ରଣପୁର: ନିର୍ବାଚନୀ ପ୍ରକ୍ରିୟାକୁ ସ୍ୱଚ୍ଛ, ସୁଦୃଢ଼ ଓ ତ୍ରୁଟିମୁକ୍ତ କରିବା ଦିଗରେ ପ୍ରଶାସନର ତତ୍ପରତା। ଏହି ପରିପ୍ରେକ୍ଷୀରେ ରଣପୁର ଏନ୍.ଏ.ସି. ଓ ହଂସରା ଏବଂ ଅନ୍ୟ ବିଭିନ୍ନ ଅଞ୍ଚଳରେ ଚାଲିଥିବା ନିର୍ବାଚନ ସମ୍ବନ୍ଧୀୟ ଡୋର୍-ଟୁ-ଡୋର୍ ସର୍ଭେ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ।
ଏହି ପରିଦର୍ଶନରେ ଶ୍ରମ ଓ ଇଏସ୍ଆଇ ବିଭାଗର ଅତିରିକ୍ତ ସଚିବ ତଥା ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ମଧୁମିତା ନାୟକଙ୍କ ନେତୃତ୍ୱରେ ଡେପୁଟି କଲେକ୍ଟର ସ୍ୱାତୀ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ମନୋରଞ୍ଜନ ମହାନ୍ତି, ରଣପୁର ଏନ୍ଏସି ନିର୍ବାହୀ ଅଧିକାରୀ ସମନ୍ତ ବିଶ୍ୱମ୍ବର ମହାପାତ୍ର, ଅତିରିକ୍ତ ବିଡିଓ ଅବିନାଶ ପତି, ନିର୍ବାଚନ ସୁପରଭାଇଜର ଶକ୍ତି ପ୍ରସାଦ ଆଚାର୍ଯ୍ୟ ଏବଂ ସୁପରଭାଇଜର ସୁଶୀଲ କୁମାର ରଣା ପ୍ରମୁଖ ସାମିଲ ହୋଇଥିଲେ।
ପରିଦର୍ଶନ ସମୟରେ ଅଧିକାରୀମାନେ ଘରକୁ ଘର ଯାଇ ସର୍ଭେ କାର୍ଯ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ସଂଗୃହୀତ ତଥ୍ୟର ସଠିକତା, ସର୍ଭେର ଅଗ୍ରଗତି ଏବଂ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ଗୁରୁତ୍ୱର ସହ ଯାଞ୍ଚ କରାଯାଇଥିଲା।
ଗଣତନ୍ତ୍ରର ମୂଳଦୁଆ ହେଉଛି ଶୁଦ୍ଧ ନିର୍ବାଚନୀ ତଥ୍ୟ। ତେଣୁ ପ୍ରତ୍ୟେକ ଘରର ତଥ୍ୟ ଠିକ୍ ଭାବେ ସଂଗ୍ରହ କରିବା ସହ ସମସ୍ତ ନିର୍ବାଚନୀ କାର୍ଯ୍ୟକୁ ସମୟାନୁବର୍ତ୍ତୀ, ଦାୟିତ୍ୱପୂର୍ଣ୍ଣ ଓ ତ୍ରୁଟିମୁକ୍ତ ଭାବେ ସମ୍ପାଦନ କରିବା ଉପରେ ଏହି ପରିଦର୍ଶନରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିଲା।
ପ୍ରଶାସନର ଏଭଳି ତୃଣମୂଳସ୍ତରୀୟ ତଦାରଖ ନିର୍ବାଚନୀ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ ଓ ବିଶ୍ୱସନୀୟ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।


