ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ କ୍ରିକେଟ୍ ରାଙ୍କିଙ୍ଗ୍ରେ ଭାରତୀୟ ସ୍ପିନର୍ କୁଲଦୀପ ଯାଦବ ବଡ଼ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରି ୭ଟି ୱିକେଟ୍ ଅକ୍ତିଆର କରିଥିବା କୁଲଦୀପ୍ ଗୋଟିଏ ସ୍ଥାନ ଉପରକୁ ଉଠି ଟପ୍-୫ ଦିନିକିଆ ବୋଲର୍ଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ, ଦିନିକିଆ ଟିମ୍ ରାଙ୍କିଙ୍ଗ୍ରେ ପାକିସ୍ତାନ ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।
ବ୍ୟାଟିଂ ରାଙ୍କିଙ୍ଗ୍ରେ ଶୀର୍ଷ-୧୦ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ୮୪୧ ପଏଣ୍ଟ୍ ସହ ଦିନିକିଆ ବ୍ୟାଟିଂର ପ୍ରଥମ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ତୃତୀୟ, ରୋହିତ ଶର୍ମା ଚତୁର୍ଥ ଏବଂ କେ.ଏଲ୍. ରାହୁଲ ୧୦ମ ସ୍ଥାନରେ ଅଛନ୍ତି। ସେହିପରି ଟେଷ୍ଟ୍ ର୍ୟାଙ୍କିଙ୍ଗ୍ରେ ନ୍ୟୁଜିଲାଣ୍ଡର ରଚିନ୍ ରବୀନ୍ଦ୍ର ୫ମ ସ୍ଥାନ ଦଖଲ କରିଥିବାବେଳେ ଭାରତର ଋଷଭ ପନ୍ତ୍ ୭ମ ଏବଂ ଶୁଭମନ ଗିଲ୍ ୯ମ ସ୍ଥାନରେ ରହିଛନ୍ତି।
ବୋଲିଂ ଓ ଅଲ୍ରାଉଣ୍ଡର ବିଭାଗରେ ଆଫଗାନିସ୍ତାନର ରଶିଦ୍ ଖାନ୍ ନିଜର ପ୍ରଭାବ ଜାରି ରଖିଛନ୍ତି। ରଶିଦ୍ ଟ୍ୱେଣ୍ଟି-୨୦ ବୋଲିଂ ଏବଂ ଦିନିକିଆ ଅଲ୍ରାଉଣ୍ଡର ତାଲିକାରେ ମଧ୍ୟ ନିଜ ସ୍ଥିତି ମଜଭୁତ କରିଛନ୍ତି। ଟି-୨୦ ବୋଲର ରାଙ୍କିଙ୍ଗ୍ରେ ଅକ୍ଷର ପଟେଲ୍ ୧୦ମ ସ୍ଥାନରେ ରହି ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି।


