ବାଣପୁର/ବାଲୁଗାଁ: ଚିଲିକା ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବ ଓ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ଆକଳନ ନିମନ୍ତେ ମଙ୍ଗଳବାର ଦିନ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଚ଼ିଲିକା ନିର୍ବାଚନମଣ୍ଡଳୀର ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ଜରୁରୀ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ, ଜନସାଧାରଣଙ୍କ ସୁରକ୍ଷା, ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସହିତ ବିଶେଷ କରି ଚିଲିକା ହ୍ରଦରେ ଡଙ୍ଗା ଚଳାଚଳର ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଗଲା। ବାତ୍ୟା ସମୟରେ ମତ୍ସ୍ୟଜୀବୀ, ଡଙ୍ଗା ଚାଳକ ଓ ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଏବଂ ନିର୍ଦ୍ଦେଶାବଳୀର କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଚି଼ଲିକା ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ ବିଭାଗ) , ଚିଲିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚିଲିକା ଓ ବାଣପୁର ତହସିଲଦାର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ବିଭାଗ ଓ ଅଧିକାରୀମାନେ ସମ୍ପୂର୍ଣ୍ଣ ସଜାଗ ରହିବା ସହ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


