ଭୁବନେଶ୍ବର: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ-ବିଦେଶର ହଜାର ହଜାର ପର୍ଯ୍ୟଟକଙ୍କ ସୁରକ୍ଷିତ, ସୁଗମ ଓ ଶୃଙ୍ଖଳିତ ଯାତାୟାତ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ଏକ ସ୍ୱତନ୍ତ୍ର ଓ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପର୍ଯ୍ୟଟକଙ୍କ ଅତ୍ୟାଧିକ ଭିଡ଼କୁ ନଜରରେ ରଖି ସୋମବାରଠାରୁ ସୂର୍ଯ୍ୟମନ୍ଦିର ସମ୍ମୁଖ ମୁଖ୍ୟ ଗେଟ୍କୁ ସମ୍ପୂର୍ଣ୍ଣ ଭାବେ ଖୋଲି ଦିଆଯାଇଛି। ଅନ୍ୟପଟେ ନବଗ୍ରହ ମନ୍ଦିର ସମ୍ମୁଖ ଉତ୍ତର-ପୂର୍ବ କୋଣରେ ଥିବା ଜରୁରୀକାଳୀନ ପ୍ରସ୍ଥାନ ଗେଟ୍କୁ ଦୈନନ୍ଦିନ ବ୍ୟବହାର ପାଇଁ ବନ୍ଦ ରଖାଯାଇଛି ଏବଂ ଏହାକୁ କେବଳ ଆପାତକାଳୀନ ସମୟରେ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ପୂର୍ବପରି ସୂର୍ଯ୍ୟମନ୍ଦିରର ପୂର୍ବ ଦିଗ ସମ୍ମୁଖରେ ଥିବା ଗେଟ୍ ଦେଇ ହିଁ ପର୍ଯ୍ୟଟକମାନେ ପ୍ରବେଶ ଓ ପ୍ରସ୍ଥାନ କରିବେ। ଆଗାମୀ ଦିନରେ ଏହି ପ୍ରବେଶ ଦ୍ୱାରର ପୁନର୍ଗଠନ କରାଯାଇ ଏକା ସମୟରେ ଶତାଧିକ ପର୍ଯ୍ୟଟକ ଯାତାୟାତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଟିକେଟ କାଉଣ୍ଟରରେ ପ୍ରବଳ ଗହଳିକୁ ଏଡ଼ାଇବା ପାଇଁ ପୂର୍ବରୁ ଥିବା କାଉଣ୍ଟରଗୁଡ଼ିକର କ୍ଷମତା ମଧ୍ୟ ବୃଦ୍ଧି କରାଯିବ। ଏଏସଆଇ ପକ୍ଷରୁ ଏହାର ସମସ୍ତ ନକ୍ସା ଓ ମାନଚିତ୍ର ପ୍ରସ୍ତୁତ କରାଯାଇ ଅନୁମୋଦନ ମିଳିସାରିଛି। ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଠିକାଦାର ନିଯୁକ୍ତି ଦିଆଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସ୍ଥାନୀୟ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ସୂଚନା ଦେଇଛନ୍ତି।
ବର୍ତ୍ତମାନ ମନ୍ଦିର ସମ୍ମୁଖ ମୁଖ୍ୟ ପ୍ରବେଶ ପଥରେ ଥିବା ସ୍କାନର ଗେଟ୍ ବ୍ୟବସ୍ଥାକୁ ହଟାଇ ଦିଆଯାଇ ଟିକେଟ କାଉଣ୍ଟର ସମ୍ମୁଖ ରାସ୍ତାକୁ ଆହୁରି ୨୫ ଫୁଟ୍ ପ୍ରଶସ୍ତ କରାଯିବ। ଏଥିସହିତ ମୁଖ୍ୟ ଗେଟ୍କୁ ମଧ୍ୟ ଅଧିକ ଚଉଡ଼ା କରାଯିବ, ଯାହାଫଳରେ ପର୍ଯ୍ୟଟକମାନେ ଆରାମରେ ଯାତାୟାତ କରିପାରିବେ ଏବଂ ଦିବ୍ୟାଙ୍ଗମାନଙ୍କ ଯାତାୟାତ ପାଇଁ ମଧ୍ୟ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏହାବ୍ୟତୀତ ରାସ୍ତାର ଡାହାଣ ପାର୍ଶ୍ୱରେ ଏକା ସମୟରେ ୫ ହଜାର ପର୍ଯ୍ୟଟକଙ୍କ ସାମଗ୍ରୀ ରଖିବା କ୍ଷମତାବିଶିଷ୍ଟ ଏକ କ୍ଲକ୍ ରୁମ୍ ନିର୍ମାଣ କରାଯିବ। କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ପାଇଁ ଏକ ମଡ୍ୟୁଲାର୍ ସ୍ମାରକୀ ଗୃହ ରଖାଯିବ। ଫଳରେ ପର୍ଯ୍ୟଟକମାନେ ଟିକେଟ୍ ନେଇ ଅଧିକ ସମୟ ଧାଡ଼ିରେ ନ ଛିଡ଼ା ହୋଇ ନିଜର ସାମଗ୍ରୀ ଅମାନତ ଗୃହରେ ରଖି ସିଧାସଳଖ ମନ୍ଦିର ପରିସରକୁ ପ୍ରବେଶ କରିପାରିବେ। ଏହାସହିତ ପ୍ରଥମ ଥର ପାଇଁ ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ଏକ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଉଛି। ଏହି ସମସ୍ତ ପୁନର୍ଗଠନ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଆଗାମୀ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଭିଡ଼କୁ ସଠିକ୍ ଭାବେ ନିୟନ୍ତ୍ରଣ ଓ ପରିଚାଳନା କରାଯାଇପାରିବ।


