ବ୍ରହ୍ମପୁର: ବଡ଼ବଜାର ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ପାଣ୍ଡବନଗର ଛକରେ ଆତଙ୍କ ସୃଷ୍ଟି କରିବା ଉଦ୍ୟମ ପୂର୍ବରୁ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଶୁଭମ୍ ବିଷୋୟୀ (୨୦) ଏବଂ ନିଗମ କୁମାର ବେହେରା (୨୧)। ଶୁଭମ୍ ଦୁର୍ଗାନଗର ଅଞ୍ଚଳର ବାସିନ୍ଦା, ସେହିପରି ନିଗମ ସରସ୍ୱତୀ ନଗରର ବାସିନ୍ଦା।
ପୋଲିସ ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧ଟା ୫ ମିନିଟ୍ ସମୟରେ ବଡ଼ବଜାର ଥାନାର ଏସ୍ଆଇ ସସ୍ମିତା ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ୍ ପାଣ୍ଡବନଗର ଛକରେ ପାଟ୍ରୋଲିଂ କରୁଥିଲା। ସେତିକିବେଳେ ହିରୋ ଡେଷ୍ଟିନି ୧୨୫ ସ୍କୁଟିରେ ଆସୁଥିବା ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଚାଳକଙ୍କ ନିକଟରୁ ଚଳନ୍ତା ଦେଶୀ ପିସ୍ତଲ ମିଳିଥିଲା।
ପଚରାଉଚରା ବେଳେ ସେମାନେ କହିଛନ୍ତି ଯେ, ପାଣ୍ଡବନଗରର ହିଷ୍ଟ୍ରିସିଟର ବୁକା ଓରଫ୍ ଆଶୀର୍ବାଦ ନାୟକ ଏବଂ ଚେତନା ନାୟକ ଓରଫ୍ କିଟୁଙ୍କ ନିର୍ଦ୍ଦେଶରେ ସେମାନେ ପିସ୍ତଲ ଆଣିଥିଲେ। ବିପକ୍ଷ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଏବଂ ଲୋକଙ୍କ ମଧ୍ୟରେ ଭୟ ଖେଳାଇବା ସେମାନଙ୍କ ଉଦ୍ଦେଶ୍ୟ ଥିଲା।
ଏନେଇ ବଡ଼ବଜାର ଥାନାରେ ମାମଲା ନମ୍ବର ୮୬୧/୨୦୨୬ ରୁଜୁ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଆଜି ସକାଳ ୯ଟା ୧୦ ମିନିଟ୍ ରେ ଗିରଫ କରି ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟକୁ ପଠାଯାଇଛି।


