ସମୀକ୍ଷା ବ୍ୟୁରୋ
ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଗିରଫ ଦାବିରେ ଆଜି ସ୍ଥାନୀୟ ବିଜେପି ତରଫରୁ ବାଣପୁର ଥାନା ଘେରାଉ କରାଯାଇଛି। ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାଚୀରକୁ ଭାଙ୍ଗି ସେଠାରେ ଏକ ମୂର୍ତ୍ତି ସ୍ଥାପନ କରାଯାଇଥିବାରୁ ତାହାକୁ ଦଳ ବିରୋଧ କରୁଛି। ଏହି ନିର୍ମାଣକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର କେତେଜଣ ସଭ୍ୟ କୋର୍ଟର ଆଶ୍ରୟ ନେଇଛନ୍ତି। ଫଳରେ ବାଣପୁର ପ୍ରଶାସନ ତରଫରୁ ସେହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଏପରି ପରସ୍ଥିତିରେ ସେହି ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ କିପରି ନିର୍ବାହୀ ଅଧିକାରୀ ଅନୁମତି ଦେଲେ ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି। ସ୍ବାୟତ୍ତ ଶାସନ ଅବସରରେ ଚିଲିକା ବିଧାୟକ ଏହି ପ୍ରତିମୂର୍ତ୍ତି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ବାଣପୁର ଭାଜପାର ଶହ ଶହ କର୍ମୀ ଥାନା ଘେରାଉ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରାଯାଉ ବୋଲି ଦାବୀ କରିଛନ୍ତି।
ତେବେ ସ୍ଥାନୀୟ ବିଜେଡି ତରଫରୁ ଏପରି ଯୁକ୍ତିକୁ ଖଣ୍ଡନ କରାଯାଇଛି। ସେହି ସ୍ଥାନକୁ ନେଇ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସ୍ଥାନୀୟ ବିଜେଡି କହିଛ। ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିବା ସ୍ଥାନଟି ବହୁ ଦିନରୁ ଅବ୍ୟବହୃତ ହୋଇ ପଡ଼ିଥିବାବେଳେ ପରିବେଶକୁ ଦୁର୍ଗନ୍ଧ କରୁଥିଲା । ବର୍ତ୍ତମାନ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସ୍ଥାନଟିକୁ ଉପଯୋଗୀ କରାଯାଇପାରିଛି ବୋଲି ବିଜେଡି ତରଫରୁ କୁହାଯାଇଛି।
ହେଲେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଗଠନକୁ ନେଇ ଅନେକ ନାପସନ୍ଦ କରିଛନ୍ତ। କାରଣ ପ୍ରତିମୂର୍ତ୍ତିଟି ଯେପରି ଭାବେ ନିର୍ମାଣ କରାଯାଇଛି ତାହା ବିଜୁବାବୁଙ୍କୁ ଅପମାନ ପରି ମନେ ହେଉଛି। ପ୍ରତିମୂର୍ତ୍ତିର ଗଠନ ଠିକ୍ ହୋଇ ନାହିଁ ତାହାକୁ ପରିବର୍ତ୍ତନ କରାଯାଉ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି।