ଧୀୟ ଜଟିଳତା ଦୂର ହୁଏ। ଲାଲ ଅଙ୍ଗୁରରେ ଫ୍ଲାଭୋନାଏଡ ଏବଂ ପଲିଫେନୋଲ୍ସ ନାମକ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ରକ୍ତବାହୀ ଶିରାପ୍ରଶିରା ଓ ସ୍ନାୟୁକୁ ଆରାମ ଦେଇଥାଏ ଏବଂ ହୃତ୍ପିଣ୍ଡରେ ଇନ୍ଫ୍ଲାମେସନକୁ ହ୍ରାସ କରିଥାଏ ଓ ଏହାଦ୍ୱାରା ହୃଦ୍ଘାତ କିମ୍ବା ଷ୍ଟ୍ରୋକର ଆଶଙ୍କାକୁ ବହୁତ କମ୍ ହୋଇଥାଏ ।
ମଧୁମେହ ନିୟନ୍ତ୍ରଣ
ଲାଲ୍ ଅଙ୍ଗୁରରେ ପର୍ଯ୍ୟାପ୍ତ ପରିମାଣର କାର୍ବୋହାଇଡ୍ରେଟ୍ ଥିଲେ ମଧ୍ୟ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ରକ୍ତରେ ଶର୍କରା ବୃଦ୍ଧି କରିବାକୁ ଦିଏ ନାହିଁ। ମଧୁମେହ ରୋଗୀ ଡାକ୍ତରଙ୍କ ପରାମର୍ଶ ପରେ ଲାଲ୍ ଅଙ୍ଗୁର ଖାଇବା ଉଚିତ।
ଓଜନ ହ୍ରାସ କରିବାରେ ସହାୟକ
ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଲାଲ ଅଙ୍ଗୁର ବହୁତ ଉପକାରୀ। ଲାଲ୍ ଅଙ୍ଗୁରରେ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ, ଯାହା ଭୋକର ଅନୁଭବକୁ ବହୁତ କମ କରିଥାଏ । ଏହା ସହିତ ଲାଲ୍ ଅଙ୍ଗୁରରେ ମଧ୍ୟ ପ୍ରଚୁର ଜଳୀୟ ଅଂଶ ରହିଥାଏ। ଏହା ପେଟ ପୂରିବା ଭଳି ଅନୁଭବ ଦିଏ। ତେଣୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଲାଲ୍ ଅଙ୍ଗୁର ଜୁସ୍ ପିଇପାରିବେ।
ଦୃଷ୍ଟିଶକ୍ତି ବୃଦ୍ଧି
ଲାଲ୍ ଅଙ୍ଗୁର ନିୟମିତ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ହୁଏ। କାରଣ ଲାଲ୍ ଅଙ୍ଗୁରରେ ଥିବା ଭିଟାମିନ୍ ଏବଂ ଫ୍ଲାଭୋନାଏଡ୍ ଆଖିର କୋଷିକାଗୁଡ଼ିକୁ ଆରାମପ୍ରଦାନ କରିବାରେ ସାହାଯ୍ୟ କରେ ।
ମଜଭୁତ୍ କରେ ହାଡ଼
ଲାଲ୍ ଅଙ୍ଗୁରରେ ଥିବା କ୍ୟାଲସିୟମ୍ ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ। ହାଡ଼ ଦୁର୍ବଳଜନିତ ରୋଗରେ ପୀଡ଼ିତ ବ୍ୟକ୍ତିମାନେ କେତେ ପରିମାଣରେ ଲାଲ୍ ଅଙ୍ଗୁର ଖାଇପାରିବେ, ତାହା ଦକ୍ଷ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ। କାରଣ ଶିଶୁ ଓ ବୟସ୍କଙ୍କ ପାଇଁ ଏହାର ପରିମାଣ ଭିନ୍ନ ଥାଏ।


