ଭାରତୀୟ ହକି ଦଳ ଆସନ୍ତା ଅଲମ୍ପିକ୍ସରେ ଯୋଗ୍ୟତା ଅର୍ଜନ କରିବ ବୋଲି ପୂର୍ବାନୂମାନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଧନରାଜ ପିଲ୍ଲେ। ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ହକି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ପୁରୁଷ ଏବଂ ମହିଳା ଦଳ ଯୋଗ୍ୟତା ଅର୍ଜନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ପିଲ୍ଲେ। ଏଫଆଇଏଚ୍ ପକ୍ଷରୁ ସ୍ବିଜରଲ୍ୟାଣ୍ଡର ଲାଉସାନେରେ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଭାରତୀୟ ମହିଳା ହକି ଦଳ ଭଲ ପ୍ରଦର୍ଶନ କରୁଛି ଏବଂ ପୁରୁଷ ଦଳ ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ସ୍ପେନ୍ ପରି ହକି ଖେଳୁଛି । ତେଣୁ ଉଭୟ ଦଳ ଯୋଗ୍ୟତା ଅର୍ଜନ କରିବା ନେଇ ଆଶାବାଦୀ ଅଛନ୍ତି ପିଲ୍ଲେ । ୧୯୮୦ ପରଠାରୁ ହକିରେ ଭାରତ କୌଣସି ପଦକ ହାସଲ କରିନାହିଁ ଏବଂ ଚଳିତ ଥର ଭାରତ ଏହି ଧାରାରେ ବ୍ୟତିକ୍ରମ କରିବ ବୋଲି ପିଲ୍ଲେ ଆଶା ପ୍ରକାଶ କରିଛନ୍ତି ।