ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ‘ବିକଶିତ ଭାରତ ପରିସଂଖ୍ୟାନ ରୂପାନ୍ତରଣ, ବିଶ୍ଳେଷଣ ଓ ଗବେଷଣା ପଦକ୍ଷେପ (VISTAR)’ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ୪,୩୭୧.୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ବିକଶିତ ଭାରତ ୨୦୪୭ର ମୂଳ ଲକ୍ଷ୍ୟ ସହ ସମନ୍ୱିତ ଏହି VISTAR ଯୋଜନା ଅଧୀନରେ ଏକ ଗତିଶୀଳ, ବାସ୍ତବ-ସମୟ ଏବଂ ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ସରକାରୀ ପରିସଂଖ୍ୟାନ ବ୍ୟବସ୍ଥା ଗଠନ କରାଯିବ। ଏହାଦ୍ୱାରା ତଥ୍ୟ ସଂଗ୍ରହ ଓ ପ୍ରକାଶନରେ ସମୟାନୁବର୍ତ୍ତିତା, ତଥ୍ୟର ସୂକ୍ଷ୍ମତା, ବିଭିନ୍ନ ବ୍ୟବସ୍ଥା ମଧ୍ୟରେ ତଥ୍ୟର ଆଦାନପ୍ରଦାନ ଏବଂ ସମନ୍ୱିତ ତଥା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଯୋଗ ପାଇଁ ଉପଯୁକ୍ତ ତଥ୍ୟଭଣ୍ଡାର ସୁନିଶ୍ଚିତ ହୋଇପାରିବ।
ଏହି ଯୋଜନା ତତ୍କାଳୀନ ନୀତିଗତ ଆବଶ୍ୟକତା ଆଧାରରେ ସମ୍ବଳର ଗତିଶୀଳ ଆବଣ୍ଟନ ପାଇଁ ରଣନୈତିକ ନମନୀୟତା ପ୍ରଦାନ କରିବ। ଏହାଦ୍ୱାରା ବ୍ୟାପକ ପରିମାଣର ସର୍ଭେ କାର୍ଯ୍ୟାନ୍ୱୟନ, ପଦ୍ଧତିଗତ ଗବେଷଣା, ଡିଜିଟାଲ୍ ରୂପାନ୍ତରଣ ଏବଂ ଜାତୀୟ ତଥ୍ୟ ପରିଚାଳନା କ୍ଷେତ୍ରରେ ଏକ ସମନ୍ୱିତ ଆଭିମୁଖ୍ୟକୁ ପ୍ରୋତ୍ସାହନ ମିଳିବ।
VISTAR ଯୋଜନାରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI)ର ସମସ୍ତ ପରିସଂଖ୍ୟାନ ଏବଂ ତଥ୍ୟ ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟକଳାପ ସାମିଲ ହେବ। ଦେଶର ସରକାରୀ ପରିସଂଖ୍ୟାନ ବ୍ୟବସ୍ଥାର ଆଧୁନିକୀକରଣ ଓ ଉନ୍ନତୀକରଣରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
VISTAR ଯୋଜନାର ତିନୋଟି ପ୍ରମୁଖ ଉପାଦାନ ହେଉଛି:
- ଉପାଦାନ -୧: ବ୍ୟାପକ ପରିସଂଖ୍ୟାନ କାର୍ଯ୍ୟକଳାପ ଏବଂ ଇକୋସିଷ୍ଟମର ସୁଦୃଢ଼ୀକରଣ
- ଉପାଦାନ-୨: ପରିସଂଖ୍ୟାନ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ସହାୟତା (ଏସ୍ଏସ୍ଏସ୍)
- ଉପାଦାନ-୩: ଅର୍ଥନୈତିକ ଜନଗଣନା (ଇସି)
ବ୍ୟାପକ ପରିସଂଖ୍ୟାନ କାର୍ଯ୍ୟକଳାପ ଏବଂ ଇକୋସିଷ୍ଟମ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପାଦାନ ଅଧୀନରେ, ୧୬ତମ ଅର୍ଥ ଆୟୋଗ (ଏଫସି) ଚକ୍ର ସମୟରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ୫୯ଟି ସର୍ଭେ କରିବାକୁ ପ୍ରସ୍ତାବ ରଖିଛି। ପୂର୍ବରୁ ୪୩ଟି ପ୍ରମୁଖ ସର୍ଭେ କରାଯାଇଥିବା ବେଳେ ଏହି ସଂଖ୍ୟାରେ ବୃଦ୍ଧି ହୋଇ ବିଭିନ୍ନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗତ ଅଭାବକୁ ପୂରଣ କରିବାରେ ସହାୟକ ହେବ। ଫଳରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଉନ୍ନତି ଆସିବା ସହ ସମୟୋଚିତ ଏବଂ ଲକ୍ଷ୍ୟଭିତ୍ତିକ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଏଥିସହିତ, ପ୍ରଯୁକ୍ତିବିଦ୍ୟା ଆଧାରିତ ତଥ୍ୟ ସଂଗ୍ରହ ଏବଂ ବ୍ୟବହାରକାରୀଙ୍କ ଆବଶ୍ୟକତା ଅନୁରୂପ ତଥ୍ୟ ପ୍ରସାରଣ କ୍ଷେତ୍ରରେ ସାମ୍ପ୍ରତିକ ଡିଜିଟାଲ୍ ରୂପାନ୍ତରଣକୁ ଆଧାର କରି MoSPI ପରିସଂଖ୍ୟାନ ପ୍ରକ୍ରିୟାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଡିଜିଟାଲୀକରଣ ଉପରେ ଗୁରୁତ୍ୱ ଦେବ। ଏଥିସହ ତଥ୍ୟ ପ୍ରକ୍ରିୟାକରଣ, ବୈଧତା ଯାଞ୍ଚ ଏବଂ ବିଶ୍ଳେଷଣ ପାଇଁ ନିୟମିତ କାର୍ଯ୍ୟପ୍ରଣାଳୀରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ (ଏମ୍ଏଲ)ର ବ୍ୟବହାରକୁ ସାମିଲ କରାଯିବ।
MoSPI ପକ୍ଷରୁ ସେବା ଉତ୍ପାଦନର ମୁଖ୍ୟ ସୂଚକାଙ୍କ ଏବଂ ଅଣ-ନିଗମିତ କ୍ଷେତ୍ର ଉଦ୍ୟୋଗଗୁଡ଼ିକର ସୂଚକାଙ୍କ ସମେତ ନୂତନ ସୂଚକାଙ୍କ ପ୍ରକାଶ କରିବାକୁ ଯୋଜନା ରହିଛି। ତଥ୍ୟର ସମନ୍ୱୟ ପାଇଁ MoSPI ତଥ୍ୟ ସୂଚୀକରଣ, ମେସିନ୍ ପଠନୀୟତା, ବିଭିନ୍ନ ବ୍ୟବସ୍ଥା ମଧ୍ୟରେ ତଥ୍ୟର ଆଦାନପ୍ରଦାନ, ତଥ୍ୟ ବାଣ୍ଟିବାର ପ୍ରୋଟୋକଲ୍ ଏବଂ ଆରମ୍ଭରୁ ହିଁ ଗୋପନୀୟତା ସୁନିଶ୍ଚିତ କରିବା ଆଦି ମୌଳିକ ସ୍ତମ୍ଭ ଉପରେ ଗୁରୁତ୍ୱ ଦେବ। ଏହାଦ୍ୱାରା ତଥ୍ୟ ପରିଚାଳନାରେ ଥିବା ପୃଥକ୍ ବ୍ୟବସ୍ଥାଗୁଡ଼ିକୁ ଦୂର କରିବା ସହ କାର୍ଯ୍ୟକ୍ରମଗୁଡ଼ିକର ଲକ୍ଷ୍ୟଭିତ୍ତିକ କାର୍ଯ୍ୟାନ୍ୱୟନରେ ଉନ୍ନତି, କାର୍ଯ୍ୟର ପୁନରାବୃତ୍ତି ହ୍ରାସ ଏବଂ ସରକାରର ସମସ୍ତ ସ୍ତରରେ ଏଆଇ ଆଧାରିତ ନିଷ୍ପତ୍ତି ଗ୍ରହଣ ପାଇଁ ପଥ ପ୍ରଶସ୍ତ ହେବ। ମୋବାଇଲ୍ ଫୋନ୍, ସ୍କାନର୍ ଏବଂ ଇ-କମର୍ସ ତଥ୍ୟ ଭଳି ବିକଳ୍ପ ତଥ୍ୟ ଉତ୍ସଗୁଡ଼ିକୁ ନିୟମିତ ବ୍ୟବହାରରେ ସାମିଲ କରି MoSPI ପାରମ୍ପରିକ ସର୍ଭେଗୁଡ଼ିକୁ ପରିପୂରକ କରିବାକୁ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ଉତ୍ତରଦାତାଙ୍କ ଉପରେ ତଥ୍ୟ ପ୍ରଦାନର ଚାପ ହ୍ରାସ, ତଥ୍ୟଗତ ଅଭାବ ପୂରଣ ଏବଂ ପ୍ରମାଣଭିତ୍ତିକ ନୀତି ପ୍ରଣୟନ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ଏଥିସହିତ, ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍ ଯୋଜନା ଏବଂ ଶିକ୍ଷାନୁଷ୍ଠାନ ଓ ଗବେଷଣା ସଂସ୍ଥାଗୁଡ଼ିକରୁ ଗବେଷଣା ପ୍ରସ୍ତାବ ଆହ୍ୱାନ ମାଧ୍ୟମରେ ଦକ୍ଷତା ବିକାଶ ସହ ଯୁବପିଢ଼ି ଏବଂ ଗବେଷକମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ MoSPI ପଦକ୍ଷେପ ନେବ।
ପରିସଂଖ୍ୟାନ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ସହାୟତା ଉପାଦାନ ଅଧୀନରେ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପରିସଂଖ୍ୟାନ ସମ୍ବନ୍ଧୀୟ ଦକ୍ଷତାର ରୂପାନ୍ତରଣ ପାଇଁ ଏକ ନୂତନ ତଥା ଫଳାଫଳ ଆଧାରିତ ଢାଞ୍ଚା (ଏସ୍ଏସ୍ଏସ୍ ୨.୦) ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଜିଲ୍ଲା ଏବଂ ଅନ୍ୟାନ୍ୟ ବିଭାଜିତ ସ୍ତରରେ ଉଚ୍ଚମାନର ଓ ସୂକ୍ଷ୍ମ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ, ନିଜସ୍ୱ ତଥ୍ୟ ପ୍ରକ୍ରିୟାକରଣ କ୍ଷମତାର ବିକାଶ ଏବଂ ସ୍ଥାନୀୟ ନୀତି ପ୍ରଣୟନରେ ତଥ୍ୟର ବ୍ୟବହାରକୁ ସାମିଲ କରିବା। ପ୍ରମୁଖ ଜାତୀୟ ସର୍ଭେ ଯେମିତିକି- ଆବଧିକ ଶ୍ରମଶକ୍ତି ସର୍ଭେ (ପିଏଲ୍ଏଫ୍ଏସ୍), ଘରୋଇ ଉପଭୋଗ ବ୍ୟୟ ସର୍ଭେ (ଏଚସିଇଏସ୍) ଏବଂ ଅଣ-ନିଗମିତ କ୍ଷେତ୍ର ଉଦ୍ୟୋଗଗୁଡ଼ିକର ବାର୍ଷିକ ସର୍ଭେ (ଏଏସ୍ୟୁଏସ୍ଇ) ମାଧ୍ୟମରେ ଜିଲ୍ଲାସ୍ତରୀୟ ଏବଂ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ପାଇଁ ଆକଳନ ପ୍ରସ୍ତୁତି ବୃଦ୍ଧି କରିବାରେ MoSPI ବୈଷୟିକ ସହାୟତା ଯୋଗାଇଦେବ। ଏଥିସହିତ ରାଜ୍ୟ ଓ ଜିଲ୍ଲାସ୍ତରୀୟ ମୋଟ ଘରୋଇ ଉତ୍ପାଦ (ଜିଡିପି) ଏବଂ ରାଜ୍ୟସ୍ତରୀୟ ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ସହାୟତା ପ୍ରଦାନ କରିବ।
ଅର୍ଥନୈତିକ ଜନଗଣନା (ଇସି)) ଉପାଦାନ ଅଧୀନରେ, MoSPI ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସହଯୋଗରେ ଅଷ୍ଟମ ଅର୍ଥନୈତିକ ଜନଗଣନା କରିବ। ଏହା ମାଧ୍ୟମରେ ଗ୍ରାମ ପଞ୍ଚାୟତ ଏବଂ ୱାର୍ଡ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଣ-କୃଷି ପ୍ରତିଷ୍ଠାନ ଓ ସେଠାରେ ନିଯୁକ୍ତ ଶ୍ରମିକମାନଙ୍କ ସମ୍ପର୍କିତ ସୂକ୍ଷ୍ମ ତଥ୍ୟ ଏବଂ ସେମାନଙ୍କ କାର୍ଯ୍ୟକଳାପର ବିବରଣୀ ଉପଲବ୍ଧ ହେବ। ଏହା ଅର୍ଥନୀତିର ଅସଂଗଠିତ କ୍ଷେତ୍ରର ସ୍ଥିତି ଆକଳନ କରିବାରେ ସହାୟକ ହେବ। ଏଥିସହିତ, ଜାତୀୟ ପରିସଂଖ୍ୟାନ ବ୍ୟବସାୟ ପଞ୍ଜିକା ପ୍ରସ୍ତୁତି ପାଇଁ ଏହା ମୂଳ ଆଧାର ଭାବେ କାର୍ଯ୍ୟ କରିବ। ଫଳରେ ଲକ୍ଷ୍ୟଭିତ୍ତିକ ଉଦ୍ୟୋଗ ସର୍ଭେ ଏବଂ ରଣନୈତିକ ପଦକ୍ଷେପ ଗ୍ରହଣ କରିବା ସହଜ ହେବ। ଏହି ଅର୍ଥନୈତିକ ଜନଗଣନାରୁ ମିଳିବାକୁ ଥିବା ତଥ୍ୟ ଜାତୀୟ ଏବଂ ରାଜ୍ୟ ତଥା ସ୍ଥାନୀୟ ସ୍ତରର ଯୋଜନା ପ୍ରସ୍ତୁତକାରୀ ଓ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଏହାଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଅସଂଗଠିତ କ୍ଷେତ୍ରର ଅବଦାନ ଆକଳନ କରିବା ପାଇଁ ପଥ ପ୍ରଶସ୍ତ ହେବ।


