ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ପଞ୍ଚାୟତ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗ୍ରାମ ପଣସସାହିରେ ବିଦ୍ୟୁତ୍ ଆଘାତରେ କୃଷ୍ଣ ଡାକୁଆ (୪୨) ଙ୍କ ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ୮ଟା ସମୟରେ ସେ ଘରର ବିଦ୍ୟୁତ୍ ସଜାଡ଼ୁଥିବା ବେଳେ ଅସାବଧାନତାବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ।ପରିବାର ଲୋକ ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବେଲଗୁଣ୍ଠା ପୁଲିସ ଭଞ୍ଜନଗର ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
କୃଷ୍ଣ ଜଣେ ଦିନମଜୁରିଆ ହୋଇଥିବା ବେଳେ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ତାଙ୍କ ମୃତ୍ୟୁରେ ସ୍ତ୍ରୀ ଓ ଦୁଇ ଛୋଟ ଛୁଆଙ୍କୁ ନେଇ ପରିବାର ଅସହାୟ ହୋଇପଡ଼ିଛି। ଏହି ଦୁଃଖଦ ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅସହାୟ ପରିବାରକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


