ରାୟଗଡ଼ା: ରାୟଗଡ଼ାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏକ ଅପହରଣ, ଅପ୍ରାକୃତିକ ଯୌନ ସମ୍ପର୍କ ଓ ହତ୍ୟା ଉଦ୍ୟମ ମାମଲାରେ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଦୀର୍ଘ ୭ ବର୍ଷ ବିଚାର ପ୍ରକ୍ରିୟା ପରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଦୀର୍ଘ ୭ ବର୍ଷର ବିଚାର ପ୍ରକ୍ରିୟା ପରେ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଳ୍ପନା ସ୍ୱାଇଁ ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଦୋଷୀମାନଙ୍କ ଉପରେ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲାଗୁ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି। ଘଟଣାରୁ ପ୍ରକାଶ ଯେ, ୨୦୧୯ ନଭେମ୍ବର ୧୮ ତାରିଖରେ ରାୟଗଡ଼ା ଥାନା ଅନ୍ତର୍ଗତ ଲାଡା ଷ୍ଟେସନ ନିକଟରୁ ଚେନ୍ନାଇରୁ ଝାରସୁଗୁଡ଼ା ଯାଉଥିବା ଜଣେ ଯୁବକଙ୍କୁ ଅଭିଯୁକ୍ତମାନେ ଅପହରଣ କରିଥିଲେ। ଟ୍ରେନ୍?ରେ ଯାତ୍ରା କରୁଥିବା ସମୟରେ ଯୁବକଙ୍କୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଭୟଭୀତ କରିବା ସହ ୧୦ ଲକ୍ଷ ଟଙ୍କା ଦେଲେ ଛାଡ଼ିବେ ବୋଲି ଧମକ ଦେଇଥିଲେ। ଏହାପରେ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହ ହତ୍ୟା ଉଦ୍ୟମ କରାଯାଇଥିବା ମାମଲାରେ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ରାୟଗଡ଼ା ଥାନାରେ କେସ୍ ନମ୍ବର ୪୨୫/୧୯ରେ ମାମଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପକ୍ଷରେ ପୁଲିସ ଚଢ଼ାଉ ସମୟରେ ଅଭିଯୁକ୍ତମାନେ ପୁଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିବା ସୂଚନା ମିଳିଛି। ତତ୍କାଳୀନ ଏସ୍?ଆଇ ରିଗାନ କିଣ୍ଡୋ ଏହି ମାମଲାର ତଦନ୍ତ ଦାୟିତ୍ୱ ତୁଲାଇଥିଲେ। ଦୀର୍ଘ ଦିନର ବିଚାର ପ୍ରକ୍ରିୟା ପରେ ଜିଆର୍ କେସ୍ ନମ୍ବର ୩୧/୧୯ ଓ ସେସନ୍ସ କେସ୍ ନମ୍ବର ୩୨/୨୦୨୦ର ରାୟ ପ୍ରକାଶ ପାଇଛି। ଆଇପିସିର ଧାରା ୩୫୪(ଏ), ୩୬୪(ଏ), ୩୭୭, ୧୨୦(ବି), ୩୪ ଏବଂ ଆର୍ମସ୍ ଆକ୍ଟର ଧାରା ୨୫(୧) ଅନୁଯାୟୀ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୋଷୀମାନେ ହେଲେ ହାଡ଼ପା ଶିବା, ଜି. ବାଙ୍ଗାରୁ, ଶୁଣ୍ଢି ସୂରଜ, ଶୁଣ୍ଢି ପ୍ରକାଶ, ମାଝୀ ରାଜା, ମାଝୀ ଜୋସେଫ, ଜି. ବେଣୁ, ଜି. ତେଜା ଓ ଜି. ସୁରେନ୍ଦ୍ର। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରଜତ ରଞ୍ଜନ ଖଟୁଆ ମାମଲା ପରିଚାଳନା କରିଥିଲେ। ମାମଲାରେ ମୋଟ ୩୬ ଜଣ ସାକ୍ଷୀ ସେମାନଙ୍କର ସାକ୍ଷ୍ୟ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ରାୟ ଘୋଷଣା ପରେ କୋର୍ଟ ପରିସରରେ ଦୋଷୀଙ୍କ ପରିବାରବର୍ଗଙ୍କ ପକ୍ଷରୁ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ ଶୁଣ୍ଢି ପ୍ରକାଶ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତାଙ୍କୁ ଖୋଜିବା ପାଇଁ ପୁଲିସ ତନାଘନା ଚଳାଇଛି। ଖବର ପାଇ ରାୟଗଡ଼ା ଏସ୍ଡିପିଓ ଗୌରହରି ସାହୁ ପୁଲିସ ଟିମ୍ ସହ କୋର୍ଟ ପରିସରରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସାତ ବର୍ଷ ପୂର୍ବର ଏହି ଘଟଣାରେ ଦୀର୍ଘ ବିଚାର ପ୍ରକ୍ରିୟା ପରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିବା ରାୟଗଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଛି।


