ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଥିବା ଐତିହାସିକ ‘ଶାହି ମସଜିଦ’ର କିଛି ଅଂଶ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମୁସଲିମ୍ ସମ୍ପ୍ରଦାୟର ଶତାଧିକ ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଛାତ ଉପରୁ ପଥରମାଡ଼ କରିଛନ୍ତି। ଏହି ହିଂସାରେ ଜଣେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶାହି ମସଜିଦ ନିକଟରେ ଗତକାଲିଠାରୁ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ପୋଲିସ ରାସ୍ତାରେ ନିୟନ୍ତ୍ରଣ ରଖିଥିବା ବେଳେ ବିକ୍ଷୋଭକାରୀମାନେ ନିକଟସ୍ଥ ଘରର ଛାତ ଉପରୁ ଆକସ୍ମିକ ପଥରମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୧୦ଟି ମାମଲା ରୁଜୁ କରିବା ସହ ୫ ଜଣଙ୍କୁ ଗିରଫ କରିଛି।
ଅନ୍ୟପଟେ, ଉଚ୍ଛେଦ ବିରୋଧରେ ମସଜିଦ କମିଟି ପକ୍ଷରୁ କରାଯାଇଥିବା ଆବେଦନକୁ ଇନ୍ଦୋର ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ ପ୍ରଶାସନିକ ନିଷ୍ପତ୍ତି ଉପରେ କୌଣସି ସ୍ଥଗିତାଦେଶ ଦେବାକୁ ମନା କରିବା ସହ କମିଟିର ଯାଚିକାକୁ ଦ୍ୱିତୀୟ ଥର ପାଇଁ ନାକଚ କରିଛନ୍ତି। ସୂଚନାଯୋଗ୍ୟ ଯେ, ଉଜ୍ଜୈନରେ ଆସନ୍ତା ‘ସିଂହସ୍ଥ କୁମ୍ଭମେଳା-୨୦୨୮’ ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। କଣ୍ଠାଲ ଛକରୁ ଗୋପାଳ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ୧୫ ମିଟର ଓସାରିଆ କରାଯାଉଥିବାରୁ ଏହି ପଥ ମଧ୍ୟରେ ଆସୁଥିବା ଶାହି ମସଜିଦର କିଛି ଅଂଶକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଉଚ୍ଛେଦ ପାଇଁ ସହରର କାଜି ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ପୂର୍ବରୁ ସମ୍ମତି ପ୍ରକାଶ ପାଇଥିଲା।


