ଭୁବନେଶ୍ୱର: ଆଜିର ଡିଜିଟାଲ୍ ଯୁଗରେ ମୋବାଇଲ୍ ନମ୍ବର କେବଳ କଥା ହେବାର ମାଧ୍ୟମ ନୁହେଁ, ବରଂ ଆମର ବ୍ୟାଙ୍କ ଆକାଉଣ୍ଟ, UPI ପେମେଣ୍ଟ, ସୋସିଆଲ ମିଡିଆ ଓ ବିଭିନ୍ନ ଅନଲାଇନ୍ ସେବାର ମୁଖ୍ୟ ଆଧାର। ଏପରି ସ୍ଥିତିରେ ନିଜ ନାମରେ ଥିବା ସିମ୍ କାର୍ଡକୁ ଅନ୍ୟ କାହାକୁ ବ୍ୟବହାର ପାଇଁ ଦେବା ଆପଣଙ୍କୁ ବଡ଼ ଆଇନଗତ ସମସ୍ୟାରେ ପକାଇପାରେ। ବନ୍ଧୁତା, ପରିଚୟ କିମ୍ବା ସାମାନ୍ୟ ସହଯୋଗ ଭାବି ଦେଇଥିବା ଗୋଟିଏ ସିମ୍ କାର୍ଡ ପାଇଁ ଆପଣଙ୍କୁ ପୁଲିସ ଜେରାର ସାମ୍ନା କରିବାକୁ ପଡ଼ିପାରେ। ଏପରିକି ନକଲି ପରିଚୟପତ୍ର ବ୍ୟବହାର କରି ସିମ୍ ହାସଲ କରିବା କିମ୍ବା ଏଥିରେ ସହଯୋଗ କରିବା ମଧ୍ୟ ଗୁରୁତର ଅପରାଧ।
ଭାରତ ସରକାରଙ୍କ ଦୂରସଂଚାର ଆଇନ, ୨୦୨୩ରେ ଏଭଳି ଅପରାଧ ପାଇଁ କଠୋର ଦଣ୍ଡବିଧାନ ରହିଛି। ନକଲି ପରିଚୟ କିମ୍ବା ଜାଲ୍ ଦସ୍ତାବିଜ୍ ଦେଇ ସିମ୍ କାର୍ଡ ହାସଲ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ତେଣୁ ନିଜ ନାମରେ କେତୋଟି ସିମ୍ ସକ୍ରିୟ ରହିଛି ଏବଂ କେହି ଆପଣଙ୍କ ପରିଚୟର ଅପବ୍ୟବହାର କରୁଛନ୍ତି କି ନାହିଁ, ତାହା ଜାଣିବା ଏବେ ଜରୁରୀ।
ସିମ୍ କାର୍ଡ ନିୟମ ଉଲ୍ଲଂଘନ କଲେ କଠୋର ଦଣ୍ଡ
ଦୂରସଂଚାର ଆଇନ, ୨୦୨୩ର ଧାରା ୪୨(୩)(e) ଅନୁଯାୟୀ, ଠକେଇ କରିବା, ଅନ୍ୟର ପରିଚୟ ଅପବ୍ୟବହାର କରିବା କିମ୍ବା ଜାଲ୍ ଦସ୍ତାବିଜ୍ ଦେଇ ଟେଲିକମ୍ ସେବା ହାସଲ କରିବା ଦଣ୍ଡନୀୟ ଅପରାଧ। ଏପରି ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ।
ପୂର୍ବରୁ ଅନ୍ୟର ପରିଚୟପତ୍ର ବ୍ୟବହାର କରି ସିମ୍ କାର୍ଡ ହାସଲ କରିବାର ଅନେକ ଘଟଣା ସାମ୍ନାକୁ ଆସୁଥିଲା। ଏହି ସିମ୍ ମାଧ୍ୟମରେ ସାଇବର ଠକେଇ, ଫିସିଂ କଲ୍, ନକଲି ପରିଚୟରେ ଟଙ୍କା ଠକେଇ ଭଳି ଅପରାଧ ଘଟୁଥିଲା। ଏସବୁକୁ ରୋକିବା ପାଇଁ ସରକାର ଦୂରସଂଚାର ବ୍ୟବସ୍ଥାରେ ପରିଚୟ ଯାଞ୍ଚ ଓ ଆଇନଗତ ଦାୟିତ୍ୱକୁ ଅଧିକ କଡ଼ା କରିଛନ୍ତି।
କେବଳ ସିମ୍ ନେଲେ ନୁହେଁ, ସହଯୋଗ କଲେ ବି ଦଣ୍ଡ
ଏହି ଆଇନରେ କେବଳ ନକଲି ପରିଚୟରେ ସିମ୍ କାର୍ଡ ହାସଲ କରୁଥିବା ବ୍ୟକ୍ତିଙ୍କୁ ନୁହେଁ, ଏଭଳି ଅପରାଧରେ ସହଯୋଗ କରୁଥିବା ଲୋକଙ୍କୁ ମଧ୍ୟ ଦାୟୀ କରାଯାଇପାରେ। ଧାରା ୪୨(୬) ଅନୁଯାୟୀ, ଅପରାଧ କରିବାକୁ ଉଦ୍ୟମ, ସହଯୋଗ କିମ୍ବା ଷଡ଼ଯନ୍ତ୍ର କରିବା ମଧ୍ୟ ଦଣ୍ଡନୀୟ।
ଉଦାହରଣ ସ୍ୱରୂପ, ଜଣେ ସିମ୍ ବିକ୍ରେତା ଯଦି ଜାଣିଶୁଣି ଜାଲ୍ ଦସ୍ତାବିଜ୍ ଆଧାରରେ ସିମ୍ କାର୍ଡ ଜାରି କରନ୍ତି, ତେବେ ସେ ମଧ୍ୟ ଆଇନର ଜାଲରେ ପଡ଼ିପାରନ୍ତି। ସେହିପରି କେହି ନିଜ ନାମରେ ଥିବା ସିମ୍ କାର୍ଡକୁ ଜାଣିଶୁଣି ବେଆଇନ କାର୍ଯ୍ୟରେ ବ୍ୟବହାର ପାଇଁ ଅନ୍ୟକୁ ଦେଲେ ତାଙ୍କ ବିରୋଧରେ ମଧ୍ୟ ତଦନ୍ତ ହୋଇପାରେ।
ଆପଣଙ୍କ ନାମରେ କେତୋଟି ସିମ୍ ଚାଲୁଛି, ଘରେ ବସି ଜାଣନ୍ତୁ
ଅନେକ ସମୟରେ ଲୋକଙ୍କ ଅଜାଣତରେ ସେମାନଙ୍କ ପରିଚୟପତ୍ର ବ୍ୟବହାର କରି ଅନ୍ୟ କେହି ସିମ୍ କାର୍ଡ ହାସଲ କରିଥାନ୍ତି। ଏପରି ସ୍ଥିତିରେ ଆପଣଙ୍କ ନାମରେ କେତୋଟି ମୋବାଇଲ୍ ନମ୍ବର ସକ୍ରିୟ ରହିଛି, ତାହା ନିୟମିତ ଯାଞ୍ଚ କରିବା ଜରୁରୀ। ଏଥିପାଇଁ ଦୂରସଂଚାର ବିଭାଗ (DoT) ପକ୍ଷରୁ ସଞ୍ଚାର ସାଥୀ (Sanchar Saathi) ପୋର୍ଟାଲ୍ ଉପଲବ୍ଧ କରାଯାଇଛି।
ଏହି ପୋର୍ଟାଲ୍ ଜରିଆରେ ଆପଣ ନିଜ ନାମରେ ଜାରି ହୋଇଥିବା ମୋବାଇଲ୍ କନେକ୍ସନ୍ର ବିବରଣୀ ଜାଣିପାରିବେ। ଏଥିପାଇଁ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରନ୍ତୁ।
1. ପ୍ରଥମେ ସଞ୍ଚାର ସାଥୀ ଅଫିସିଆଲ୍ ପୋର୍ଟାଲ୍କୁ ଯାଆନ୍ତୁ।
2. ଏହାପରେ ‘Know Your Mobile Connections’ ବିକଳ୍ପ ଚୟନ କରନ୍ତୁ।
3. ନିଜର ମୋବାଇଲ୍ ନମ୍ବର ଦେଇ କ୍ୟାପଚା ଭରନ୍ତୁ।
4. ମୋବାଇଲ୍କୁ ଆସିଥିବା OTP ଦେଇ ଲଗ୍ଇନ୍ କରନ୍ତୁ।
5. ଆପଣଙ୍କ ନାମରେ ଜାରି ହୋଇଥିବା ମୋବାଇଲ୍ କନେକ୍ସନ୍ଗୁଡ଼ିକର ତାଲିକା ଦେଖନ୍ତୁ।
6. ଯଦି କୌଣସି ଅଜଣା ନମ୍ବର ଦେଖନ୍ତି, ତେବେ ‘This is not my number’ ବିକଳ୍ପ ଚୟନ କରି ରିପୋର୍ଟ କରନ୍ତୁ।
ଏହାପରେ ସମ୍ପୃକ୍ତ ଟେଲିକମ୍ କମ୍ପାନୀ ଉକ୍ତ ନମ୍ବରର ପୁନଃ ଯାଞ୍ଚ କରିବ। ଯେଉଁ ନମ୍ବର ଆଉ ଆବଶ୍ୟକ ନାହିଁ, ତାହାକୁ ମଧ୍ୟ ‘Not Required’ ବିକଳ୍ପରେ ରିପୋର୍ଟ କରିପାରିବେ।
ସିମ୍ କାର୍ଡ ଦେବା ପୂର୍ବରୁ ଏହି କଥା ମନେ ରଖନ୍ତୁ
– ନିଜ ନାମରେ ଥିବା ସିମ୍ କାର୍ଡକୁ ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ।
– ସିମ୍ କିଣିବା ସମୟରେ କେବଳ ଅଧିକୃତ ଟେଲିକମ୍ ଏଜେଣ୍ଟଙ୍କ ସହାୟତା ନିଅନ୍ତୁ।
– ନିଜର OTP, ଆଧାର ସମ୍ପର୍କିତ ତଥ୍ୟ କିମ୍ବା ବାୟୋମେଟ୍ରିକ୍ ସୂଚନା ଅନ୍ୟକୁ ଦିଅନ୍ତୁ ନାହିଁ।
– ସମୟ ସମୟରେ ସଞ୍ଚାର ସାଥୀ ପୋର୍ଟାଲ୍ରେ ନିଜ ନାମରେ ଥିବା ସିମ୍ ଯାଞ୍ଚ କରନ୍ତୁ।
– ଅଜଣା ନମ୍ବର ଦେଖିଲେ ତୁରନ୍ତ ରିପୋର୍ଟ କରନ୍ତୁ।


