ନୂଆଦିଲ୍ଲୀ: କାନାଡ଼ାର କବି ତଥା ଲେଖକ ଆନ୍ନେ କାର୍ସନଙ୍କୁ ମିଳିବ ନୋବେଲ ପୁରସ୍କାର। ୨୦୨୬ ବର୍ଷ ପାଇଁ କାର୍ସନଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରାଚୀନ ପରମ୍ପରା ସହ ସୃଜନଶୀଳ ସଂଳାପ ମାଧ୍ୟମରେ ସମକାଳୀନ ସାହିତ୍ୟକୁ ନୂଆ ରୂପରେ ସୃଷ୍ଟି କରିଥିବା ତାଙ୍କର ସାହସୀ ଓ ଅଭିନବ ସାହିତ୍ୟକୃତି ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ୧୯୫୦ ମସିହାରେ ଟୋରଣ୍ଟୋରେ ଜନ୍ମ ନେଇଥିବା କାର୍ସନ ପ୍ରାଚୀନ ଗ୍ରୀକ୍ ଭାଷା ଅଧ୍ୟୟନ କରିଛନ୍ତି। ପରେ ସେ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟରୁ ପ୍ରାଚୀନ ସାହିତ୍ୟ ଅଧ୍ୟୟନରେ ପିଏଚ୍ଡି ହାସଲ କରିଥିଲେ। କବି,ପ୍ରବନ୍ଧକାର, ଅନୁବାଦିକା ଓ ଗବେଷକ ଭାବେ ସେ କାମ କରି ଅନେକ ସଫଳତା ସାଉଁଟିଛନ୍ତି। ତାଙ୍କ ଲେଖାରେ ପ୍ରାଚୀନ ଗ୍ରୀସ ସାହିତ୍ୟ ଓ ପୁରାଣର ଗଭୀର ପ୍ରଭାବ ଦେଖିବାକୁ ମିଳିଥାଏ। କାର୍ସନଙ୍କ ସବୁଠାରୁ ପରିଚିତ ଲେଖା ମଧ୍ୟରୁ ଗୋଟିଏ ହେଉଛି ୧୯୯୮ରେ ପ୍ରକାଶିତ ‘ଅଟୋବାୟୋଗ୍ରାଫି ଅଫ ରେଡ୍’।
ଏହା ଏକ କବିତା ଆକାରର ଉପନ୍ୟାସ। ପ୍ରାଚୀନ ଗ୍ରୀକ୍ ପୁରାଣର ଲାଲ ପକ୍ଷଯୁକ୍ତ ରାକ୍ଷସ ଗେରିଅନ କାହାଣୀରୁ ପ୍ରୋତ୍ସାହିତ ହୋଇ ସେ ଏହାକୁ ନିଜ ଶୈଳୀରେ ଅଧିକ ଆକର୍ଷଣୀୟ ଢଙ୍ଗରେ ଲେଖିଥିଲେ। କାର୍ସନ ଏହି ପୁରାଣକୁ ଏକ ନୂଆ ରୂପ ଦେଇଥିଲେ। ତାଙ୍କ କାହାଣୀରେ ଗେରିଅନ ଜଣେ ସମ୍ବେଦନଶୀଳ କିଶୋର ଭାବେ ସାମ୍ନାକୁ ଆସିଥିଲେ। ପ୍ରାଚୀନ ସାହିତ୍ୟ ଓ ପୁରାଣର ବିଷୟବସ୍ତୁକୁ ଆଧୁନିକ ଅନୁଭୂତି ସହ କେମିତି ଯୋଡ଼ାଯାଇପାରେ ଅଟୋବାୟୋଗ୍ରାଫି ଅଫ ରେଡ୍ ତା’ର ଜ୍ୱଳନ୍ତ ଉଦାହରଣ। ସେ ଇଲେକ୍ଟ୍ରା ଓ କବି ସାଫୋଙ୍କ ବିଭିନ୍ନ କବିତାର ମଧ୍ୟ ଅନୁବାଦ କରିଛନ୍ତି। ଏହି ଅନୁବାଦ ଜରିଆରେ ସେ ପ୍ରାଚୀନ ସାହିତ୍ୟ ଉପରେ ରଖିଥିବା ଗଭୀର ଜ୍ଞାନକୁ ପ୍ରଦର୍ଶିତ କରିଛନ୍ତି। ୨୦୨୬ର ନୋବେଲ ସାହିତ୍ୟ ପୁରସ୍କାର ଦୌଡ଼ରେ କାର୍ସନଙ୍କୁ ଆରମ୍ଭରୁ ଜଣେ ପ୍ରମୁଖ ଦାବିଦାର ଭାବେ ଦେଖାଯାଉଥିଲା। ଲାଡ୍ବ୍ରୋକ୍ସର ତାଲିକାରେ ସେ ଚାଇନାର ଲେଖିକା କାନ୍ ଶୁଏଙ୍କୁ ଜୋରଦାର ଟକ୍କର ଦେଇଥିଲେ। କାର୍ସନଙ୍କୁ ନୋବେଲ ପୁରସ୍କାର ମିଳିବା କେବଳ ତାଙ୍କ କବିତା ପାଇଁ ସ୍ୱୀକୃତି ନୁହେଁ। ବରଂ ଏହା ତାଙ୍କର ଦଶନ୍ଧି ଧରି ଚାଲିଥିବା ଏକ ବ୍ୟାପକ ସାହିତ୍ୟିକ ଯାତ୍ରାକୁ ସମ୍ମାନ। କବିତା, ଗଦ୍ୟ, ପୁରାଣ, ଅନୁବାଦ ଓ ଗବେଷଣାକୁ ଏକାଠି କରି ସେ ସମକାଳୀନ ସାହିତ୍ୟରେ ଏକ ନିଆରା ଓ ଅଭିନବ ଶୈଳୀ ସୃଷ୍ଟି କରିଛନ୍ତି।


