ଭୁବନେଶ୍ୱର: ଏକ ବଜାର-କୈନ୍ଦ୍ରିକ, ସ୍ଥାୟୀ ଏବଂ ଭବିଷ୍ୟତ-ଉପଯୋଗୀ କୃଷି ବ୍ୟବସ୍ଥା ଗଠନ ଉଦ୍ଦେଶ୍ୟରେ ଶନିବାର ଭୁବନେଶ୍ୱରଠାରେ “ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ ୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ, ଓଆରଏମଏଏସ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥାର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାଷୀ, କୃଷକ ଉତ୍ପାଦକ ସଂଗଠନ, ମହିଳା ନେତୃତ୍ୱାଧୀନ ଉତ୍ପାଦକ ଗୋଷ୍ଠୀ, ପୋଷଣଯୁକ୍ତ ଚାଉଳ ପ୍ରସେସର, ଶିଳ୍ପ ପ୍ରତିନିଧି ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକ ଯୋଗଦେଇଥିଲେ। ଓଡ଼ିଶାର ଧାନ ଚାଷକୁ ପାରମ୍ପରିକ ପଦ୍ଧତିରୁ ଏକ ମୂଲ୍ୟ-ଆଧାରିତ, ବ୍ୟବସାୟିକ ଏବଂ କୃଷକ-କୈନ୍ଦ୍ରିକ ଅର୍ଥବ୍ୟବସ୍ଥାକୁ ରୂପାନ୍ତରିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।
ଆଇଆରଆରଇ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଷୟିକ ଗବେଷଣା ସହାୟତାରେ, ରାଜ୍ୟ ସରକାର କମ୍ ଏଓ ଏବଂ ଅତି-କମ୍ ଏଓ ବିଶିଷ୍ଟ, ଉଚ୍ଚ ପ୍ରୋଟିନ୍ ଓ ଅଣୁ-ପୁଷ୍ଟିକର ଉପାଦାନଯୁକ୍ତ କିସମ ଏବଂ ‘କଳାଜିରା’ ଆଦି ପାରମ୍ପରିକ ସୁଗନ୍ଧିତ ଚାଉଳ ପରି ପୁଷ୍ଟିସାର-ସମୃଦ୍ଧ ଫସଲ ଉତ୍ପାଦନକୁ ପ୍ରୋତ୍ସାହନ ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ଉନ୍ନତ ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ ସେବା ପାଇଁ ଏକ ଅତ୍ୟାଧୁନିକ ‘ସ୍ପେଶାଲିଟି ରାଇସ୍ ଆଣ୍ଡ ମିଲେଟ୍’ ସୁବିଧା ଜରିଆରେ ଏହି ଫସଲର ଚାଷ ପରିସରକୁ ବର୍ତ୍ତମାନର ୧,୨୦୦ ହେକ୍ଟରରୁ ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ୧୦,୦୦୦ ହେକ୍ଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ଗ୍ରାମୀଣ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ପାରମ୍ପରିକ ଧାନ ଉତ୍ପାଦନରୁ ଊର୍ଦ୍ଧ୍ୱକୁ ଉଠି ଏକ ମୂଲ୍ୟ-ଭିତ୍ତିକ ଏବଂ କୃଷକ-କୈନ୍ଦ୍ରିକ ଧାନ ଅର୍ଥବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି। ଆଗାମୀ ଦିନରେ ଭବିଷ୍ୟତର ବିଶ୍ୱ ଖାଦ୍ୟ ସୁରକ୍ଷା ଆବଶ୍ୟକତା ପୂରଣ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମର ଚାଷୀ, କୃଷକ ଉତ୍ପାଦକ ସଂଗଠନ, ଗବେଷଣା ଅନୁଷ୍ଠାନ, ଶିଳ୍ପସଂସ୍ଥା ଏବଂ ବଜାରକୁ ଏକାଠି କରି ଆମେ ସ୍ୱାସ୍ଥ୍ୟକର ଓ ପୁଷ୍ଟିଯୁକ୍ତ ଚାଉଳକୁ ପ୍ରୋତ୍ସାହିତ କରିପାରିବା, ମୂଲ୍ୟ ସଂଯୋଜନାକୁ ସୁଦୃଢ଼ କରିପାରିବା ଏବଂ ଆମ ଚାଷୀମାନଙ୍କ ପାଇଁ ଉତ୍ତମ ଆୟର ସୁଯୋଗ ସୃଷ୍ଟି କରିପାରିବା। ଓଡ଼ିଶାର ସ୍ୱାସ୍ଥ୍ୟକର ଚାଉଳକୁ କ୍ଷେତରୁ ଜାତୀୟ ଓ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଆବଶ୍ୟକ ଭିତ୍ତିଭୂମି, ନୀତିଗତ ଏବଂ ଆନୁଷ୍ଠାନିକ ସହାୟତା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ସମ୍ମିଳନୀରେ ସ୍ୱାକ୍ଷରିତ ବୁଝାମଣା ପତ୍ର, ଆଗ୍ରହ ପତ୍ର ଏବଂ କ୍ରୟ ଆଦେଶ ଜରିଆରେ ପ୍ରତ୍ୟକ୍ଷ ବାଣିଜ୍ୟିକ ସଫଳତା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୬ କୋଟି ଟଙ୍କାର ୧,୦୦୦ ମେଟ୍ରିକ୍ ଟନ୍ ସ୍ୱାସ୍ଥ୍ୟକର ଚାଉଳ କ୍ରୟ ପାଇଁ ୪ଟି ଏମଓୟୁ ସମେତ ବ୍ୟବସାୟିକ ପ୍ରତିଶ୍ରୁତି ଘୋଷଣା କରାଯାଇଛି, ଯେଉଁଥିରେ କିଶାନସେ, ବିଜୟଲକ୍ଷ୍ମୀ ଏଗ୍ରୋ, ଜୈବିକ କୃଷକ ଉତ୍ପାଦକ ସଂଗଠନ (କୋରାପୁଟ) ଏବଂ ଲୋଇସିଂହା ମହିଳା – କୃଷକ ଉତ୍ପାଦକ ସଂଗଠନ (ବଲାଙ୍ଗିର) ଭଳି ପ୍ରମୁଖ ଶିଳ୍ପ କ୍ରେତା ଏବଂ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦକ ସଂଗଠନଗୁଡ଼ିକ ସାମିଲ ଅଛନ୍ତି। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ୍ ରାମଚନ୍ଦ୍ର ଜାଧବ, ଓ.ୟୁ.ଏ.ଟି.ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଇଣ୍ଡିଆନ୍ ରାଇସ୍ ଏକ୍ସପୋର୍ଟ ଫେଡେରେସନ୍ର ମହାନିର୍ଦ୍ଦେଶକ ମହମ୍ମଦ ସୁଲତାନ୍, ମାଡାଗାସ୍କାର ଦୂତାବାସର ପ୍ରତିନିଧି ଏବଂ ବାଣିଜ୍ୟିକ ଆମଦାନୀକାରୀମାନେ ଯୋଗଦେଇ ଯୋଗାଣ ଶୃଙ୍ଖଳା ସଂଯୋଜନା, ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ବଜାର ସମ୍ପ୍ରସାରଣ ଉପରେ ଆଲୋଚନା କରିଥିଲେ। ଏହା ଓଡ଼ିଶାରେ ସ୍ଥାୟୀ ଗ୍ରାମୀଣ ସମୃଦ୍ଧି ସହିତ ଗ୍ରାହକଙ୍କ ନିକଟରେ ପୋଷଣ ପହଞ୍ଚାଇବା ପାଇଁ ଏକ ମିଳିତ ମାର୍ଗ ଚିହ୍ନଟ କରିଛି।


