ଭୁବନେଶ୍ୱର: ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ ବା ଏସ୍ଇବିସି ଲୋକଙ୍କ ସଂଖ୍ୟା, ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହିସବୁ ସଂସ୍ଥାରେ ସେମାନେ ରାଜନୈତିକ ଭାବେ କେତେ ପଛୁଆ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ଏକ କମିଶନ।
ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଏହି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏଥିସହିତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଜୟ କୁମାର ପୃଷ୍ଟି ଏହି କମିଶନର ସଦସ୍ୟ ଭାବେ କାର୍ଯ୍ୟ କରିବେ। ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ର କମିଶନର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। କମିଶନ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଥିବା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ ସମୁଦାୟ ଲୋକସଂଖ୍ୟା ତୁଳନାରେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟାର ଅନୁପାତ ସମ୍ପର୍କରେ ଅନୁଧ୍ୟାନ କରିବ। ଏହା ସହିତ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହି ତୁଳନାରେ ସେମାନେ ରାଜନୈତିକ ଦୃଷ୍ଟିକୋଣରୁ କେତେ ପଛୁଆ ଅଛନ୍ତି, ତା’ର ସ୍ୱରୂପ ଓ ତାହାର ପ୍ରଭାବ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ। ଏହାଦ୍ୱାରା ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଜନସାଧାରଣଙ୍କର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ ଉପଯୁକ୍ତ ପ୍ରତିନିଧିତ୍ୱ ଓ ସେମାନଙ୍କ ଅଧିକାର ସମ୍ପର୍କରେ ଉପଯୁକ୍ତ ବ୍ୟବସ୍ଥା କରାଯାଇପାରିବ।


