ଭୁବନେଶ୍ବର: ଓଡ଼ିଶାର ଜୀବନରେଖା ମହାନଦୀର ଜଳବଣ୍ଟନ ଓ ପରିଚାଳନା ସମ୍ପର୍କିତ ଦୀର୍ଘଦିନର ବହୁଚର୍ଚ୍ଚିତ ସମସ୍ୟାର ସ୍ଥାୟୀ ଓ ଗ୍ରହଣୀୟ ସମାଧାନ ଦିଗରେ ନୂଆଦିଲ୍ଲୀଠାରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଉପସ୍ଥିତ ରହି ଏହି ଦୀର୍ଘକାଳୀନ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ହୋଇଥିବା ପ୍ରଗତିର ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି।
ଏହି ବୈଠକରେ ଓଡ଼ିଶାର କୋଟି କୋଟି ଜନସାଧାରଣଙ୍କ ଜୀବନଜୀବିକା, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଦୀର୍ଘମିଆଦୀ ଜଳସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ଜଳସେଚନ, ବନ୍ୟା ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ ଏବଂ ଜଳବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ପର୍ଯ୍ୟାପ୍ତ ଜଳ ଆବଶ୍ୟକତା ସମ୍ପର୍କରେ ଅତ୍ୟନ୍ତ ଦୃଢ଼ତାର ସହ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ରାଜ୍ୟର ବିକାଶ ଓ କୃଷି କ୍ଷେତ୍ରର ନିରାପତ୍ତା ପାଇଁ ମହାନଦୀ ଜଳର ଆବଶ୍ୟକତା କେତେ ଗୁରୁତ୍ୱପୂର୍ଣ୍ଣ, ତାହା କେନ୍ଦ୍ର ସରକାର ଓ ଛତିଶଗଡ଼ ନିକଟରେ ସ୍ପଷ୍ଟ ଭାବେ ଉପସ୍ଥାପିତ ହୋଇଛି।
ବର୍ତ୍ତମାନ କେନ୍ଦ୍ରୀୟ ଜଳ ଆୟୋଗଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ସୁବିଧାରେ ଚାଲିଥିବା ତିନି ମାସିଆ ପ୍ରକ୍ରିୟା ନିର୍ଦ୍ଧାରିତ ସମୟସାରଣୀ ଅନୁଯାୟୀ ସଠିକ୍ ବାଟରେ ଆଗେଇ ଚାଲିଛି। ଏହି ନିର୍ଦ୍ଧାରିତ ସମୟ ମଧ୍ୟରୁ ଆଜି ସୁଦ୍ଧା ଦୁଇ ମାସର ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆବଶ୍ୟକୀୟ ତଥ୍ୟ ଆଦାନପ୍ରଦାନ ଏବଂ ସମୀକ୍ଷା ଆଲୋଚନା ନିରବଚ୍ଛିନ୍ନ ଭାବେ ଜାରି ରହିଛି। ଉଭୟ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ବାରମ୍ବାର ଆଲୋଚନା ଓ ଆପୋଷ ବୁଝାମଣା ମାଧ୍ୟମରେ ଏହି ବହୁବର୍ଷର ଗମ୍ଭୀର ସମସ୍ୟାର ଏକ ସ୍ଥାୟୀ, ଗ୍ରହଣୀୟ ଓ ସନ୍ତୋଷଜନକ ସମାଧାନ ବାହାର କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି।
ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ସମାଧାନର ବାଟ ଖୋଲିଥିବାରୁ ଦ୍ୱିପାକ୍ଷିକ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ମୋଡ଼ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସକ୍ରିୟ ସହଯୋଗ ଓ ମଧ୍ୟସ୍ଥତା ଯୋଗୁଁ ଉଭୟ ରାଜ୍ୟ ମଧ୍ୟରେ ଆନ୍ତରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇପାରିଛି। ଏହି ଗଠନମୂଳକ ଆପୋଷ ସମାଧାନ ପ୍ରକ୍ରିୟା ଆଗାମୀ ଦିନରେ ସମଗ୍ର ଦେଶ ପାଇଁ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ କ୍ଷେତ୍ରରେ ଏକ ଅନୁକରଣୀୟ ଏବଂ ଆଦର୍ଶ ଉଦାହରଣ ସାବ୍ୟସ୍ତ ହେବ ବୋଲି ଆଶାପ୍ରକଟ କରାଯାଇଛି।


