ଭୁବନେଶ୍ୱର: ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ଆଜି ‘ଫନ୍ ଉଇଥ୍ ଫିଲାଟେଲି’ ଦିବସ ପାଳିତ ହୋଇଛି। ଏହି ଅବସରରେ ଓଡ଼ିଶା ଡାକ ସର୍କଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଡାକ ଟିକଟ ସଂଗ୍ରହ ସମ୍ବନ୍ଧୀୟ ପ୍ରଦର୍ଶନୀ, କର୍ମଶାଳା, କୁଇଜ୍, ସେମିନାର ଓ ପତ୍ର ଲେଖନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଡାକ ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା।
ଏହି ଅବସରରେ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ନିର୍ମଳଜିତ୍ ସିଂହ ଜାତୀୟ ଫିଲାଟେଲି ଦିବସ ଉପଲକ୍ଷେ ଏକ ଚିତ୍ରିତ ପୋଷ୍ଟକାର୍ଡ (PPC), ‘ଭାରତର କଣ୍ଢେଇ ନାଚ’ ବିଷୟ ଉପରେ ଆଧାରିତ ୧୦ଟି ବୁକ୍ମାର୍କର ସେଟ୍ ଏବଂ ଓଡ଼ିଶାର ପର୍ଯ୍ୟଟନ ଓ ସାଂସ୍କୃତିକ ସ୍ଥଳୀକୁ ନେଇ ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ଡାକ ମୋହର (Permanent Pictorial Cancellation) ଉନ୍ମୋଚନ କରିଥିଲେ। ଏହି ଡାକ ମୋହରଗୁଡ଼ିକରେ ଖୋର୍ଦ୍ଧା ଜିଲ୍ଲାର ରାଜାରାଣୀ ମନ୍ଦିର, ଚନ୍ଦକା ହାତୀ ଅଭୟାରଣ୍ୟ, ମୁକ୍ତେଶ୍ୱର ମନ୍ଦିର ଓ ଧଉଳି ଶାନ୍ତିସ୍ତୂପ ଏବଂ କଟକ ଜିଲ୍ଲାର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ସ୍ୱରାଜ ଆଶ୍ରମ, କଟକ ଚଣ୍ଡୀ ମନ୍ଦିର, ରୂପା ତାରକସି କାମ, ବାରବାଟୀ ଦୁର୍ଗ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସ୍ଥାନ ପାଇଛି। ସମାରୋହରେ ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ଏ. କୋରଗପ୍ପାଙ୍କ ସମେତ ବରିଷ୍ଠ ଡାକ ଅଧିକାରୀ ଓ ଡାକ ଟିକଟ ସଂଗ୍ରାହକମାନେ ଉପସ୍ଥିତ ଥିଲେ।ଓଡ଼ିଶା ଡାକ ସର୍କଲ ପ୍ରଥମଥର ପାଇଁ ଏକକାଳୀନ ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ମୋହର ଉନ୍ମୋଚନ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।
ଏହି ମୋହରଗୁଡ଼ିକର ଛାପ ସମ୍ପୃକ୍ତ ପର୍ଯ୍ୟଟନସ୍ଥଳୀ ନିକଟସ୍ଥ ନିର୍ଦ୍ଦିଷ୍ଟ ଡାକଘରଗୁଡ଼ିକରେ ଉପଲବ୍ଧ ହେବ। ଫିଲାଟେଲିଷ୍ଟ, ପର୍ଯ୍ୟଟକ ଓ ସାଧାରଣ ଜନତା ସେଠାରୁ ଏହି ବିଶେଷ ମୋହର ସଂଗ୍ରହ କରିପାରିବେ।ଏହି ପଦକ୍ଷେପର ଉଦ୍ଦେଶ୍ୟ କେବଳ ନୂଆ ଫିଲାଟେଲି ସାମଗ୍ରୀ ପ୍ରଚଳନ ନୁହେଁ, ବରଂ ଡାକ ଟିକଟ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ବୋଲି ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ କହିଥିଲେ। ବୁକ୍ମାର୍କ ଓ ଚିତ୍ରିତ ପୋଷ୍ଟକାର୍ଡ ଭୁବନେଶ୍ୱର, କଟକ ଓ ସମ୍ବଲପୁରର ଫିଲାଟେଲିକ୍ ବ୍ୟୁରୋରେ ଉପଲବ୍ଧ ରହିଛି।
ସମାରୋହରେ ସହକାରୀ ନିର୍ଦ୍ଦେଶକ (ଫିଲାଟେଲି) ମଧୁସ୍ମିତା ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ନିର୍ଦ୍ଦେଶକ (କର୍ମଚାରୀ) ଗଜେନ୍ଦ୍ର ପ୍ରସାଦ କର ଧନ୍ୟବାଦ ଅର୍ପଣ କରିଥିଲେ।


