ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଗାମୀ ଡିସେମ୍ବର ୧୩ ତାରିଖରେ ଦିଲ୍ଲୀରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଷ୍ଟାଡିୟମ୍ର ନିର୍ମାଣ କାର୍ଯ୍ୟକୁ ନେଇ କିଛି ଭେନ୍ୟୁ ବଦଳିବା ନେଇ ଚର୍ଚ୍ଚା ହେଉଥିବାବେଳେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ବୋର୍ଡ ସ୍ପଷ୍ଟ କରିଛି ଯେ ନିର୍ଦ୍ଧାରିତ କାର୍ଯ୍ୟୂଚୀ ଅନୁଯାୟୀ ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ହିଁ ଅନୁଷ୍ଠିତ ହେବ।
ବୋର୍ଡ ସମ୍ପାଦକ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ମ୍ୟାଚ୍କୁ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତରିତ କରିବାର କୌଣସି ନିଷ୍ପତ୍ତି ହୋଇନାହିଁ। ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ଭେନ୍ୟୁର ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠିଥିବାରୁ ମ୍ୟାଚ୍ ଅହମଦାବାଦରେ କରାଯିବାର କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ସାଇକିଆ ସୋମବାର କହିଛନ୍ତି, ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବିସିସିଆଇ ଦ୍ୱିପାକ୍ଷିକ ସିରିଜ୍ର ମ୍ୟାଚ୍ ଭେନ୍ୟୁ ସ୍ଥିର କରିବା ପାଇଁ ନିଜର ମାନକ ନୀତିର ପାଳନ କରିଥାଏ।
ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ଆଶଙ୍କା କରାଯାଇଥିଲା ଯେ ଡିସେମ୍ବର ୧୩ରେ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ୍ର ଆୟୋଜନ ପାଇଁ ଷ୍ଟାଡିୟମ୍ ସମୟ ପୂର୍ବରୁ ପ୍ରସ୍ତୁତ ହେବ କି ନାହିଁ। ଏହି ଆଧାରରେ ରିପୋର୍ଟରେ ଦାବି କରାଯାଇଛି ଯେ ପ୍ରଥମ ଦିନିକିଆ ଅହମଦାବାଦରେ କରାଯାଇପାରେ।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ହ୍ୱାଇଟ୍-ବଲ୍ ସିରିଜ୍ ଡିସେମ୍ବର ୧୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୩ ଦିନିକିଆ ଓ ୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ସାମିଲ। ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ (ଡିସେମ୍ବର ୧୩) ଦିଲ୍ଲୀ, ଦ୍ୱିତୀୟ ମ୍ୟାଚ୍ (ଡିସେମ୍ବର ୧୬) ବେଙ୍ଗାଲୁରୁ ଏବଂ ତୃତୀୟ ମ୍ୟାଚ୍ (ଡିସେମ୍ବର ୧୯) ଅହମଦାବାଦରେ ଖେଳାଯିବା କାର୍ଯକ୍ରମ ରହିଛି।


