Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଗସ୍ତରେ ଆସିଥିବା ନଭି ମୁମ୍ବାଇର କେସି ପାଟିଲ କଲେଜ ଅଫ ଇଞ୍ଜିନିୟରିଂର ୫୦ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର, ଦ୍ବିତୀୟ ଦିନରେ ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି।

ଗସ୍ତ ପୂର୍ବରୁ ସେମାନଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବିଷୟରେ ସୂଚନା ଦିଆଯାଇଥିଲା। ମହାରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ଆତିଥେୟ ପ୍ରଦାନ କରିଥିବା ଭୁବନେଶ୍ବରର ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି (ଜିଆଇଏଫଟି) ପକ୍ଷରୁ ଏକ ଉପସ୍ଥାପନା ମାଧ୍ୟମରେ ଶ୍ରୀଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ସମେତ ବିଭିନ୍ନ ଐତିହାସିକ ସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଆଜିର ଦିନରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ଏକ ଭାଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମରାଠୀ ଏବଂ ଓଡ଼ିଆ ଭାଷାରେ ସାମଞ୍ଜସ୍ୟ ଥିବା କେତେକ ଶବ୍ଦ ବିଷୟରେ ଛାତ୍ରଛାତ୍ରୀ ଜାଣିବାକୁ ପାଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ୫୦ ଜଣ ଛାତ୍ରଛାତ୍ରୀ ଏବଂ ୪ ଜଣ ଶିକ୍ଷକଶିକ୍ଷୟିତ୍ରୀ ସମ୍ପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟମାନଙ୍କ ମଧ୍ୟରେ ଆପୋସ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଖଣ୍ଡ ଭାରତର ସ୍ବପ୍ନକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ଦେଶବ୍ୟାପୀ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ, କୋଣାର୍କ ଓ ଖିଚିଂରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ, ଯୋଗଦେବେ ତିନି କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର: ଯୋଗକୁ ସାରା ବିଶ୍ବରେ ଲୋକପ୍ରିୟ କରାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରମୁଖ ଭୂମିକା ରହିଛି। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ମିଳିତ ଜାତିସଂଘର ଅନୁମୋଦନ କ୍ରମେ ଜୁନ ୨୧ ତାରିଖକୁ ସାରା ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଯୋଗ ଦିବସ ସମାରୋହ ଆୟୋଜନ କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କର୍ଣ୍ଣାଟକର ମହୀଶୂର ଠାରେ ଆୟୋଜନ ହେବାକୁ ଥିବା ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନ୍ୟ ସବୁ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଓଡ଼ିଶାର ତିନୋଟି ସ୍ଥାନରେ ଯୋଗ ଦିବସ ସମାରୋହ ପାଳନ କରାଯିବ। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେବେ। ପୁରୀ ଶ୍ରୀ ବ୍ଲୁ ଫ୍ଲାଗ୍ ବିଚ୍ ପରିସରରେ ଯୋଗ ଦିବସ କାର୍ଯକ୍ରମରେ ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେବେ।

କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୟୁରଭଞ୍ଜର ଖିଚିଂ ଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଭୋର୍ ୫ଟା ୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରଥମେ ସଭା ଆୟୋଜନ କରାଯିବ। ସକାଳ ୬ଟାରୁ ୬ଟା ୪୦ ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ସ୍ବାଗତ ଭାଷଣ ଦେବେ। ୬ଟା ୪୦ରୁ ୭ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପ୍ରସାରିତ ହେବ। ୭ଟାରୁ ୭ଟା ୪୫ ପର୍ଯ୍ୟନ୍ତ ସାଧାରଣ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୭ଟା ୪୬ରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବ।

ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଜନସାଧାରଣ ଯୋଗାଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସାହିତ୍ୟ ଏକାଡେମୀର ‘କୋଣାର୍କ’ ବିଶେଷ ସଂଖ୍ୟା ନିମନ୍ତେ ପ୍ରବନ୍ଧ ଆହ୍ୱାନ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ମର୍ଯ୍ୟାଦାବନ୍ତ ପୁସ୍ତକ ପ୍ରକାଶନ ଏବଂ ତ୍ରୈମାସିକ ସାହିତ୍ୟ ମୁଖପତ୍ର “କୋଣାର୍କ’ ପ୍ରକାଶନ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମ। ପୁସ୍ତକ ପ୍ରକାଶନକୁ ଲୋକାଭିମୁଖି ଏବଂ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବିଭିନ୍ନ ବିକ୍ରୟ ସଂସ୍ଥାଙ୍କ ସହିତ ଅନୁବନ୍ଧିତ କରାଯାଇ ଇ-ବିକ୍ରୟର ଶୁଭାରମ୍ଭ କରାଯିବା ସହିତ ପ୍ରକାଶିତ ପୁସ୍ତକଗୁଡ଼ିକ ଡିଜିଟାଇଜେସନ କରାଯାଇ ଓଡ଼ିଆ ଭର୍ଚ୍ୟୁଆଲ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ୱେବ ପୋର୍ଟାଲରେ ଉପଲବ୍ଧ ନିମନ୍ତେ ବ୍ୟବସ୍ଥା କରାଯାଇଛି।

ଏକାଡେମୀ ପକ୍ଷରୁ ପ୍ରଦତ୍ତ ସର୍ବୋଚ୍ଚ ସ୧ାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ସାରସ୍ୱତ ସ୍ରଷ୍ଟାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ତ୍ରୈମାସିକ ଓଡ଼ିଆ ସାହିତ୍ୟ ପତ୍ରିକା
“କୋଣାର୍କ’ର ପୃଥକ ପୃଥକ ବିଶେଷ ସଂଖ୍ୟା ପ୍ରକାଶ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ପ୍ରଥମ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତା କବି ରାଧାମୋହନ ଗଡନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ “କୋଣାର୍କ’ ବିଶେଷ ସଂଖ୍ୟା ପ୍ରକାଶ କରାଯିବ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖୁଥିବା ଲେଖକଲେଖିକାମାନେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ବିଭିନ୍ନ ସାରସ୍ୱତ ଦିଗକୁ ଭିତ୍ତିକରି ଏକ ପ୍ରବନ୍ଧ ଡିଟିପି କପି ସହିତ ସପ୍ଟକପି ୱାର୍ଡ଼ ଫାଇଲରେ [email protected]  ଜରିଆରେ ପଠାଇବାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଅନୁରୋଧ କରିଛନ୍ତି ।

ପ୍ରାପ୍ତ ପ୍ରବନ୍ଧଗୁଡ଼ିକ କୋଣାର୍କ ସମ୍ପାଦନାମଣ୍ଡଳୀରେ ଉପସ୍ଥାପନ କରାଯାଇ ପ୍ରକାଶନ ଦିଗରେ ସିଦ୍ଧାନ୍ତ ଗ୍ରହଣ କରାଯିବ। ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ନାମ ଏକାଡେମୀ ୱେବସାଇଟ୍ www.odishasahityaakademi.org ରେ ଉପଲବ୍ଧ।

Categories
ଆଜିର ଖବର ରାଜ୍ୟ ଖବର

କୋଣାର୍କରେ ଜାରି ହେଲା ୧୪୪ ଧାରା, ଏଣିକି ଏହିସବୁ ଅଞ୍ଚଳରେ ବୁଲିପାରିବେ ନାହିଁ ପର୍ଯ୍ୟଟକ

ଗୋପ: କୋଣାର୍କରେ ୧୪୪ ଧାରା ଜାରି କରାଯାଇଛି। ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ୧୪୪ ଧାରା ଜାରି କରାଯାଇଛି। ସୂର୍ଯ୍ୟମନ୍ଦିର, ଚନ୍ଦ୍ରଭାଗା ଏବଂ ରାମଚଣ୍ଡୀ ପିଠାରେ ୧୪୪ ଧରା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦେଖି ସେଠାରେ କଟକଣା ଲାଗୁ କରାଯାଇଛି। ଏହିସବୁ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ଅନୁମତି ନାହିଁ। ଏନେଇ ଗୋପ ତହସିଲଦାର ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆଜି କୋଣାର୍କ ମନ୍ଦିରକୁ ତ୍ରିରଙ୍ଗା ରଂଗରେ କରାଯାଇଛି ଆଲୋକିତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ଆଜି ସଂଧ୍ୟାରେ କୋଣାର୍କ ମନ୍ଦିରକୁ ଯେ ଦେଖିଛି ସେ ଆର୍ଶ୍ଚର୍ଯ୍ୟ ହୋଇଯାଇଛି। କାରଣ ଆଜି ପ୍ରଥମ ଥର ପାଇଁ ଏହି ବିଶ୍ବ ଐତିହ୍ୟକୁ  ତ୍ରିରଂଗା ରଂଗରେ ଆଲୋକିତ କରାଯାଇଛି। ମନ୍ଦିରର ତଳଭାଗକୁ ସବୁଜ, ମଧ୍ୟ ଭାଗକୁ ଧଳା ଏବଂ ଚୁଡା ଭାଗକୁ ନାରଙ୍ଗୀ ରଂଗରେ ରଂଗୀନ କରାଯାଇଛି।

କୋଣାର୍କର ଏପରି ରୂପ ଦେଖି ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ହେଲା ଏପରି ତ୍ରିରଂଗା ରଂଗ କେବଳ ଗଣତନ୍ତ୍ର ଦିବସ ହେଉ କିମ୍ବା ସ୍ବାଧୀନତା ଦିବସରେ କରାଯାଇଥାଏ। ଆଜି ସେପରି କିଛି ନ ଥିବାରୁ ସେମାନେ ଏହାର କାରଣ ଜାଣିବା କଷ୍ଟକର ହୋଇପଡିଛି।

ତେବେ ସୂଚନା ଅନୁସାରେ ଆଜି ସାରା ଭାରତ ବର୍ଷରେ ଶହେ କୋଟି କୋଭିଡ ଟିକାକରଣ ସଫଳତା ମିଳିଥିବାରୁ ସେଥିପାଇଁ ଏପରି ଆଲୋକରେ ଆଲୋକିତ କରାଯାଇଛି। କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଟିକାକରଣ ଅଭିଜାନ। ଏଥିରେ ଆଜି ଭାରତ ଶହେ କୋଟି ଲୋକଙ୍କୁ ଟିକାକରଣ କରିବାରେ ସଫଳ ହୋଇଛି।

ଏହି ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଧିନରେ ଥିବା ଭାରତୀୟ ପ୍ରତ୍ନତାତ୍ବିତ ସର୍ବେକ୍ଷଣ ସଂସ୍ଥା ଏହି ପଦକ୍ଷେପ ନେଇଛି। କେବଳ କୋଣାର୍କ ନୁହେଁ ଦେଶର ଶହେଟି ପ୍ରାଚୀନ କିର୍ତ୍ତି ରାଜିରେ ଏପରି ତ୍ରିରଙ୍ଗା ରଂଗରେ ଆଲୋକିତ କରାଯାଇଛି।

ଶହେ କୋଟି ହୋଇଥିବାରୁ ଶହେଟି କିର୍ତ୍ତିରାଜିରେ ଏହି ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରେ ରହିଛି ଲାଲକିଲ୍ଲା, ଆଗ୍ରାଦୁର୍ଗ, ତାମିଲନାଡୁର ମାମଲପୁରମରଥ, ଖଜୁରାହ ମନ୍ଦିର, ନାଳନ୍ଦା ବିଶ୍ବବିଦ୍ୟାଳୟ ପ୍ରଭୃତି ରହିଛି। ଏହା କରୋନା ଯୋଦ୍ଧା, ସାନିଟାଇଜର କର୍ମୀ, ଡାକ୍ତର, ନର୍ସମାନଙ୍କୁ ଉତ୍ସର୍ଗିକୃତ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଛଅ ଲେନ ବିଶିଷ୍ଠ ହେବ କୋଣାର୍କ ରାସ୍ତା, ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ 23 କୋଟି ଟଙ୍କା

ଭୁବନେଶ୍ବର, କୋଣାର୍କରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଥିବା ରାସ୍ତାକୁ ରାଜ୍ୟ ସରକାର 6 ଲେନ ବିଶିଷ୍ଠ କରିବା ପାଇଁ ନିଷ୍ପତି କରିଛନ୍ତି। ଏହି ରାସ୍ତା କୋଣାର୍କ କାକାଟପୁର ରିଙ୍ଗରୋଡର ଲାବଣ୍ୟ ଛକ ଦେଇ ଚନ୍ଦ୍ରଭାଗାକୁ ଯାଇଥିବା ରାସ୍ତାକୁ ପ୍ରସସ୍ଥ କରାଯିବ। ଏଥିପାଇଁ ମାପଚୁପ ଆରମ୍ଭ କରାଯାଇ ଜମି ଅଧିଗ୍ରହଣ କରାଯିବ। ଏହି ରାସ୍ତାର ଡିଭାଡରକୁ ଆକର୍ଷଣୀୟ ଭାବେ ଗଛ ଲଗାଯାଇ ସଜାଯିବ। ଏପରିକି ଏହି ରାସ୍ତାର ଦୁଇଟି ସ୍ଥାନରେ ଫାଉଣ୍ଟେନ କରାଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ଏହି ରାସ୍ତାର ଚଉଡା 41 ମିଟର କରାଯିବା ସହିତ ସାଇକେଲ ଓ ପାଦଚଲା ରାସ୍ତା ପୃଥକ ପୃଥକ ଭାବେ କରାଯିବ। କୋଣାର୍କର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ଭାବେ ଏହାର ରାସ୍ତା କାମ ଶେଷ କରିବା ପାଇଁ ଚାହିଁଛନ୍ତି। ଏହି କାମ ପାଇଁ ପ୍ରଥମ ପର୍ଯ୍ୟାୟରେ 23 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।