ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏନେଇ ପୁଲିସ ମହାନିର୍ଦ୍ଦେଶକ ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବିଧାନସଭା ପରିସର ଓ ଏହାର ଆଖପାଖ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ।
ବିଧାନସଭାକୁ ଯାଉଥିବା ବିଭିନ୍ନ ରାସ୍ତାରେ ବ୍ୟାରିକେଡିଂ କରାଯାଇଛି। କେବଳ ଅନୁମତିପ୍ରାପ୍ତ ଗାଡ଼ିଗୁଡ଼ିକୁ ଯାତାୟାତ ପାଇଁ ଅନୁମତି ମିଳିବ। ବିଧାୟକ ଓ ମନ୍ତ୍ରୀଙ୍କ ପାଇଁ ଗୋଟିଏ ପ୍ରବେଶ ପଥ, ସାମ୍ବାଦିକଙ୍କ ପାଇଁ ଅଲଗା ଗେଟ୍ ଏବଂ ବାଚସ୍ପତିଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ବ୍ୟବସ୍ଥା କରାଯାଇଛି।
ବିଧାନସଭା ଭିତର ସୁରକ୍ଷାକୁ ଗୁରୁତ୍ୱ ଦେଇ ପରିସରର ବିଭିନ୍ନ ସ୍ଥାନରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ଷ୍ଟାଟିକ୍ ଡ୍ୟୁଟିରେ ମୁତୟନ ରହିବେ। ସେହିପରି ବିଧାନସଭା ବାହାରେ ୬ରୁ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ବିଧାନସଭା ଓ ଏହାର ଆଖପାଖ ନିର୍ମାଣକୁ ନଜରରେ ରଖି ରୁଫଟପ୍ରେ ମଧ୍ୟ ସୁରକ୍ଷାକର୍ମୀ ନିୟୋଜିତ ହେବେ।
ଏଥିସହ ସୁରକ୍ଷା ଗୁଇନ୍ଦା ବିଭାଗର ଟିମ୍ ମଧ୍ୟ ନିୟୋଜିତ ରହିବେ। ପ୍ରତିଦିନ ବିଧାନସଭା ଆରମ୍ଭ ପୂର୍ବରୁ ଡଗ୍ ସ୍କ୍ୱାଡ୍ ଓ ଆଣ୍ଟି-ସାବୋଟାଜ୍ ଟିମ୍ ପକ୍ଷରୁ ସମ୍ପୂର୍ଣ୍ଣ ବିଲ୍ଡିଂ ଯାଞ୍ଚ କରାଯିବ। କୌଣସି ପ୍ରକାର ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ରହିଛି କି ନାହିଁ, ସେନେଇ ଯାଞ୍ଚ କରାଯିବ।
ଅଧିବେଶନ ସମୟରେ ବିଧାନସଭା ପରିସରର ସୁରକ୍ଷା ସହ ଯାତାୟାତ ନିୟନ୍ତ୍ରଣ ଓ ପ୍ରବେଶ ପଥରେ ଯାଞ୍ଚକୁ ଗୁରୁତ୍ୱ ଦିଆଯିବ।


