ନୂଆଦିଲ୍ଲୀ: କିମ୍ବଦନ୍ତି ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲରୁ ନିଜର ଅବସର ଘୋଷଣା କରିଛନ୍ତି। ଦୀର୍ଘ ୨୩ ବର୍ଷ ଧରି ପର୍ତ୍ତୁଗାଲ ଜାତୀୟ ଦଳ ପାଇଁ ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ସ୍ମରଣୀୟ ଯୋଗଦାନ ଦେବା ପରେ ୪୧ ବର୍ଷୀୟ ଏହି ମହାନ ଖେଳାଳି ନିଜର ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ସେୟାର କରି ସେ ନିଜର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପର୍ତ୍ତୁଗାଲ ଫୁଟବଲର ନିଜସ୍ୱ ପରିଚୟ ପାଲଟିଥିବା ଏହି ଐତିହାସିକ ୭ ନମ୍ବର ଜର୍ସିକୁ ସେ ଦଳକୁ ଫେରାଇ ଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସହ ବିଶ୍ୱ ଫୁଟବଲ୍ରେ ଏକ ସ୍ୱର୍ଣ୍ଣିମ ଓ ବହୁଚର୍ଚ୍ଚିତ ଯୁଗର ଅନ୍ତ ଘଟିଛି।
ସନ୍ ୨୦୦୩ରେ ପର୍ତ୍ତୁଗାଲ ଜାତୀୟ ଦଳ ପାଇଁ ପଦାର୍ପଣ କରିଥିବା ରୋନାଲ୍ଡୋ ନିଜ ଦେଶ ପାଇଁ ମୋଟ ୨୩୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୪୬ଟି ଗୋଲ ସ୍କୋର କରିଛନ୍ତି। ଅନ୍ତର୍ଜାତୀୟ ଫୁଟବଲ୍ ଇତିହାସରେ ସର୍ବାଧିକ ମ୍ୟାଚ ଖେଳିବା ଏବଂ ସର୍ବାଧିକ ଗୋଲ କରିବାର ଅଦ୍ଭୁତ ବିଶ୍ୱ ରେକର୍ଡ ତାଙ୍କ ନାଁରେ ରହିଛି। ନିଜ କ୍ୟାରିୟର ମଧ୍ୟରେ ସେ ୬ଟି ବିଶ୍ୱକପ୍ ଏବଂ ୬ଟି ୟୁରୋପିଆନ୍ ଚାମ୍ପିୟନସିପ୍ ସମେତ ମୋଟ ୧୨ଟି ମହାସମରରେ ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କ ନେତୃତ୍ୱରେ ପର୍ତ୍ତୁଗାଲ ୨୦୧୬ରେ ପ୍ରଥମ ଥର ପାଇଁ ଐତିହାସିକ ୟୁରୋ କପ୍ ବିଜୟୀ ହୋଇଥିବା ବେଳେ ୨୦୧୯ ଏବଂ ୨୦୨୫ରେ ଦୁଇଥର ୟୁଏଫଏ ନେସନ୍ସ ଲିଗ୍ ଟାଇଟଲ ହାସଲ କରିଥିଲା।
ରୋନାଲ୍ଡୋଙ୍କ ଏହି ଆକସ୍ମିକ ଅବସର ପଛରେ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋର୍ଜ ଜେସସ୍ଙ୍କ ସହ ସୃଷ୍ଟି ହୋଇଥିବା ବିବାଦକୁ ମୁଖ୍ୟ କାରଣ ଭାବେ ଗ୍ରହଣ କରାଯାଉଛି। ରୋବର୍ଟୋ ମାର୍ଟିନେଜଙ୍କ ପରେ ଜାତୀୟ ଦଳର ଦାୟିତ୍ୱ ନେଇଥିବା ଜେସସ୍ଙ୍କ ନିର୍ଦ୍ଦେଶକ୍ରମେ ନରୱେ ବିପକ୍ଷ ମ୍ୟାଚରେ ରୋନାଲ୍ଡୋଙ୍କୁ ସବଷ୍ଟିଚ୍ୟୁଟ୍ ବେଞ୍ଚରେ ବସାଯାଇଥିଲା। ଦେଇଥିବା ପ୍ରତିଶ୍ରୁତି ଅନୁସାରେ ତାଙ୍କୁ ପଡ଼ିଆକୁ ଓହ୍ଲାଯାଇ ନ ଥିବାରୁ ପ୍ରଶିକ୍ଷକଙ୍କ ଉପରେ କ୍ଷୁବ୍ଧ ହୋଇ ରୋନାଲ୍ଡୋ ତାଲିମ ଶିବିର ଛାଡ଼ି ଚାଲିଯାଇଥିଲେ। ପ୍ରଶିକ୍ଷକଙ୍କ ସହ ବିଶ୍ୱାସଭଙ୍ଗ ହୋଇଥିବା ଦର୍ଶାଇ ସେ ଆଗାମୀ ମ୍ୟାଚଗୁଡ଼ିକରେ ନ ଖେଳିବାକୁ ନିଷ୍ପତ୍ତି ନେଇ ଶେଷରେ ସଂନ୍ୟାସ ଘୋଷଣା କରିଛନ୍ତି।
ଅବସର ଘୋଷଣା କରି ରୋନାଲ୍ଡୋ କହିଛନ୍ତି ଯେ, ନିଜ ଦେଶ ପାଇଁ ସବୁକିଛି ସମର୍ପଣ କରି ଗର୍ବର ସହ ସେ ପଡ଼ିଆରୁ ବିଦାୟ ନେଉଛନ୍ତି। ଗୋଲ୍, ଟ୍ରୋଫି ଓ ରେକର୍ଡଗୁଡ଼ିକ ସମୟ ସହ ବଦଳିଯାଏ କିନ୍ତୁ ଲୋକଙ୍କ ହୃଦୟରେ ମିଳିଥିବା ସ୍ଥାନ ଚିରସ୍ଥାୟୀ। ନିଜକୁ ବିଶ୍ୱର ଶ୍ରେଷ୍ଠ ଖେଳାଳି ଭାବେ ଗଢ଼ିତୋଳିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ ହେଁ, ନିଜ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ହିଁ ତାଙ୍କ ଜୀବନର ସବୁଠାରୁ ବଡ଼ ବିଜୟ। ସେ ନିଜର ସହଖେଳାଳି, ପ୍ରଶିକ୍ଷକ, ସମର୍ଥକ ଏବଂ ପରିବାରବର୍ଗଙ୍କୁ ସେମାନଙ୍କ ଅବଦାନ ଓ ଭଲପାଇବା ପାଇଁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
ରୋନାଲ୍ଡୋଙ୍କ ଅବସର ପରେ ପର୍ତ୍ତୁଗାଲ ଫୁଟବଲ୍ ଫେଡେରେସନ ପକ୍ଷରୁ ତାଙ୍କୁ ଜାତୀୟ ଦଳର ଅତୁଲନୀୟ ପ୍ରତୀକ ଓ ପ୍ରେରଣାଦାୟୀ ଅଧିନାୟକ ଭାବେ ଅଭିହିତ କରାଯାଇଛି। ତାଙ୍କର ଏହି ଐତିହାସିକ ଯୋଗଦାନ ପାଇଁ ଖୁବଶୀଘ୍ର ଏକ ବିଶେଷ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯିବ ବୋଲି ଫେଡେରେସନ ପ୍ରକାଶ କରିଛି। ଏଥିସହିତ ବ୍ରୁନୋ ଫର୍ଣ୍ଣାଣ୍ଡେଜ, ନେମାର, ପେପେଙ୍କ ଭଳି ନାମୀ ଦାମୀ ଖେଳାଳି ଏବଂ ମାଞ୍ଚେଷ୍ଟର ୟୁନାଇଟେଡ୍, ଯୁଭେଣ୍ଟସ ଭଳି ବିଶ୍ୱପ୍ରସିଦ୍ଧ କ୍ଲବଗୁଡ଼ିକ ତାଙ୍କୁ ଫୁଟବଲ୍ ଜଗତର କିମ୍ବଦନ୍ତୀ ଆଖ୍ୟା ଦେଇ ଶୁଭେଚ୍ଛା ଜଣାଇଛନ୍ତି।


