ବିହାର: ମଦ୍ୟପ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ଏମିତି ଏକ ପଦକ୍ଷେପ ନେଲେ ସ୍ତ୍ରୀ, ଯାହା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ୱାମୀଙ୍କୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିଥିବା ଅଭିଯୋଗରେ ପତ୍ନୀଙ୍କୁ ଗିରଫ କରିଛି ପୁଲିସ। ବିହାରର ମଧେପୁରା ଜିଲ୍ଲାରେ ଘଟିଥିବା ଏହି ହତ୍ୟାକାଣ୍ଡର ମାତ୍ର ୨୪ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରିଛି ପୁଲିସ। ମୃତକ ହେଉଛନ୍ତି ୨୬ ବର୍ଷୀୟ ନନ୍ଦକିଶୋର ମୁଖିଆ ଏବଂ ଗିରଫ ପତ୍ନୀଙ୍କ ନାମ ଗୁଞ୍ଜନ କୁମାରୀ।
ସୂଚନା ଅନୁଯାୟୀ, ମଧେପୁରା ଜିଲ୍ଲାର ବିହାରୀଗଞ୍ଜ ଥାନା ଅନ୍ତର୍ଗତ ସରୌନୀ କଳା ପଞ୍ଚାୟତର ୯ ନମ୍ବର ୱାର୍ଡରେ ଏହି ଘଟଣା ଘଟିଛି। ପୁଲିସର ପଚରାଉଚରା ବେଳେ ଅଭିଯୁକ୍ତ ଗୁଞ୍ଜନ କୁମାରୀ କହିଥିବା ଅନୁଯାୟୀ, ନନ୍ଦକିଶୋର ନିୟମିତ ମଦ୍ୟପାନ କରୁଥିଲେ। ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଅସଦ୍ବ୍ୟବହାର କରୁଥିଲେ। ବିବାହ ପରଠାରୁ ସେ ଏଭଳି ନିର୍ଯାତନା ସହି ଆସୁଥିବା ଗୁଞ୍ଜନ ପୁଲିସକୁ କହିଛନ୍ତି।
ଘଟଣା ଦିନ ମଙ୍ଗଳବାର ରାତିରେ ନନ୍ଦକିଶୋର ମଦ ପିଇ ମେଳା ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୧ଟାରେ ଘରକୁ ଫେରି ବାରଣ୍ଡାରେ ନିଜ ବାପାଙ୍କ ପାଖରେ ଶୋଇଥିଲେ। ଭୋର ପ୍ରାୟ ୩ଟା ସମୟରେ ଗୁଞ୍ଜନ ତାଙ୍କୁ ଉଠାଇ ଘର ଭିତରକୁ ନେଇଥିଲେ।
ପୁଲିସର ସୂଚନା ଅନୁସାରେ, ଘର ଭିତରେ ନିଶାସକ୍ତ ନନ୍ଦକିଶୋର ପୁଣିଥରେ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ଏହାପରେ ସେ ଅଚେତ ହୋଇପଡ଼ିବାରୁ ଗୁଞ୍ଜନ ତାଙ୍କୁ ବିଦ୍ୟୁତ୍ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ନନ୍ଦକିଶୋରଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି।
ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ମୃତକଙ୍କ ହାତ ଓ ବେକରେ ପୋଡ଼ା ଦାଗ ଦେଖିବାକୁ ମିଳିଥିଲା। ଏହା ସହ ଘଟଣାସ୍ଥଳରୁ ଏକ ପୋଡ଼ିଯାଇଥିବା ତମ୍ବା ତାର ମଧ୍ୟ ଜବତ କରାଯାଇଥିଲା।
ଘଟଣାର ଗମ୍ଭୀରତାକୁ ଦେଖି ଫରେନସିକ୍ ଟିମ୍କୁ ଡକାଯାଇଥିଲା। ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରିଥିଲା। ଏହି ସବୁ ପ୍ରମାଣ ଓ ପଚରାଉଚରା ଆଧାରରେ ପୁଲିସ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଥିବା ଜଣାପଡ଼ିଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ଗୁଞ୍ଜନଙ୍କୁ ଗିରଫ କରାଯାଇଛି।
ଏହି ଘଟଣାର ସବୁଠାରୁ ଦୁଃଖଦ ଦିଗ ହେଉଛି ନନ୍ଦକିଶୋରଙ୍କ ପରିବାର। ସେ ପାଞ୍ଚ ଭାଇଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ। ତାଙ୍କର ଜଣେ ୫ ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛନ୍ତି। ବାପାଙ୍କ ମୃତ୍ୟୁ ଏବଂ ମାଆଙ୍କ ଗିରଫଦାରୀ ପରେ ଏହି ଦୁଇ କୋମଳମତି ଶିଶୁଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି। ପାରିବାରିକ କଳହ ଓ ଘରୋଇ ହିଂସାର ଏହି ଘଟଣା ଅନେକ ପ୍ରଶ୍ନ ଛିଡ଼ା କରିଛି।


