ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ରାକେଶ ସୋଡ଼ି ନିହତ ହୋଇଛନ୍ତି । ଏହି ଘଟଣାରେ ଜଣେ ଯବାନ ଶହିଦ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ନେଇ ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ମାଲକାନଗିରି ବଣ୍ଡାଘାଟି ପାକନାଗୁଡ଼ା ଜଙ୍ଗଲରେ ଏନକାଉଣ୍ଟରରେ ହାର୍ଡକୋର ମାଓନେତା ରାକେଶ ସୋଡ଼ିର ମୃତ୍ୟୁ ହୋଇଛି । ଆଜି ସକାଳୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଓ ବଣ୍ଡାଘାଟି ସୀମାରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ମେମ୍ବର ରାକେଶ ସୋଡ଼ି ମିଲିଟାରୀ ପ୍ଲାଟୁନ ମୁଖ୍ୟ ଥିଲେ । ମୃତ ମାଓନେତା ରାକେଶଙ୍କ ଘର ଛତିଶଗଡ଼ ସୁକମା ଜିଲ୍ଲା ଘଟ୍ଟାପାଡ଼ ଗାଁରେ ହୋଇଥିବା ସୂଚନା ମିଳିଛି । ରାକେଶ ସୋଡ଼ିଙ୍କ ମୁଣ୍ଡ ପାଇଁ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ସମ୍ପର୍କରେ ପୋଲିସ ଡିଜି ସୂଚନା ଦେଇଛନ୍ତି ।