ଭୁବନେଶ୍ୱର: ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର ଓ କଟକରେ ଆୟୋଜିତ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ। ୧୭ତମ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସହ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାରର ଶୁଭାରମ୍ଭ କରିବେ।
ସୋମବାର ଉପରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୯ଟା ୧୫ରେ ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ବିଧାନସଭା ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ ଭୁବନେଶ୍ୱରରୁ ସଡ଼କପଥରେ କଟକ ଅଭିମୁଖେ ବାହାରିବେ। ସେଠାରେ କଟକ ଜିଲ୍ଲା ବିଦ୍ୟାଧରପୁର ଅରିଲୋସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ନୂତନ ଆଇକନିକ୍ ଟାୱାରର ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମ ସମାପନ ପରେ କଟକରୁ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ସଡ଼କପଥରେ ଆସି ଅପରାହ୍ଣ ୨ଟା ୫ରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଭିମୁଖେ ଫେରିବେ।
ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାର୍କେଡ୍ ରିହଲର୍ସାଲ ସହ ଭୁବନେଶ୍ୱର ବିମାନ ବନ୍ଦରରେ କଡ଼ା ଯାଞ୍ଚ ହେଉଛି। ବମ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ଅଗ୍ନିଶମ ବିଭାଗ ଓ ଆଣ୍ଟି ସାବୋଟେକ୍ ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ତନ୍ନତନ୍ନ ଯାଞ୍ଚ କରାଯାଇଛି। ଉପ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ପ୍ରାୟ ୪୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ଏଥି ସହ ସୁରକ୍ଷା ଦାୟିତ୍ୱରେ ବିଭିନ୍ନ ସ୍ୱତନ୍ତ୍ର ଟିମ୍ ନିୟୋଜିତ ରହିବେ। ଏୟାରପୋର୍ଟ ଠାରୁ ଚନ୍ଦ୍ରଶେଖରପୁର ନୂଆ ମେ’ ଫେୟାର ରୁଟ୍ ପର୍ଯ୍ୟନ୍ତ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାରଣ ମେଫେୟାର ସାଙ୍କ୍ଚୁଆରୀ କନଭେନସନ୍ ହଲ୍ରେ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବେ।


