ନୂଆଦିଲ୍ଲୀ: ୨୦୧୩ ମସିହାର ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ସାମ୍ବାଦିକ ତଥା ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନି। ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚଦ୍ୱାରା ପ୍ରଦତ୍ତ ୧୦ ବର୍ଷର ଜେଲ୍ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ମନା କରିଦେଇଥିବା ସର୍ବୋଚ୍ଚ ଅଦାଲତ, ଏହାକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ତେବେ, ସର୍ବୋଚ୍ଚ ଅଦାଲତ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ତେଜପାଲଙ୍କ ଦ୍ୱାରା ଦାୟର କରାଯାଇଥିବା ଆବେଦନ ସହ ତାଙ୍କ ଦଣ୍ଡ ବୃଦ୍ଧି କରିବାକୁ ରାଜ୍ୟ ସରକାର କରିଥିବା ଆବେଦନକୁ ମଧ୍ୟ ବିଚାର ପାଇଁ ଗ୍ରହଣ କରିଛନ୍ତି।
ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ୍ ପି.ବି. ଭରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସରକାରୀ ପକ୍ଷର ସାକ୍ଷୀ, ପ୍ରମାଣ ଏବଂ ରେକର୍ଡରେ ଥିବା ଟେକ୍ସଟ୍ ମେସେଜଗୁଡ଼ିକର ପ୍ରାଥମିକ ମୂଲ୍ୟାଙ୍କନରୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ପାଇଁ କୌଣସି ଯଥାର୍ଥ କାରଣ ମିଳୁନାହିଁ। ୨୦୨୧ ମସିହାରେ ଗୋଆ ଟ୍ରାଏଲ୍ କୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହେବା ପରେ ଗତ ସେପ୍ଟେମ୍ବର ୧୪ ତାରିଖରେ ଆତ୍ମସମର୍ପଣ କରିଥିବା ତେଜପାଲ, ଦୀପାବଳି ପୂର୍ବରୁ ସାମୟିକ ମୁକ୍ତି ପାଇଁ ଆବେଦନ କରିଥିଲେ। ଗତ ଅଗଷ୍ଟ ମାସରେ ବମ୍ବେ ହାଇକୋର୍ଟ ତେଜପାଲଙ୍କୁ ୨୦୨୧ରେ ମିଳିଥିବା ନିର୍ଦ୍ଦୋଷ ଖଲାସ ଆଦେଶକୁ ରଦ୍ଦ କରିବା ସହ ଟ୍ରାଏଲ୍ କୋର୍ଟଙ୍କ ରାୟକୁ “ତ୍ରୁଟିପୂର୍ଣ୍ଣ’ ବୋଲି ଦର୍ଶାଇଥିଲେ ଏବଂ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ବିଭିନ୍ନ ଧାରା ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ କେବଳ ଦଣ୍ଡାଦେଶ ସ୍ଥଗିତ ରଖିବା ପ୍ରସଙ୍ଗରେ ହିଁ ମୂଲ୍ୟାଙ୍କନ କରାଯାଉଛି।


