ଭୁବନେଶ୍ବର: ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ଅତିଥି ୫ ଓରାଙ୍ଗଉଟାନ୍ ଶାବକ ନୂଆ ପରିବେଶ ସହ ଖାପଖୁଆଇ ନେଉଛନ୍ତି। କ୍ୱାରେଣ୍ଟାଇନ୍ ସେଲ୍ରେ ଥିବା ଏହି ଶାବକମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥିର ଏବଂ ଆଶାଜନକ ରହିଛି। ସେପ୍ଟେମ୍ବର ୧୯ରେ କରାଯାଇଥିବା କ୍ଲିନିକାଲ୍ ପରୀକ୍ଷା ଅନୁଯାୟୀ, ସେମାନଙ୍କ ଶରୀରର ତାପମାତ୍ରା, ଗତିବିଧି ଓ ମଳର ଗୁଣବତ୍ତା ସାଧାରଣ ରହିବା ସହ ଖାଦ୍ୟ ଗ୍ରହଣ ପ୍ରକ୍ରିୟା ମଧ୍ୟ ସ୍ୱାଭାବିକ ରହିଛି। ଶାବକମାନଙ୍କୁ ସକ୍ରିୟ ଓ ଖୁସି ରଖିବା ପାଇଁ ସେଲ୍ ଭିତରେ ଖେଳିବାକୁ ଲାଡର୍ (ସିଡ଼ି) ଏବଂ ଦଉଡ଼ିର ବ୍ୟବସ୍ଥା କରାଯାଇଛି। ନନ୍ଦନକାନନର ହେଲଥ୍ ରିପୋର୍ଟ ଅନୁଯାୟୀ, ମାଲେ-୧ର ଓଜନ ୫.୩୪ କେଜି, ମାଲେ-୨ର ୩.୫୬ କେଜି, ମାଲେ-୩ର ୩.୧ କେଜି, ଫିମେଲ୍-୧ର ୪.୨୮ କେଜି ଏବଂ ଫିମେଲ୍-୨ର ଓଜନ ୨.୧୮ କେଜି ରହିଛି।
ପ୍ରାଣୀ ଚିକିତ୍ସକ ଓ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଶାବକମାନଙ୍କ ଖାଦ୍ୟ ତାଲିକାରେ ଧୀରେ ଧୀରେ ନୂଆ ଆହାର ଯୋଡ଼ାଯାଉଛି। କ୍ଷୀରର ପରିମାଣ ବୃଦ୍ଧି କରାଯିବା ସହ ଏବେ ସେମାନଙ୍କୁ ସିଝା ଗାଜର ଓ ବିନ୍ସ ଦିଆଯାଉଛି। ଆଗାମୀ ଦିନରେ ସେମାନଙ୍କ ଡାଏଟ୍ରେ ଶୁଖିଲା ଖାଦ୍ୟର ପରିମାଣ ଆହୁରି ବଢ଼ାଯିବ ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


