ରାୟଗଡା: କ୍ରିକେଟ ଖେଳୁଥିବା ବେଳେ ଅସୁସ୍ଥ ହୋଇ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପି. ରାଜେଶ। ସେ ଗୁଣୁପୁର ବ୍ଲକରେ ରାଜସ୍ୱ ନିରୀକ୍ଷକ (RI) ଭାବେ କାର୍ଯ୍ୟରତ ଥିଲେ।
ସୂଚନା ଅନୁଯାୟୀ, ରବିବାର ରାଜେଶ ଆଇଇଏସିଆର କଲେଜ ନିକଟସ୍ଥ ଆରସିସି ଖେଳ ପଡ଼ିଆରେ କ୍ରିକେଟ ଖେଳୁଥିଲେ। ସେ ୱିକେଟକିପର ଭାବେ ଖେଳୁଥିବା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଏନେଇ ସେ ସାଥୀ ଖେଳାଳିମାନଙ୍କୁ ଜଣାଇଥିଲେ।
କିଛି ସମୟ ପରେ ରାଜେଶ ହଠାତ୍ ମୁହଁ ବୁଲାଇ ପଡ଼ିଯାଇଥିଲେ। ସାଥୀ ଖେଳାଳିମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ରାଜେଶଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରାଥମିକ ସୂଚନା ଅନୁସାରେ, ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ନେଇ ଅଧିକାରିକ ଭାବେ ସ୍ପଷ୍ଟତା ମିଳିନାହିଁ।
ରାଜେଶଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ରାୟଗଡ଼ାରେ ଶୋକର ଛାୟା ଖେଳିଯାଇଛି। ରାୟଗଡ଼ା ବିଧାୟକ ଅପଲାସ୍ୱାମୀ କାଡ୍ରାକା, କାଉନସିଲର ସନ୍ତୋଷ ଦଳାଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଜେଶଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ମୃତ ରାଜେଶଙ୍କ ଘର ରାୟଗଡ଼ା ସହରର ୟେଦୁ ସାହିରେ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ରାୟଗଡ଼ା ପୁଲିସ ତଦନ୍ତ କରୁଛି।


