ନୂଆଦିଲ୍ଲୀ: କ୍ୟାନ୍ସର ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍ପିପିଏ)ଙ୍କ ନିର୍ଦ୍ଦେଶକ୍ରମେ ୧୩୭ଟି ପ୍ରମୁଖ କ୍ୟାନ୍ସର ଔଷଧର ଦର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଔଷଧ କମ୍ପାନୀଗୁଡ଼ିକ ପକ୍ଷରୁ ଜାରି ନୂତନ ମୂଲ୍ୟ ସୂଚୀ ଅନୁଯାୟୀ ୬୭୯ଟି ବ୍ରାଣ୍ଡର ଔଷଧ ଦର ୫୦ ପ୍ରତିଶତରୁ ଅଧିକ କମିଥିବା ବେଳେ କେତେକ କ୍ଷେତ୍ରରେ ସର୍ବାଧିକ ୯୬.୪୫% ପର୍ଯ୍ୟନ୍ତ ହ୍ରାସ ପାଇଛି। ମୂଲ୍ୟ ହ୍ରାସ ପାଇବା ଫଳରେ ରୋଗୀମାନଙ୍କୁ ପ୍ରତିବର୍ଷ ପ୍ରାୟ ୩,୫୪୦.୩୮ କୋଟି ଟଙ୍କାର ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି। ଏହାର ସିଧାଅର୍ଥ ହେଉଛି, କୌଣସି ବି ଔଷଧ ଦୋକାନୀ (କେମିଷ୍ଟ) କିମ୍ବା ଡାକ୍ତରଖାନାର ଫାର୍ମାସୀ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କରିପାରିବେ ନାହିଁ। ଯଦି କେହି ଅଧିକ ଦର ଦାବି କରନ୍ତି କିମ୍ବା ମୂଲ୍ୟ ସମ୍ବନ୍ଧୀୟ କୌଣସି ଅଭିଯୋଗ ଥାଏ, ତେବେ ଉପଭୋକ୍ତାମାନେ ‘ଫାର୍ମା ଜନ ସମାଧାନ’ ପୋର୍ଟାଲ୍ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିପାରିବେ କିମ୍ବା ହେଲ୍ପଲାଇନ୍ ନମ୍ବର ରେ ଯୋଗାଯୋଗ କରିବାକୁ କୁହାଯାଇଛି।
ପ୍ରକାଶ, ଗତ ସେପ୍ଟେମ୍ବର ୨୨ ତାରିଖରେ ସୁପ୍ରିମକୋର୍ଟ କ୍ୟାନ୍ସର ପାଇଁ ଆବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ଏବଂ ସର୍ବାଧିକ ଖୁଚୁରା ମୂଲ୍ୟ ମଧ୍ୟରେ ଥିବା ବିଶାଳ ମାର୍ଜିନ ଉପରେ ପ୍ରଶ୍ନ
ଉଠାଇଥିଲେ। କୋର୍ଟ କହିଥିଲେ ଯେ ୨,୭୦୦ ଟଙ୍କାର ଔଷଧ ଜଣେ ରୋଗୀଙ୍କୁ ୨୭,୦୦୦ ଟଙ୍କାରେ ମିଳିବା ଦିବାଲୋକରେ ଡକାୟତି ଏବଂ ନରସଂହାର ସହିତ ସମାନ। ପରେ ଅକ୍ଟୋବର ୧୭ରେ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍ପିପିଏ) ୧୩୭ଟି ଅଣ-ତାଲିକାଭୁକ୍ତ (ନନ୍-ସିଡ୍ୟୁଲ୍ଡ) କର୍କଟ ଔଷଧ ଉପରେ କମ୍ପାନୀମାନଙ୍କ ମୁନାଫା ସର୍ବାଧିକ ୩୦% ସୀମିତ କରିଦେଇଥିଲେ। ଏହି ନିଷ୍ପତ୍ତି ପରେ ହିଁ ଔଷଧଗୁଡ଼ିକର ଦର ହ୍ରାସ ପାଇଛି।


