ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରାମଲୀଳା ମଇଦାନରେ ନଭେମ୍ବର ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳ ସମୁଖର ବିଶାଳ ସମାବେଶକୁ ପଣ୍ଡ କରିବା ପାଇଁ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରାଯାଉଛି ବୋଲି କଂଗ୍ରେସ ନେତା ପବନ ଖେଡ଼ା ଗୁରୁତର ଅଭିଯୋଗ ଆଣିଛନ୍ତି। ତେଲେଙ୍ଗାନାରୁ ଟ୍ରେନ ବାତିଲ କରାଯାଇ ଲୋକମାନଙ୍କୁ ସମାବେଶକୁ ଆସିବାରୁ ରୋକାଯାଉଛି। କେବଳ ଗୋଟିଏ ରାଜ୍ୟ ନୁହେଁ, ବରଂ ଅନେକ ରାଜ୍ୟରେ ଏପରି ପଦକ୍ଷେପ ଗ୍ରହଣ କରାଯାଉଥିଲେ ସୁଦ୍ଧା ବିରୋଧୀ ମେଣ୍ଟ ଏଥିରେ ପଛଘୁଞ୍ଚା ଦେବ ନାହିଁ। ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବା ପରେ ସେ ସ୍ପଷ୍ଟ କରିଛନ୍ତି ଯେ ଆଶାଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଜନସାଧାରଣ ଏହି ସମାବେଶରେ ଯୋଗଦେବେ।
ସମାବେଶର ଶୃଙ୍ଖଳିତ ପରିଚାଳନା ପାଇଁ ପ୍ରଶାସନ ଓ ଆୟୋଜକଙ୍କ ଉପରେ ଯେପରି ଅଯଥା ଚାପ ନପଡ଼େ, ସେଥିପାଇଁ ସମସ୍ତ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରାଯାଇଛି। ଏହି ଶାେଭାଯାତ୍ରା ସମୟରେ ବ୍ୟବସାୟ ପ୍ରଭାବିତ ହେଉଥିବା ଦର୍ଶାଇ ସମାବେଶକୁ ଘୁଞ୍ଚାଇବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଥିବା ପତ୍ରକୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଯୁବ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବ ସଭାସ୍ଥଳର ଆସନ ବ୍ୟବସ୍ଥା, ନେତାମାନଙ୍କ ପ୍ରବେଶ ପଥ ଏବଂ ଜନସାଧାରଣଙ୍କ ରହିବା ବ୍ୟବସ୍ଥା ପରିଦର୍ଶନ କରି ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା ପ୍ରକାଶ କରିଛନ୍ତି।
ଏହି ସମାବେଶ ଜରିଆରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ବିରୋଧରେ ଜନସାଧାରଣ ସାଙ୍କେତିକ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ସଂସଦୀୟ ନେତା କେ. ସି. ଭେଣୁଗୋପାଳ କହିଛନ୍ତି। ସଂସଦରେ ମହାଭିଯୋଗ ପ୍ରସ୍ତାବ ଗ୍ରହଣ କରାଯାଇ ନଥିବାରୁ ଜନସାଧାରଣ ନିଜେ ଏହାର ଜବାବ ଦେବେ। ଅପରପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରି ଗଣତନ୍ତ୍ର, ସମ୍ବିଧାନ ଏବଂ ଭୋଟରଙ୍କ ଅଧିକାର ରକ୍ଷା ପାଇଁ ଦିଲ୍ଲୀ ଚାଲୋ ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶର ଆତ୍ମାକୁ ବଞ୍ଚାଇବାର ଏକ ଗଣଆନ୍ଦୋଳନ ବୋଲି ସେ ଦର୍ଶାଇଛନ୍ତି।


