ତେଲକୋଇ: ସକାଳୁ ସକାଳୁ ଯାତ୍ରୀବାହୀ ବସ୍ରେ ଆତଙ୍କ! ହଠାତ୍ ଫାଟିଗଲା ଆଗ ଟାୟାର। ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଗଛକୁ ଧକ୍କା ଦେଲା ବସ୍। ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡ଼ା-ତେଲକୋଇ ପୂର୍ତ୍ତ ରାସ୍ତାର ଦେଉଳଡିହା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଆହତଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ‘ଦୁର୍ଗାମାଧବ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ପ୍ରତିଦିନ ସକାଳେ କେନ୍ଦୁଝର ଜିଲ୍ଲାର କାଳିଆହତା ଅଞ୍ଚଳରୁ କେନ୍ଦୁଝର ଅଭିମୁଖେ ଯାତ୍ରା କରିଥାଏ। ଆଜି ମଧ୍ୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବସ୍ଟି ଯାଉଥିବା ବେଳେ ସକାଳ ପ୍ରାୟ ୭ଟା ସମୟରେ ଦେଉଳଡିହା ଛକ ନିକଟରେ ଅଘଟଣ ଘଟିଥିଲା।
ହଠାତ୍ ବସ୍ର ଡ୍ରାଇଭର ପାର୍ଶ୍ୱ ଆଗ ଟାୟାର ଫାଟିଯାଇଥିଲା। ଫଳରେ ଚାଳକ ବସ୍ର ଭାରସାମ୍ୟ ହରାଇଥିଲେ। ବସ୍ଟି ରାସ୍ତାକଡ଼ରେ ଥିବା ଏକ ଗଛକୁ ଜୋର୍ରେ ଧକ୍କା ଦେଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗଛରେ ପିଟିହେବା ପରେ ବସ୍ଟି ସେଠାରେ ଅଟକି ଯାଇଥିଲା। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି।
ଦୁର୍ଘଟଣା ପରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଚିତ୍କାର ଓ ଆତଙ୍କ ଖେଳିଯାଇଥିଲା। ବସ୍ରେ ଥିବା ୪୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତ ଆହତଙ୍କୁ ତେଲକୋଇ ଡାକ୍ତରଖାନାକୁ ନିଆଯାଇଥିଲା।


