ଆମେରିକାରେ ଆଜି, ନଭେମ୍ବର ୩ରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ମତଦାନ ଚାଲିଛି। ଏହା କେବଳ କଂଗ୍ରେସର ଆସନ ଦଖଲ ପାଇଁ ଲଢ଼େଇ ନୁହେଁ, ବରଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଓ ନୀତି ପ୍ରତି ଆମେରିକୀୟ ଭୋଟରଙ୍କ ମତାମତର ଏକ ବଡ଼ ପରୀକ୍ଷା। ଏହି ନିର୍ବାଚନର ଫଳାଫଳ ନିର୍ଣ୍ଣୟ କରିବ ଯେ ଟ୍ରମ୍ପ ପ୍ରଶାସନ ଆଗାମୀ ଦୁଇ ବର୍ଷ ନିଜ ଏଜେଣ୍ଡାକୁ କେତେ ସହଜରେ ଆଗକୁ ବଢ଼ାଇପାରିବ, ନା ଡେମୋକ୍ରାଟ୍ମାନେ କଂଗ୍ରେସରେ ନିୟନ୍ତ୍ରଣ ହାସଲ କରି ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ।
କନେକ୍ଟିକଟ୍, ଇଣ୍ଡିଆନା, କେଣ୍ଟୁକି, ମେନ୍, ନ୍ୟୁ ହାମ୍ପଶାୟାର, ନ୍ୟୁ ଜର୍ସି, ନ୍ୟୁୟର୍କ ଓ ଭର୍ଜିନିଆ ସମେତ ବିଭିନ୍ନ ରାଜ୍ୟରେ ମତଦାନ ଆରମ୍ଭ ହୋଇଛି। ଆମେରିକାରେ ଭିନ୍ନ ଭିନ୍ନ ରାଜ୍ୟରେ ଭୋଟିଂ ସମୟ ଅଲଗା ଥିବାରୁ ମତଦାନ କେନ୍ଦ୍ରଗୁଡ଼ିକ ପର୍ଯ୍ୟାୟକ୍ରମେ ଖୋଲୁଛି। ଭାରତୀୟ ସମୟ ଅନୁସାରେ ଏହି ରାଜ୍ୟଗୁଡ଼ିକରେ ମତଦାନ ସକାଳ ପ୍ରାୟ ୪ଟା ୩୦ରୁ ଆରମ୍ଭ ହୋଇଛି।
ଟ୍ରମ୍ପଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ନିର୍ବାଚନ?
ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ନାହିଁ। ଏଥିରେ କଂଗ୍ରେସର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ ଆସନ ଏବଂ ସେନେଟ୍ର ୩୫ଟି ଆସନ ପାଇଁ ମତଦାନ ହେଉଛି। ଏହା ସହ ବିଭିନ୍ନ ରାଜ୍ୟରେ ଗଭର୍ଣ୍ଣର ଓ ଅନ୍ୟ ପଦବି ପାଇଁ ମଧ୍ୟ ନିର୍ବାଚନ ହେଉଛି।
ବର୍ତ୍ତମାନ ରିପବ୍ଲିକାନ୍ମାନେ ଉଭୟ ଗୃହରେ ନିୟନ୍ତ୍ରଣ ରଖିଛନ୍ତି। ହାଉସ୍ରେ ରିପବ୍ଲିକାନ୍ଙ୍କ ୨୧୮ ଓ ଡେମୋକ୍ରାଟ୍ଙ୍କ ୨୧୪ ଆସନ ରହିଛି। ଅନ୍ୟପଟେ ସେନେଟ୍ରେ ରିପବ୍ଲିକାନ୍ଙ୍କ ସଂଖ୍ୟା ୫୩ ଏବଂ ଡେମୋକ୍ରାଟ୍ଙ୍କ ୪୭। ଉଭୟ ଗୃହରେ ବହୁମତ ହାସଲ କରିବାକୁ ଡେମୋକ୍ରାଟ୍ମାନଙ୍କୁ ପ୍ରତ୍ୟେକ ଗୃହରେ ଅତି କମ୍ରେ ୪ଟି ନେଟ୍ ଆସନ ହାସଲ କରିବାକୁ ପଡ଼ିବ। ତେଣୁ ହାଉସ୍ରେ ଡେମୋକ୍ରାଟ୍ଙ୍କ ବିଜୟ ସମ୍ଭାବନା ନେଇ ଚର୍ଚ୍ଚା ଥିବାବେଳେ ସେନେଟ୍ର ଲଢ଼େଇ ମଧ୍ୟ ରୋଚକ ହେବାକୁ ଯାଉଛି।
ଯଦି ଡେମୋକ୍ରାଟ୍ମାନେ ହାଉସ୍ କିମ୍ବା ସେନେଟ୍ ମଧ୍ୟରୁ ଯେକୌଣସି ଗୋଟିଏ ଗୃହରେ ବହୁମତ ହାସଲ କରନ୍ତି, ତେବେ ଟ୍ରମ୍ପ ପ୍ରଶାସନର ନୀତି ଓ ନିଷ୍ପତ୍ତି ଉପରେ ଅଧିକ କଡ଼ା ନଜର ରଖିପାରିବେ। ପ୍ରବାସ ନୀତି, ଅର୍ଥନୀତି, ବିଦେଶ ନୀତି ଓ ଇରାନ ସହ ଉତ୍ତେଜନା ଭଳି ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବା ସହ ଆଇନ ପ୍ରଣୟନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରିବେ। ଅନ୍ୟପଟେ ରିପବ୍ଲିକାନ୍ମାନେ ନିଜ ବହୁମତ ବଜାୟ ରଖିଲେ ଟ୍ରମ୍ପଙ୍କ ନୀତିକୁ ଆଗକୁ ବଢ଼ାଇବା ଅଧିକ ସହଜ ହେବ।
ଭୋଟ୍ ଗଣତିରେ ବିଳମ୍ବ ଆଶଙ୍କା, ନଜର ରଖିବେ ୧୦୦୦ ପର୍ଯ୍ୟବେକ୍ଷକ
ଏହି ନିର୍ବାଚନରେ ଭୋଟ୍ ଗଣତି ଓ ଫଳାଫଳକୁ ନେଇ ମଧ୍ୟ ସତର୍କତା ଅବଲମ୍ବନ କରାଯାଉଛି। ଅତି ନିକଟତମ ଲଢ଼େଇ ହେଲେ ଭୋଟରଙ୍କ ଯୋଗ୍ୟତା, ଭୋଟ୍ ଗଣନା ଓ ଫଳାଫଳର ପ୍ରମାଣୀକରଣକୁ ନେଇ ବିବାଦ ଉପୁଜିପାରେ। ମତଦାନ କେନ୍ଦ୍ରରେ ଲମ୍ବା ଧାଡ଼ି, ଭୋଟିଂ ମେସିନ୍ରେ ତ୍ରୁଟି କିମ୍ବା ରାଜନୈତିକ ଦଳର ଆପତ୍ତି ଯୋଗୁଁ ମଧ୍ୟ ଫଳାଫଳ ଘୋଷଣାରେ ବିଳମ୍ବ ହୋଇପାରେ।
ଏହି ପରିପ୍ରେକ୍ଷୀରେ ଆମେରିକାର ନ୍ୟାୟ ବିଭାଗ ପ୍ରାୟ ୧,୦୦୦ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଅବଜର୍ଭରଙ୍କୁ ସମସ୍ତ ୫୦ଟି ରାଜ୍ୟରେ ନିୟୋଜିତ କରିଛି। ବିଭାଗର ଇତିହାସରେ ଏହା ସବୁଠାରୁ ବଡ଼ ନିର୍ବାଚନ ନିରୀକ୍ଷଣ ଅଭିଯାନ। ଭୋଟରଙ୍କ ଅଧିକାର ସୁରକ୍ଷା ଓ ନିର୍ବାଚନୀ ଆଇନର ଅନୁପାଳନ ଉପରେ ଏହି ଟିମ୍ ନଜର ରଖିବ।
ଫଳାଫଳ ପରେ ଟ୍ରମ୍ପଙ୍କ ରଣନୀତି କ’ଣ ହେବ?
ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଫଳାଫଳ କେବଳ କଂଗ୍ରେସର ରାଜନୈତିକ ସମୀକରଣ ବଦଳାଇବ ନାହିଁ, ଏହା ଟ୍ରମ୍ପଙ୍କ ଶାସନର ଅବଶିଷ୍ଟ ସମୟ ପାଇଁ ମଧ୍ୟ ନୂଆ ଦିଗ ନିର୍ଦ୍ଧାରଣ କରିବ। ରିପବ୍ଲିକାନ୍ମାନେ ଭଲ ପ୍ରଦର୍ଶନ କଲେ ଟ୍ରମ୍ପଙ୍କ ନେତୃତ୍ୱ ଦଳ ଭିତରେ ଆହୁରି ମଜବୁତ ହୋଇପାରେ। କିନ୍ତୁ ଦଳ ଆସନ ହରାଇଲେ ତାଙ୍କ ନୀତି ଓ କାର୍ଯ୍ୟଶୈଳୀକୁ ନେଇ ଦଳ ଭିତରେ ମଧ୍ୟ ପ୍ରଶ୍ନ ଉଠିପାରେ।
ଏବେ ସମସ୍ତଙ୍କ ନଜର ମତଦାନ ଶେଷ ଓ ଭୋଟ୍ ଗଣତି ଉପରେ। କେଉଁ ଦଳ କଂଗ୍ରେସର ନିୟନ୍ତ୍ରଣ ହାତେଇବ, ତାହା ସ୍ପଷ୍ଟ ହେବା ପରେ ଟ୍ରମ୍ପ ପ୍ରଶାସନର ଆଗାମୀ ରାଜନୈତିକ ରଣନୀତି ମଧ୍ୟ ସାମ୍ନାକୁ ଆସିବ।


