ବାଣପୁର: ଚଳିତ ବର୍ଷ ମା’ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବର ସନ୍ଧିକ୍ଷଣ ଉତ୍ସବ ପ୍ରସିଦ୍ଧ ଭେଟଯାତ୍ରା ଅମାବାସ୍ୟାର ଅମୃତ ବେଳାରେ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି। ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମରେ ଘଣ୍ଟାଘଣ୍ଟ ଶଙ୍ଖ କାହାଳୀ ଢୋଲ ବାଦ୍ୟ ବାଣ ରୋଶଣୀ, ହୁଳହୁଳି ସହିତ ଦୁଇମା’ଙ୍କ ଜୟ ଜୟକାର ଧ୍ଵନୀରେ ବାଣପୁର ବଡ଼ଦାଣ୍ଡରେ ଦୁଇ ମହାଶକ୍ତି ମା’ ଭଗବତୀ କାଠି ଠାକୁରାଣୀ ଏବଂ ମା ବିରଜାଇ କାଠି ଠାକୁରାଣୀଙ୍କ ଅପୂର୍ବ ମିଳନ ଦୃଶ୍ୟ ଶ୍ରଦ୍ଧାଳୁଙ୍କ ମନହୃଦୟରେ ଅସୀମ ଭକ୍ତି ଭାବନା ସୃଷ୍ଟି କରିଥିଲା।
ଦେବୋତ୍ତର କାର୍ଯ୍ୟାଳୟର ଅନୁରୋଧକ୍ରମେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବାଣପୁର ମଣ୍ଡଳ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁନାୟକଙ୍କ ଉପସ୍ଥିତିରେ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟକୁମାର ପଟ୍ଟନାୟକ, ସ୍ଥାନୀୟ ଥାନା ଅଧିକାରୀ ଜୟ ପ୍ରକାଶ ପରୀଡ଼ାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏବଂ ମନ୍ଦିର ଛତିଶା ନିଯୋଗ, ଗହଣସେବାୟତ, କାର୍ଯ୍ୟାଳୟର କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗରେ ଏହି ପ୍ରସିଦ୍ଧ ଭେଟଯାତ୍ରା ଶୃଙ୍ଖଳାର ସହିତ ଶେଷ ହୋଇଛି। ଷଷ୍ଠି ଓଷାଠାରୁ ଆରମ୍ଭ ମା’ ଭଗବତୀଙ୍କ ପୀଠ ଶାରଦୀୟ ପର୍ବର ପ୍ରଥମାର୍ଦ୍ଧ ଭିତର ପର୍ବ ମନ୍ଦିର ବେଢ଼ା ପର୍ବଗୃହରେ ସାରି ମା’ ଅମାବାସ୍ୟାରେ ପଶ୍ଚିମ ଦିଗ ରକ୍ଷାକାରୀଣି ନିଳାଦ୍ରୀ ପ୍ରସାଦମାଳ ଅଞ୍ଚଳର ବଙ୍କାଡ଼ ପାହାଡ଼ରେ ପୂଜା ପାଉଥିବା ପ୍ରସିଦ୍ଧ ଉଡ଼୍ଡିୟାନ ତନ୍ତ୍ରପୀଠର ଆରାଧ୍ୟାଦେବୀ ମା’ ବିରଜାଇଙ୍କୁ ପର୍ବ ନିମନ୍ତ୍ରଣ ପରେ ବାଣପୁର ବଡ଼ଦାଣ୍ଡରେ ଭେଟ ହୋଇ ଉଭୟେ ପର୍ବର ଦ୍ଵିତୀୟାର୍ଦ୍ଧ ମନ୍ଦିର ବାହାରେ ନିର୍ମିତ ଶାରଦୀୟ ବାହାରପର୍ବ ପାଳନ ନିମନ୍ତେ ସାତବଖରା ଗୃହକୁ ବିଜେ କରି ଥିଲେ।ସେଠାରେ ପୂର୍ବରୁ ନିମନ୍ତ୍ରିତ ମା’ ଶିଦ୍ଧେଶ୍ୱରୀ, ମା’ନାରାୟଣୀ ମା’ କାଳିଜାଇଙ୍କ ସହିତ ରାଜାଙ୍କ ଗଡଦେବୀ ମା’କନକଦୁର୍ଗା ଏବଂ ସ୍ଥାନାଧିପତି ମା’ ବୁଢ଼ିଠାକୁରାଣୀଙ୍କ ଆଜ୍ଞାମାଳ କୁଏକତ୍ର ସ୍ଥାନୀତ କରି ପର୍ବ ପାଳନ କରିବା ଏହି ପୀଠର ଏକ ପ୍ରାଚୀନ ପରମ୍ପରା।
ବାଣପୁରରେ ଏହି ଯାତ୍ରା ଉତ୍ସବକୁ ରାଜରାଜୁଡ଼ାଙ୍କ ଶାସନ ଅମଳରୁ ଭେଟଯାତ୍ରା ଭାବରେ ନାମକରଣ କରାଯାଇଛି। ପର୍ବରେ ସର୍ବଶକ୍ତିମୟୀ ଦୁଇମା ରାଜରାଜେଶ୍ୱରୀ ଭଗବତୀ, ଏବଂ ପରମେଶ୍ଵରୀ ବିରଜାଇଙ୍କ ମହାମିଳନ ଦୃଶ୍ୟକୁ ଦର୍ଶନ କରି ଦୁଇ ମା’ଙ୍କ କରୁଣା ଲାଭ କରିବାପାଇଁ ଅଗଣିତ ମାନସିକଧାରୀ ଶ୍ରଦ୍ଧାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ବାଣପୁର ବଡ଼ଦାଣ୍ଡରେ ଉପନୀତ ହୋଇଥିଲେ। ଜନସମୁଦ୍ର ଭିତରେ ଅମାବାସ୍ୟାର ନିର୍ଦ୍ଧାରୀତ ଅମୃତ ବେଳାରେ ଦୁଇ ପରାଶକ୍ତିର ମହାମିଳନ ଅତୀବ ଆଧ୍ୟାତ୍ମିକ ମୟ ପରିବେଶ ସୃଷ୍ଟି କରିଥିଲା.
ଶାରଦୀୟ ପର୍ବକାଳରେ, ଏହି ଦୁଇମାତୃ ଶକ୍ତିଙ୍କ ମହାମିଳନ ଦୃଶ୍ୟ ଦର୍ଶନ କଲେ ସମସ୍ଥମାନସିକ ପୂର୍ଣ୍ଣ ହୁଏ ବୋଲି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଦୃଢ ବିଶ୍ୱାସ ରହିଛି। ମା’କୃପାମୟୀ ଶ୍ରଦ୍ଧାଳୁଙ୍କ ମନବାଞ୍ଛା ପୂର୍ଣ୍ଣ କରି ସମସ୍ଥ ବିପଦ ଆପଦରୁ ରକ୍ଷା କରିବା ସହିତ ସକଳ ରିଷ୍ଟ ଖଣ୍ଡନ କରିଥିବାର ଅତୁଟ ଆସ୍ଥା ବିଶ୍ୱାସ ଅଛି। ଶାରଦୀୟ ପର୍ବ ସମୟରେ ସାତବଖରା ପର୍ବଗୃହରେ ମହାଶକ୍ତିମୟୀ ସପ୍ତମାତାଙ୍କୁ ଏକ ତ୍ର ଦର୍ଶନ ପୂର୍ବକ ନିଜନିଜର ସକଳରିଷ୍ଟ ଖଣ୍ଡ ନ ସହିତ ମା’ଙ୍କ ଅସୀମକରୁଣା ଲାଭ ନିମନ୍ତେ ଶ୍ରଦ୍ଧାଳୁମାନେ ମାନସିକଦୀପ ବସାଇବାର ପରମ୍ପରା କାହିଁ କେଉଁ କାଳରୁଚଳିଆସିଛି।
ଏହି ବାହାର ପର୍ବ ବିଜୟାଦଶମୀ ଦଶହରା ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ମନ୍ଦିର ନିକଟସ୍ଥ ସାତବଖରା ପର୍ବଘରେ ଅନୁଷ୍ଠିତ ହେବ। ଆଜିଠାରୁ ମହାନବମୀ ପର୍ଯ୍ୟନ୍ତ ପ୍ରତିସାନ୍ଧ୍ୟ କାଳରେ ଦକ୍ଷେଶ୍ଵର ମନ୍ଦିର ନିକଟ ଶାରଦୀୟ ଉତ୍ସବ ମଞ୍ଚରେ ଭଜନ କୀର୍ତ୍ତନ, ପାଲା, ନୃତ୍ୟ ସଂଗୀତ ପରି ବହୁସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବା କଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।


