ନୂଆଦିଲ୍ଲୀ: ଦେଶରେ ମହିଳା ଓ ଶିଶୁ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଫାଷ୍ଟ୍ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ଯୋଜନାର ଅବଧିକୁ ୨୦୩୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୩,୭୮୮.୦୪ କୋଟି ଟଙ୍କାର ବ୍ୟୟବରାଦ ସହ ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ଫାଷ୍ଟ୍ ଟ୍ରାକ୍ କୋର୍ଟ ସଂଖ୍ୟା ୭୭୯ରୁ ୮୫୦କୁ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଏନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁସାରେ ଏହି ଯୋଜନା ବର୍ତ୍ତମାନ ୧ ଏପ୍ରିଲ ୨୦୨୬ ରୁ ୩୧ ମାର୍ଚ୍ଚ ୨୦୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ତେବେ ଏହି ବର୍ଦ୍ଧିତ ଅବଧି ପାଇଁ ମୋଟ ୩,୭୮୮.୦୪ କୋଟି ଟଙ୍କାର ଆର୍ôଥକ ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି, ଯେଉଁଥିରେ କେନ୍ଦ୍ରର ଅଂଶ ୨,୩୫୩.୧୫ କୋଟି ଟଙ୍କା (ନିର୍ଭୟା ପାଣ୍ଠିରୁ ଅନୁଦାନପ୍ରାପ୍ତ) ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଅଂଶ ୧,୪୩୪.୮୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି। ସିଧାସଳଖ କହିଲେ ଅଦାଲତଗୁଡ଼ିକର ପରିଚାଳନା ଖର୍ଚ୍ଚ ବହନ କରିବା ପାଇଁ କେନ୍ଦ୍ର ପ୍ରାୟୋଜିତ ଯୋଜନାର ନିୟମ ଅନୁସାରେ ଅଂଶଗ୍ରହଣକାରୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ।
ଅନୁମୋଦିତ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ ମଧ୍ୟରେ ଅଦାଲତ ସଂଖ୍ୟାର ସମ୍ପ୍ରସାରଣ ଅର୍ଥାତ୍ ପଡ଼ିରହିଥିବା ମାମଲା ସଂଖ୍ୟାକୁ ଆଧାର କରି ଅଧିକ ଜିଲ୍ଲାକୁ ଏହାର ପରିସରଭୁକ୍ତ କରିବା ସହ ଏଫ୍ଟିଏସ୍ସି ସଂଖ୍ୟାକୁ ବର୍ତ୍ତମାନର ୭୭୯ରୁ ୮୫୦ଟି କାର୍ଯ୍ୟକ୍ଷମ ଅଦାଲତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ସେହିପରି ପ୍ରଶାସନିକ ତଥା ମାମଲା ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ଏଫ୍ଟିଏସ୍ସିରେ ଜଣେ ସ୍ୱତନ୍ତ୍ର ନ୍ୟାୟିକ ଅଧିକାରୀ, କେବଳ ସେହି ଅଦାଲତ ପାଇଁ ଜଣେ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ (ସରକାରୀ ଓକିଲ) ଏବଂ ୬ ଜଣ ସହାୟକ କର୍ମଚାରୀ ନିୟୋଜିତ ହେବେ।
ଏହି ଯୋଜନା ମୁଖ୍ୟତଃ ଦୁଷ୍କର୍ମ ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନ, ୨୦୧୨ ଅଧୀନରେ ନିର୍ଯାତିତା ମହିଳା ଓ ପିଲାମାନଙ୍କୁ ସୁରକ୍ଷା ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ମାମଲାର ଶୁଣାଣି ତ୍ୱରାନ୍ୱିତ କରିବା ବ୍ୟତୀତ, ଏହି ଯୋଜନା ସମ୍ବେଦନଶୀଳ ସାକ୍ଷୀ ବୟାନ କେନ୍ଦ୍ର ଏବଂ ଶିଶୁ-ଅନୁକୂଳ ଅଦାଲତ ପରିବେଶ ଗଠନକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ଏହି ବ୍ୟବସ୍ଥାଗୁଡ଼ିକ ପୀଡ଼ିତାମାନଙ୍କୁ କୌଣସି ପୁନଃ ମାନସିକ ଆଘାତ ବିନା ଏକ ନିରାପଦ ତଥା ସହାୟକ ପରିବେଶରେ ନିଜର ବୟାନ ଦେବାର ସୁଯୋଗ ଯୋଗାଇବା ପାଇଁ ଡିଜାଇନ୍ କରାଯାଇଛି। ନ୍ୟାୟ ବିଭାଗ ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ସହ ମିଳିତ ଭାବେ ଏହାର କାର୍ଯ୍ୟାନ୍ୱୟନ ଉପରେ ନଜର ରଖିବ ଏବଂ କେନ୍ଦ୍ରୀଭୂତ ଏଫ୍ଟିଏସ୍ସି ଡ୍ୟାସବୋର୍ଡ ତଥା ନିୟମିତ ସମୀକ୍ଷା ବୈଠକ ମାଧ୍ୟମରେ ଅଦାଲତର କାର୍ଯ୍ୟଦକ୍ଷତା ତଦାରଖ କରିବ। ସୂଚନାଯୋଗ୍ୟ ୨ ଅକ୍ଟୋବର ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪,୦୨,୪୫୭ଟି ମାମଲାର ଫଇସଲା ହୋଇସାରିଛି।


