ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ନୋଏଡ଼ା (ଜେୱାର୍) ଠାରେ ନିର୍ମାଣାଧୀନ ମେଗା ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରାଯାଇଛି। ଏହି ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର, ନୋଏଡ଼ା-ଜେୱାର୍’ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ତର ପ୍ରଦେଶ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବକୁ ଆଧିକାରିକ ମଞ୍ଜୁରୀ ପ୍ରଦାନ କରାଯାଇଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସରକାରୀ ମୁଖ୍ୟ (୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାରରୁ ଆରମ୍ଭ କରି) ଭାବେ ୨୫ ବର୍ଷର ନିରବଚ୍ଛେଦ ଜନସେବା ଓ ରାଷ୍ଟ୍ର ନିର୍ମାଣ ଯାତ୍ରାକୁ ସମ୍ମାନ ଜଣାଇ ଏହି ନାମକରଣ କରାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋଦୀ ସରକାରଙ୍କ ଅଧୀନରେ ଉତ୍ତର ପ୍ରଦେଶର କାୟାକଳ୍ପ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ୨୦୧୭ ପୂର୍ବରୁ ରାଜ୍ୟରେ ପ୍ରଶାସନିକ ଶିଥିଳତା, ଅସୁରକ୍ଷା ଓ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଇନ ଶୃଙ୍ଖଳା ସୁଦୃଢ଼ ହେବା ସହ ନିବେଶକୂଳ ପରିବେଶ ସୃଷ୍ଟି ହୋଇଛି। ପ୍ରାୟ ୬୦ ହଜାର କୋଟି ଟଙ୍କା ବିନିଯୋଗରେ ୨,୪୮୩ କିଲୋମିଟର ଦୀର୍ଘ ୪୨ଟି ଜାତୀୟ ରାଜପଥ ନିର୍ମାଣ, ରେଳ ଲାଇନ୍ର ସମ୍ପ୍ରସାରଣ ଏବଂ କୃଷି ଓ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିଥିଲେ। ଚାରୋଟି ପର୍ଯଯାୟରେ ନିର୍ମାଣ କରାଯାଉଥିବା ଏହି ବିମାନବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏସିଆର ସର୍ବବୃହତ ଏବଂ ବିଶ୍ୱର ଚତୁର୍ଥ ସର୍ବବୃହତ ବିମାନବନ୍ଦର ଭାବେ ପରିଗଣିତ ହେବ।


