ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ଏଯାଏଁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ ମୃତକଙ୍କ ପରିଚୟ ଚିହ୍ନଟ ସରିଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜୀବନର ଅନିଶ୍ଚିତତା ଭିତରେ ମେଞ୍ଚା ମେଞ୍ଚା ଅଧୁରା ଆଶାକୁ ଧରି ଆଜି ବି ଚାଲିଛି ମାଟିତଳୁ ଜୀବନ ଖୋଜା।
ଗଞ୍ଜାମ ଭଞ୍ଜନଗରର ଗିଡ଼ିପାବାଲି। ବିରାଟ ବିରାଟ ପଥର। ମାଟିର ପାହାଡ଼। ଭିତରୁ ଦିଶୁଛି ଭଙ୍ଗା ଘରର ଅବଶେଷ। ତା ଭିତରେ ହଜିଛି ୧୦ ଜୀବନ। ଧ୍ୱଂସସ୍ତୂପ ଭିତରେ କେଉଁଠି ଲୁଚିଛି ମଣିଷ, କେଉଁଠି ପୋତି ହୋଇଛି ଜୀବନ। କେଉଁଠି ସମାଧି ନେଇଛି କାହା ସଂସାର…କାହାରିକୁ କିଛି ବି ଜଣା ନାହିଁ । ମାଟି ତଳେ କିଏ ଅଛି, କିଏ ନାହିଁ…ଉତ୍ତର ଖୋଜୁଛି ମଣିଷ। ୧୫୦ରୁ ଅଧିକ ରେସ୍କ୍ୟୁ ଟିମ୍ । ଏନ୍ଡିଆର୍ଏଫ୍ ସାଙ୍ଗକୁ ଓଡ୍ରାଫ୍, ଏସଓଜି, ଫାୟାର୍ ଆଉ ରେଲୱେର ମେକାନିକାଲ୍ ଟିମ୍। ମାଟି ପଙ୍କରେ ହଜିଯାଇଥିବା ମଣିଷଙ୍କ ଠିକଣା ଖୋଜୁଛନ୍ତି। ଏହାରି ଭିତରେ ଦୁଇ ଜଣ ଫେରିଛନ୍ତି…ହେଲେ ଜୀବନ ନେଇ ନୁହେଁ। ପଥର ତଳୁ ଉଦ୍ଧାରକାରୀ ଦଳ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରିଛି। ବଳକା ୧୦ ଜଣଙ୍କ ସନ୍ଧାନ ପାଇଁ ଲାଇଫ୍ ଡିଟେକ୍ସନ୍ ୟୁନିଟର ସହାୟତା ନିଆଯାଇଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍, ଏନ୍ଡିଆରଏଫ୍ ଏବଂ ରେଲୱେ ଟିମ୍ ନିୟୋଜିତ ଅଛନ୍ତି। ଘଟଣାସ୍ଥଳକୁ ରାସ୍ତା ନଥିବାରୁ ସେଠାକୁ କ୍ରେନ୍ ନେବା ସମ୍ଭବ ନୁହେଁ ବୋଲି ଅଗ୍ନିଶମ ଡିଜି କହିଛନ୍ତି। ଭୂସ୍ଖଳନରେ ଖସିପଡ଼ିଥିବା ବଡ଼ ବଡ଼ ପଥରଗୁଡ଼ିକୁ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ହଟାଇବାକୁ ଯୋଜନା କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ସୁରକ୍ଷିତ ଭାବେ ଶେଷ କରିବା ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି।
ବୁଧବାର ଭୋର ସମୟରେ ଭୂସ୍ଖଳନ ଦେଖିଥିବା ଗିଡ଼ିପାବାଲିର ଦୁର୍ଦ୍ଦଶା ପ୍ରାୟ ଅଢେଇ ଦିନ ଧରି କେହି ଜାଣିନଥିଲେ। ପୀଡ଼ିତଙ୍କ ସୂଚନା ପରେ ଶୁକ୍ରବାର ଅପରାହ୍ନରୁ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ। ଆଉ ଗତକାଲି ସକାଳ ଅର୍ଥାତ ଶନିବାରଠୁ ହିଁ ମାଟି ତଳୁ ଖୋଜା ଚାଲିଛି ଜୀବନ। ବାସ୍ତବରେ ଜୀବିତ ଅଛନ୍ତି ତ ନିଖୋଜ ୧୦ ଜଣ। ୪ ଦିନ ହେଲା ମାଟି ତଳେ କେମିତି ଥିବ ସେମାନଙ୍କ ଅବସ୍ଥା ? ସେଇଠି ପୋତି ହୋଇଛନ୍ତି ନା କାଦୁଅ ସହ ଆଉ କେଉଁଠିକୁ ଭାସିଯାଇଛନ୍ତି ? ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ତାହା ସ୍ପଷ୍ଟ ହୋଇପାରିବ।


