Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଆଇ ଶୀଘ୍ର ଉତ୍ତର ଦେଇପାରେ, କିନ୍ତୁ ସେଗୁଡ଼ିକର ସତ୍ୟତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ: ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଏଆଇ ଶୀଘ୍ର ଉତ୍ତର ଦେଇପାରେ, କିନ୍ତୁ ସେଗୁଡ଼ିକର ସତ୍ୟତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ: ପ୍ରଧାନମନ୍ତ୍ରୀ

October 28, 2026No Comments8 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ଏଆଇ ଶୀଘ୍ର ଉତ୍ତର ଦେଇପାରେ, କିନ୍ତୁ ସେଗୁଡ଼ିକର ସତ୍ୟତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମ୍ମିଳନୀ-୨୦୨୬ର ଉଦ୍‌ଘାଟନ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦିନର ପ୍ରାରମ୍ଭରେ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାମାନଙ୍କ ସହ ହୋଇଥିବା ଉତ୍ସାହପୂର୍ଣ୍ଣ ଆଲୋଚନା ତାଙ୍କୁ ଅତ୍ୟନ୍ତ ଆନନ୍ଦିତ କରିଛି। ଦେଶର ଯୁବପିଢ଼ିଙ୍କ ବ୍ୟାପକ ଦୃଷ୍ଟିକୋଣ ଓ ନିର୍ଭୀକ ନିଷ୍ଠାକୁ ସେ ପ୍ରଶଂସା କରିଥିଲେ। “ଭାରତର ଯୁବପିଢ଼ି ଯେଉଁ ବ୍ୟାପକତାର ସହ ଚିନ୍ତା କରୁଛନ୍ତି ଏବଂ ଯେଉଁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛନ୍ତି, ତାହା ବେଶ୍‌ ଉତ୍ସାହଜନକ” ବୋଲି ଶ୍ରୀ ମୋଦୀ କହିଥିଲେ।

ପୂର୍ବ ସଂସ୍କରଣର ସମ୍ମିଳନୀରେ ନିଜର ଅଂଶଗ୍ରହଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅତୀତର ଅନେକ ଦଶନ୍ଧି ଧରି ଭାରତ ଅନ୍ୟ ଦେଶର ନୂତନ ଉଦ୍ଭାବନକୁ ଗ୍ରହଣ କରିବା କିମ୍ବା ତାହାର ପରିବର୍ତ୍ତିତ ରୂପ ବ୍ୟବହାର କରି ବହୁ ବର୍ଷ ପରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଏକବିଂଶ ଶତାବ୍ଦୀର ନୂତନ ଭାରତର ଚିନ୍ତାଧାରା ଭିନ୍ନ। ଏବେ ଭାରତ ନିଜସ୍ୱ ପ୍ରଯୁକ୍ତିବିଦ୍ୟା ବିକଶିତ କରିବା, ବିଶ୍ୱସ୍ତରରେ ନୂଆ ଦିଗ ନିର୍ଦ୍ଧାରଣ କରିବା ଏବଂ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ କରିବା ଲକ୍ଷ୍ୟରେ ଆଗକୁ ବଢ଼ୁଛି। ଭାରତ ନିଜସ୍ୱ କୋଭିଡ୍‌-୧୯ ଟିକା ବିକଶିତ କରି ଦେଶବାସୀଙ୍କୁ ଟିକାକରଣ କରିବା ସହ ଅନ୍ୟ ଦେଶକୁ ମଧ୍ୟ ଟିକା ଯୋଗାଇଥିବା ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏଥିସହ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହରେ ପହଞ୍ଚିବା ଏବଂ ଚନ୍ଦ୍ରର ଅନନ୍ୱେଷିତ ଦକ୍ଷିଣ ମେରୁ ଅଞ୍ଚଳରେ ସଫଳତାର ସହ ଅବତରଣ କରିବା ଭାରତର ବୈଜ୍ଞାନିକ ସାମର୍ଥ୍ୟର ଉଦାହରଣ ବୋଲି ସେ ଉଲ୍ଲେଖ କରିଥିଲେ। ଦେଶର ଭବିଷ୍ୟତ ପାଇଁ ଏକ ଦୃଢ଼ ପ୍ରଯୁକ୍ତିବିଦ୍ୟାଗତ ଦୃଷ୍ଟିକୋଣ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, “ଭାରତକୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ସହ ସାହସିକ ଭାବେ ନବସୃଜନ କରିବା ଏବଂ ସେହି ପ୍ରଯୁକ୍ତିବିଦ୍ୟାର ସୃଷ୍ଟି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାକୁ ହେବ।”

ଶୂନ୍ୟର ଉଦ୍ଭାବନ ଏବଂ ସଂଖ୍ୟା ପଦ୍ଧତିଠାରୁ ଆରମ୍ଭ କରି ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟନ୍ତ ଆବିଷ୍କାର କ୍ଷେତ୍ରରେ ଭାରତର ସମୃଦ୍ଧ ଐତିହ୍ୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ଏକ ବର୍ଷ ମଧ୍ୟରେ ହାସଲ କରାଯାଇଥିବା ଅନେକ ଉପଲବ୍ଧି ମାଧ୍ୟମରେ ଦେଶ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ନୂତନ ଆତ୍ମବିଶ୍ୱାସ ସହିତ ଏହି ବୈଜ୍ଞାନିକ ଐତିହ୍ୟକୁ ଆଗକୁ ବଢ଼ାଉଛି। ଅକ୍ଟୋବର ୩୦ ତାରିଖରେ ଦେଶ ଡକ୍ଟର ହୋମି ଜାହାଙ୍ଗୀର ଭାଭାଙ୍କ ଜନ୍ମବାର୍ଷିକୀ ପାଳନ କରିବାକୁ ଯାଉଥିବାରୁ, ପ୍ରଧାନମନ୍ତ୍ରୀ ପରମାଣୁ କ୍ଷେତ୍ର ସହିତ ସାମ୍ପ୍ରତିକ ସଫଳତାର ସମୀକ୍ଷା ଆରମ୍ଭ କରିବାକୁ ବାଛିଥିଲେ। ଶ୍ରୀ ମୋଦୀ କହିଥିଲେ, “ତେଣୁ, ଆସନ୍ତୁ ପରମାଣୁ ଶକ୍ତି କ୍ଷେତ୍ରରୁ ଆରମ୍ଭ କରିବା।”

ଏକ ବିକଶିତ ଭାରତ ଗଠନ ପାଇଁ ବ୍ୟାପକ ପରିମାଣର ପରମାଣୁ ଶକ୍ତି ଉତ୍ପାଦନ କ୍ଷମତା ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମଦାନୀ ହେଉଥିବା ପରମାଣୁ ଇନ୍ଧନ ଉପରେ ନିର୍ଭରଶୀଳତା ଦେଶର ଶକ୍ତି ସୁରକ୍ଷା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ ଭାରତ ନିଜର ଫାଷ୍ଟ ବ୍ରିଡର ରିଆକ୍ଟର  ପ୍ରଯୁକ୍ତିବିଦ୍ୟାର ବିକାଶ ଦିଗରେ ଦ୍ରୁତଗତିରେ ଆଗକୁ ବଢ଼ୁଛି। ସେ ଉଲ୍ଲେଖ କରିଥିଲେ ଯେ, ମାତ୍ର କିଛି ମାସ ପୂର୍ବେ ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୫୦୦ ମେଗାୱାଟ୍‌ କ୍ଷମତାସମ୍ପନ୍ନ ପ୍ରୋଟୋଟାଇପ୍‌ ଫାଷ୍ଟ ବ୍ରିଡର ରିଆକ୍ଟର ସଫଳତାର ସହ ପ୍ରଥମ ଥର ପାଇଁ କ୍ରିଟିକାଲିଟି (ପରମାଣୁ ଶୃଙ୍ଖଳ ପ୍ରତିକ୍ରିୟା ଆରମ୍ଭ ହେବାର ସ୍ଥିତି) ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, “ପରମାଣୁ ଶକ୍ତି କ୍ଷେତ୍ରରେ ଆମର ଦୀର୍ଘକାଳୀନ ସାମର୍ଥ୍ୟକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ।”

ଭାରତର ଲକ୍ଷ୍ୟ କେବଳ ଦେଶର ଶକ୍ତି ସୁରକ୍ଷା ଓ ପ୍ରଯୁକ୍ତିଗତ ଆତ୍ମନିର୍ଭରଶୀଳତା ମଧ୍ୟରେ ସୀମିତ ନୁହେଁ, ବରଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ଉପସ୍ଥିତି ଓ ସାମର୍ଥ୍ୟକୁ ବିସ୍ତାର କରିବା ମଧ୍ୟ ଏହାର ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚଳିତ ବର୍ଷ ମହାକାଶ କ୍ଷେତ୍ରରେ ଭାରତ ହାସଲ କରିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ବିଷୟରେ ସେ ଉଲ୍ଲେଖ କରିଥିଲେ। ଏଥିମଧ୍ୟରେ ଏକ ଭାରତୀୟ ମହାକାଶ ଷ୍ଟାର୍ଟଅପ୍‌ ସ୍ୱଦେଶୀ ରକେଟ୍‌ ବ୍ୟବହାର କରି ପ୍ରଥମ ପ୍ରୟାସରେ ଏକ ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରିବା ଏବଂ ଭାରତ ଉପଗ୍ରହ ଡକିଂ ପ୍ରଯୁକ୍ତିବିଦ୍ୟାରେ ସଫଳତା ହାସଲ କରିବା ଅନ୍ୟତମ। ଏଥିସହ ଦେଶର ଅନେକ ଷ୍ଟାର୍ଟଅପ୍‌ ମହାକାଶ ବିଜ୍ଞାନ କ୍ଷେତ୍ରରେ ନୂତନ ଓ ଅଭିନବ ସମାଧାନ ଉପସ୍ଥାପନ କରୁଥିବା ବେଳେ ଯୁବ ବୈଜ୍ଞାନିକ ଓ ଉଦ୍ୟୋଗୀମାନଙ୍କ ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଉଛି ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ, “ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ସାମର୍ଥ୍ୟକୁ ବିସ୍ତାର କରିବା ମଧ୍ୟ ଆମର ଲକ୍ଷ୍ୟ।”

ଭାରତର ବିଭିନ୍ନ କ୍ଷେତ୍ରରେ ହାସଲ କରାଯାଉଥିବା ସଫଳତାର ବ୍ୟାପକତାକୁ ଅଭୂତପୂର୍ବ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆୟୋଜନ କରିଛି, ନିଜସ୍ୱ ଏଆଇ ମଡେଲ୍‌ ଉନ୍ମୋଚନ କରିଛି ଏବଂ ଭାରତରେ ନିର୍ମିତ ସେମିକଣ୍ଡକ୍ଟର ଚିପ୍‌ ବିଶ୍ୱ ବଜାରକୁ ପଠାଇବା କରିବା ଆରମ୍ଭ କରିଛି। ଏଥିସହ ଦେଶରେ ଉପଲବ୍ଧ କଞ୍ଚାମାଲ ଉପରେ ଆଧାରିତ ବ୍ୟାଟେରୀ ଶକ୍ତି ସଂରକ୍ଷଣ କ୍ଷମତା ବିକଶିତ କରିବା ଦିଗରେ ମଧ୍ୟ ଭାରତ ସକ୍ରିୟ ଭାବେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, “ଭାରତ ଯେଉଁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରୁଛି, ତାହା ଅଭୂତପୂର୍ବ।”

ପରମାଣୁ ଶକ୍ତି ଓ ମହାକାଶଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ, ଏହି ସବୁ କ୍ଷେତ୍ରରେ ଭାରତର ସଫଳତା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶର ବର୍ଦ୍ଧିତ ସାମର୍ଥ୍ୟ ଓ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ସେ ବୃହତ୍‌ ପରିମାଣରେ ସମାଧାନ ଯୋଗାଇବାରେ ଭାରତର ଅନନ୍ୟ ଦକ୍ଷତା ବା ‘ସଲ୍ୟୁସନ୍‌ ଆଟ୍‌ ସ୍କେଲ୍‌’ ଉପରେ ଗୁରୁତ୍ୱ ଦେଇଥିଲେ। ଦେଶରେ ହେଉଥିବା ନୂତନ ଉଦ୍ଭାବନ ଯେପରି ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ କରିପାରିବ, ସେଥିପାଇଁ ଭାରତ ପ୍ରୟାସ ଜାରି ରଖିଛି। ଡିଜିଟାଲ୍‌ ଷ୍ଟାକ୍‌ ଏବଂ ସ୍ୱଦେଶୀ ୫ଜି ପ୍ରଯୁକ୍ତିର ସଫଳତାକୁ ଉଦାହରଣ ଭାବେ ଉଲ୍ଲେଖ କରି ସେ ସୁରକ୍ଷିତ ଏବଂ ବ୍ୟାପକ ଜନସଂଖ୍ୟା ପାଇଁ ଉପଯୋଗୀ ଡିଜିଟାଲ୍‌ ପ୍ଲାଟଫର୍ମ ନିର୍ମାଣ ଦିଗରେ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ।

ଶ୍ରୀ ମୋଦୀ କହିଥିଲେ, “ବହୁ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚିପାରୁଥିବା ସୁରକ୍ଷିତ ସମାଧାନ ବିକଶିତ କରିବା ଦିଗରେ ଭାରତ ଆଗକୁ ବଢ଼ୁଛି।” ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଅତୀତରେ ଅସ୍ତ୍ର ଭାବେ ଦେଖିବାର ପ୍ରବୃତ୍ତି ସହିତ ଭାରତର ମାନବସେବାକେନ୍ଦ୍ରିକ ଦୃଷ୍ଟିକୋଣର ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଜ୍ଞାନର ପ୍ରକୃତ ସଫଳତା ସେତେବେଳେ ମିଳେ, ଯେତେବେଳେ ଏହା ପରୀକ୍ଷାଗାରର ସୀମା ଅତିକ୍ରମ କରି ସାଧାରଣ ଲୋକଙ୍କ ଜୀବନକୁ ଉନ୍ନତ କରେ, ବୃହତ୍‌ ସମସ୍ୟାର ସମାଧାନ କରେ ଏବଂ ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା, ନିଯୁକ୍ତି ଓ ବିପର୍ଯ୍ୟୟ ମୁକାବିଲା କ୍ଷମତାକୁ ସୁଦୃଢ଼ କରେ। ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକ ଏହି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ମସ୍ତିଷ୍କର କାର୍ଯ୍ୟକଳାପ ବୁଝିବା ପାଇଁ ପିନ୍ଧିବାଯୋଗ୍ୟ ଇଇଜି (EEG) ପ୍ରଯୁକ୍ତି, ସ୍ୱଦେଶୀ ବେତାର ଓ ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥା, ସ୍ୱତନ୍ତ୍ର ପୁଷ୍ଟିକର ଉତ୍ପାଦ, ନୂତନ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟା ଏବଂ ଇସ୍ପାତ ଶିଳ୍ପରୁ ଉତ୍ପନ୍ନ ସ୍ଲାଗ୍‌ ଭଳି ବର୍ଜ୍ୟବସ୍ତୁର ଉପଯୋଗ ପାଇଁ ସମାଧାନ ବିକଶିତ କରୁଥିବା ଷ୍ଟାର୍ଟଅପ୍‌ ଓ ଘରୋଇ କମ୍ପାନୀଗୁଡ଼ିକର କାର୍ଯ୍ୟକୁ ସେ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, “ବିଜ୍ଞାନର ପ୍ରକୃତ ସଫଳତା ସେତେବେଳେ ମିଳେ, ଯେତେବେଳେ ଏହା ପରୀକ୍ଷାଗାରରୁ ବାହାରି ଆସି ସାଧାରଣ ନାଗରିକଙ୍କ ଜୀବନକୁ ଉନ୍ନତ କରେ।”

ଚେନ୍ନାଇସ୍ଥିତ ଆଇଆଇଟି ମାଡ୍ରାସ୍‌ରେ ନିଜର ସାମ୍ପ୍ରତିକ ଅନୁଭୂତି ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଏକ ଅତ୍ୟାଧୁନିକ ବ୍ରେନ୍‌ ସେଣ୍ଟରର ଉଦ୍‌ଘାଟନ କଥା ମନେ ପକାଇଥିଲେ। ଏହି କେନ୍ଦ୍ରରେ ମାନବ ମସ୍ତିଷ୍କର ଉଚ୍ଚ-ରିଜୋଲ୍ୟୁସନ୍‌ ବିଶିଷ୍ଟ ଡିଜିଟାଲ୍‌ ୩ଡି ପ୍ରତିଛବି ପ୍ରସ୍ତୁତ କରିବା ଏବଂ ଜଟିଳ ସ୍ନାୟୁଜନିତ ରୋଗଗୁଡ଼ିକର ରହସ୍ୟ ଉନ୍ମୋଚନ କରିବା ପାଇଁ ଏକ ଅତ୍ୟାଧୁନିକ ମସ୍ତିଷ୍କ ଇମେଜିଂ ପ୍ରଯୁକ୍ତି ପ୍ଲାଟଫର୍ମ ସୃଷ୍ଟି କରାଯାଇଛି। ଏହି ପ୍ଲାଟଫର୍ମ ବିଶ୍ୱସ୍ତରରେ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ‘ସମାଜ ପାଇଁ ବିଜ୍ଞାନ’ ଏବଂ ‘ପରିବର୍ତ୍ତନ ପାଇଁ ପ୍ରଯୁକ୍ତିବିଦ୍ୟା’ ବୈଜ୍ଞାନିକ ପ୍ରଗତିର ସର୍ବୋଚ୍ଚ ମାନଦଣ୍ଡ ହେବା ଆବଶ୍ୟକ। “ଏହି ମାନଦଣ୍ଡରେ ନିଜକୁ ପରୀକ୍ଷଣ କରି ଭାରତ ଆଗକୁ ବଢ଼ୁଛି” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଗୋଟିଏ ଦେଶର ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରିବାର କ୍ଷମତା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଦୃଢ଼ ଗବେଷଣା ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ତାଙ୍କର ‘ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’ ସ୍ଲୋଗାନ୍‌ ପଛରେ ଥିବା ଏହି ଚିନ୍ତାଧାରାକୁ ଉଲ୍ଲେଖ କରି ସେ ଅନୁସନ୍ଧାନ ନ୍ୟାସନାଲ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ର ଦ୍ରୁତ ଅଗ୍ରଗତି ବିଷୟରେ କହିଥିଲେ।  ଗତବର୍ଷ ଏହି ସମ୍ମିଳନୀରେ ଗବେଷଣା, ବିକାଶ ଓ ନବସୃଜନ ପାଇଁ ଏକ ଲକ୍ଷ କୋଟି ଟଙ୍କା ଯୋଗାଇଦେବା ନିମନ୍ତେ ଦିଆଯାଇଥିବା ପ୍ରତିବଦ୍ଧତାକୁ ମଧ୍ୟ ସେ ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବଜାରରେ ବ୍ୟବହାର ପାଇଁ ପ୍ରସ୍ତୁତ ପରୀକ୍ଷାଗାର ପ୍ରଯୁକ୍ତିବିଦ୍ୟାର ବିକାଶ ନିମନ୍ତେ ଗତ ଏକ ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତିବଦ୍ଧ ୧୨,୦୦୦ କୋଟି ଟଙ୍କା ସହିତ ଘରୋଇ ନିବେଶକମାନେ ମଧ୍ୟ ସମପରିମାଣର ଅର୍ଥାତ୍‌ ଆଉ ୧୨,୦୦୦ କୋଟି ଟଙ୍କା ଯୋଗାଇଛନ୍ତି। “ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଗବେଷଣା ଓ ବିକାଶ ପାଇଁ ମୋଟ ୨୪,୦୦୦ କୋଟି ଟଙ୍କାର ଏକ ନୂତନ ପ୍ରତିବଦ୍ଧତା ଗ୍ରହଣ କରାଯାଇଛି” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

ଦେଶର ଘରୋଇ ଗବେଷଣା ବ୍ୟବସ୍ଥାର କ୍ରମାଗତ ସମ୍ପ୍ରସାରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗତ ଏକ ଦଶନ୍ଧି ମଧ୍ୟରେ ବୌଦ୍ଧିକ ସମ୍ପତ୍ତି ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ବିଷୟରେ କହିଥିଲେ। ସେ କହିଥିଲେ ଯେ, ଦଶ ବର୍ଷ ପୂର୍ବେ ଭାରତରେ ବାର୍ଷିକ ପେଟେଣ୍ଟ ଆବେଦନ ସଂଖ୍ୟା ୫୦ ହଜାରରୁ କମ୍‌ ଥିବାବେଳେ, ଗତ ବର୍ଷ ଏହା ପ୍ରାୟ ଦେଢ଼ ଲକ୍ଷରେ ପହଞ୍ଚିଛି। ଏହି ବୃଦ୍ଧି କେବଳ ସଂଖ୍ୟାଗତ ପରିବର୍ତ୍ତନ ନୁହେଁ, ବରଂ ଦେଶର ଗବେଷଣା ଓ ନବସୃଜନ କ୍ଷେତ୍ରରେ ଏକ ଗଭୀର ଏବଂ ମୌଳିକ ପରିବର୍ତ୍ତନର ପ୍ରତିଫଳନ ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଏହା ସେହି ପରିବର୍ତ୍ତନର ସଙ୍କେତ, ଯେଉଁଠାରେ ଗବେଷଣା ଓ ନବସୃଜନ ଭାରତରେ ଏକ ସୁଦୃଢ଼ ସଂସ୍କୃତିରେ ପରିଣତ ହେଉଛି।”

ଏକବିଂଶ ଶତାବ୍ଦୀର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍‌ଥାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଯୁଗରେ ବୈଜ୍ଞାନିକ ବିଚାରଧାରା କିପରି ବିକଶିତ ହେବ, ତାହା ଉପରେ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଛି। ମଞ୍ଚରେ ଉପସ୍ଥିତ ଅଗ୍ରଣୀ ପରୀକ୍ଷାଗାର ବୈଜ୍ଞାନିକ ଓ ନୋବେଲ ପୁରସ୍କାର ବିଜେତାମାନେ ବର୍ଷ ବର୍ଷ ଧରି ଛୋଟ ଛୋଟ ସମସ୍ୟାର ସମାଧାନ, ପରୀକ୍ଷାନିରୀକ୍ଷା, ବିଫଳତାରୁ ଶିକ୍ଷାଲାଭ, ପ୍ରଚଳିତ ଧାରାକୁ ପ୍ରଶ୍ନ କରିବା ଏବଂ ଅନ୍ୟମାନଙ୍କ ଦୃଷ୍ଟିରେ ନପଡ଼ୁଥିବା ସୂକ୍ଷ୍ମ ବିଷୟଗୁଡ଼ିକୁ ଚିହ୍ନଟ କରି ନିଜର ବୈଜ୍ଞାନିକ ଦକ୍ଷତାକୁ ଶାଣିତ କରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଏଆଇ ଦ୍ୱାରା ନିୟମିତ କାର୍ଯ୍ୟଗୁଡ଼ିକ ଶୀଘ୍ର ସମ୍ପାଦନ କରି ଉତ୍ପାଦକତା ବୃଦ୍ଧି କରାଯାଇପାରିବ ବୋଲି ସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀ ସତର୍କ କରାଇଥିଲେ ଯେ, ଏହା ସ୍ୱାଧୀନ ଚିନ୍ତାଧାରାକୁ ସୀମିତ ନକରି ବରଂ ଅଧିକ ସମୃଦ୍ଧ କରିବା ଆବଶ୍ୟକ। ଏହାଦ୍ୱାରା ଗବେଷକମାନେ ସଞ୍ଚୟ ହେଉଥିବା ସମୟକୁ ଅଧିକ ଜଟିଳ ସମସ୍ୟାର ସମାଧାନ, ନୂତନ ପରୀକ୍ଷାନିରୀକ୍ଷା ଏବଂ ନିଜର ଧାରଣାଗୁଡ଼ିକର ବୈଧତା ଯାଞ୍ଚ କରିବାରେ ବିନିଯୋଗ କରିପାରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୃଢ଼ ଭାବେ କହିଥିଲେ, “ଏଆଇ ଆମକୁ ଶୀଘ୍ର ଉତ୍ତର ଦେଇପାରେ, କିନ୍ତୁ ସେହି ଉତ୍ତରର ସତ୍ୟତା ଯାଞ୍ଚ କରିବାର ଦାୟିତ୍ୱ କେବଳ ବୈଜ୍ଞାନିକଙ୍କର ହିଁ ରହିବା ଉଚିତ।”

ସେମିକଣ୍ଡକ୍ଟର, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ଜୈବପ୍ରଯୁକ୍ତିବିଦ୍ୟା, ଉନ୍ନତ ସାମଗ୍ରୀ, ରୋବୋଟିକ୍ସ, ମହାକାଶ, ସ୍ୱଚ୍ଛ ଶକ୍ତି ଏବଂ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ପ୍ରଯୁକ୍ତି ଭଳି ଭବିଷ୍ୟତ ନିର୍ଦ୍ଧାରଣ କରୁଥିବା କ୍ଷେତ୍ରଗୁଡ଼ିକରେ ସମର୍ପିତ ଜାତୀୟ ମିଶନ ମାଧ୍ୟମରେ ବୈଜ୍ଞାନିକ ଓ ଅନୁଷ୍ଠାନଗୁଡ଼ିକୁ ନିରନ୍ତର ପ୍ରସ୍ତୁତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହାଦ୍ୱାରା ଭାରତରୁ ନୂତନ ବୈଜ୍ଞାନିକ ଉଦ୍ଭାବନ ଓ ସଫଳତା ସାମ୍ନାକୁ ଆସିପାରିବ ବୋଲି ସେ କହିଥିଲେ। ଏଥିସହିତ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସିନ୍ଥେଟିକ୍ ବାୟୋଲୋଜି ଏବଂ ସ୍ୱୟଂଚାଳିତ ପ୍ରଣାଳୀ କ୍ଷେତ୍ରରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ଏଆଇ ଯୁଗରେ ଆର୍ଥିକ ନେଟୱର୍କ ଓ ଜାତୀୟ ସୁରକ୍ଷା ପ୍ରତି ଉଦ୍ଭବ ହେଉଥିବା ସାଇବର ସୁରକ୍ଷା ବିପଦ ସମ୍ପର୍କରେ ସତର୍କ କରାଇ ସେ ଜାତୀୟ ବ୍ୟବସ୍ଥାଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା ସହ ସମଗ୍ର ମାନବଜାତିର କଲ୍ୟାଣରେ ସହାୟକ ହେବା ପାଇଁ ଏଆଇ-ଭିତ୍ତିକ ଏବଂ କ୍ୱାଣ୍ଟମ୍ ସୁରକ୍ଷା ସମାଧାନ ବିକଶିତ କରିବାକୁ ଆହ୍ୱାନ ଦେଇଥିଲେ। ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ଆମର ଲକ୍ଷ୍ୟ ହେଉଛି ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ କରିବା, ଯାହା ଭାରତକୁ ସଶକ୍ତ କରିବା ସହ ମାନବଜାତିର ସମସ୍ୟାଗୁଡ଼ିକର ସମାଧାନରେ ମଧ୍ୟ ଅବଦାନ ରଖିବ।”

ଏହି କନ୍‌କ୍ଲେଭ୍‌ରେ ଯୋଗଦେଇଥିବା ପ୍ରତ୍ୟେକ ଗବେଷକ, ଶିଳ୍ପ ଜଗତର ନେତୃତ୍ୱ, ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତା ଏବଂ ଛାତ୍ରଛାତ୍ରୀଙ୍କୁ ଆଗାମୀ ତିନି ବର୍ଷ ପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସେମାନେ କେଉଁ ପ୍ରଯୁକ୍ତିବିଦ୍ୟା, ପ୍ରୋଟୋଟାଇପ୍‌, ପାଇଲଟ୍‌ ପ୍ରକଳ୍ପ କିମ୍ବା ଉତ୍ପାଦର ବିକାଶରେ ସହଯୋଗ କରିବେ, ତାହା ସ୍ପଷ୍ଟ କରିବାକୁ ସେ କହିଥିଲେ। ବିକଶିତ ଭାରତ ଗଠନ ଏବଂ ବିଶ୍ୱସ୍ତରରେ ସମାଧାନର ଏକ ପ୍ରମୁଖ କେନ୍ଦ୍ର ଭାବେ ଭାରତକୁ ପ୍ରତିଷ୍ଠିତ କରିବା ଦିଗରେ ନବସୃଜନକୁ ଆଗେଇ ନେବାକୁ ସେ ଉତ୍ସାହିତ କରିଥିଲେ। ଏହି ସମାବେଶ କେବଳ ଆଲୋଚନାରେ ସୀମିତ ନରହି ଶକ୍ତ ଓ ଦୃଶ୍ୟମାନ ଫଳାଫଳ ପ୍ରଦାନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ଏହି କନ୍‌କ୍ଲେଭ୍‌ କେବଳ ଭାବ ବିନିମୟରେ ସୀମିତ ନରହୁ; ବରଂ ମାପଯୋଗ୍ୟ ଫଳାଫଳ ହାସଲ କରିବାର ଏକ ମଞ୍ଚରେ ପରିଣତ ହେଉ।”

ଭାରତ ବିଶ୍ୱର ଯୁବ ରାଷ୍ଟ୍ର ଏବଂ ଏଠାରେ ପ୍ରତିଭା ଓ ଦୃଢ଼ ସଂକଳ୍ପର ଅଭାବ ନାହିଁ ବୋଲି ଉଲ୍ଲେଖ କରି ନିଜ ଅଭିଭାଷଣର ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉଦୀୟମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କେବଳ ଅଂଶଗ୍ରହଣ କରିବା ପରିବର୍ତ୍ତେ ସକ୍ରିୟ ନେତୃତ୍ୱ ନେଇପାରୁଥିବା ଏକ ପିଢ଼ି ଗଢ଼ି ତୋଳିବା ଆବଶ୍ୟକ। ‘ଆମେ ଏହା କରି ଦେଖାଇବୁ’ ଭଳି ସାମୂହିକ ମନୋଭାବ ଓ ଦୃଢ଼ ବିଶ୍ୱାସର ଆହ୍ୱାନ ଦେଇ ସେ ଏହି ସମ୍ମିଳନୀର ସଫଳତା କାମନା କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଆମକୁ ଏପରି ଏକ ପିଢ଼ି ପ୍ରସ୍ତୁତ କରିବାକୁ ହେବ, ଯେଉଁମାନେ ଉଦୀୟମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କେବଳ ଅଂଶଗ୍ରହଣ କରିବେ ନାହିଁ, ବରଂ ଏହାର ନେତୃତ୍ୱ ନେବେ।”

ଆବିଷ୍କାର ଉଦୀୟମାନ ବିଜ୍ଞାନ ନବସୃଜନ ସମ୍ମିଳନୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତିବିଦ୍ୟା ବୈଜ୍ଞାନିକ ଗବେଷଣା
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ଧ୍ର ଉପକୂଳରେ ଭୟଙ୍କର ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଅତିକ୍ରମ: ପ୍ରବଳ ବର୍ଷା, ପବନ ସହ ବଢ଼ୁଛି ସମୁଦ୍ର ଜୁଆର

October 28, 2026

ବିହାର MLC ନିର୍ବାଚନରେ ବଡ଼ ଟ୍ୱିଷ୍ଟ! ଜନ ସୂରଜ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ୍‌

October 28, 2026

ଶିକାରୀ ଗୁଳିରେ ପ୍ରାଣ ହରାଇଲା କୁନୋର ଚିତା ଶାବକ

October 28, 2026

ସୀମାପାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଉପରେ ବ୍ରିକ୍ସର ଗୁରୁତ୍ୱ

October 28, 2026
Latest News

ଆନ୍ଧ୍ର ଉପକୂଳରେ ଭୟଙ୍କର ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଅତିକ୍ରମ: ପ୍ରବଳ ବର୍ଷା, ପବନ ସହ ବଢ଼ୁଛି ସମୁଦ୍ର ଜୁଆର

October 28, 2026

ଗଜପତିରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୮୨.୪ ମିମି ରେକର୍ଡ

October 28, 2026

ବାଲନ୍ ଡି’ ଓର୍ ପୁରସ୍କାର ଜିତିଲେ ହ୍ୟାରୀ କେନ୍

October 28, 2026

ବିହାର MLC ନିର୍ବାଚନରେ ବଡ଼ ଟ୍ୱିଷ୍ଟ! ଜନ ସୂରଜ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ୍‌

October 28, 2026

ଶିକାରୀ ଗୁଳିରେ ପ୍ରାଣ ହରାଇଲା କୁନୋର ଚିତା ଶାବକ

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.