ପୁରୀ: ଆସନ୍ତା ୨୧ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ପବିତ୍ର ପଞ୍ଚୁକ ବ୍ରତ । ଚଳିତ ବର୍ଷ ଚାରି ଦିନ ଧରି ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଅଭୂତପୂର୍ବ ସମାଗମ ହେବାର ଆଶା କରାଯାଉଛି । ଏହି ସମୟରେ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଶ୍ରୀଜିଉଙ୍କ ଦର୍ଶନ ଲାଭ କରିପାରିବେ, ସେଥିପାଇଁ ପ୍ରଶାସନ ଏବଂ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହିତ ଟ୍ରାଫିକ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ପଞ୍ଚୁକର ଏହି ୪ ଦିନ ମଧ୍ୟରେ ଶ୍ରୀମନ୍ଦିରରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇଛି । ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ କରାଯାଇଥିବା ସ୍ୱତନ୍ତ୍ର ବ୍ୟାରିକେଡ୍ ଦେଇ ସିଂହଦ୍ୱାର ନିକଟରେ ପହଞ୍ଚିବେ ଏବଂ କେବଳ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ । ଏହାପରେ ବାଇଶି ପାହାଚ ଦେଇ ଗର୍ଭଗୃହକୁ ଯାଇ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ । ଦର୍ଶନ ସମ୍ପୂର୍ଣ୍ଣ ହେବା ପରେ ଭକ୍ତମାନେ ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଦ୍ୱାର ଦେଇ ବାହାରକୁ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ଯେପରି କୌଣସି ପ୍ରକାରର ଅଧିକ ଭିଡ଼ କିମ୍ବା ଚାପ ସୃଷ୍ଟି ନ ହୁଏ, ସେଥିପାଇଁ ସ୍ୱତନ୍ତ୍ର କ୍ଲିୟରାନ୍ସ ଟିମ୍ ମୁତୟନ ରହିବେ ଯିଏକି କ୍ରମାଗତ ଭାବେ ଭିଡ଼କୁ ନିୟନ୍ତ୍ରଣ କରିବେ ।
ରବିବାର ଦିନ କେନ୍ଦ୍ରାଞ୍ଚଳ ଆଇଜି ଏବଂ ଏସ୍ପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ବଡ଼ଦାଣ୍ଡ, ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସ୍ଥିତିକୁ ସୁକ୍ଷ୍ମ ଭାବରେ ଅନୁଧ୍ୟାନ କରିଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ନିରାପଦ ଦର୍ଶନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ପଞ୍ଚୁକ ସମୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପୁରୀର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୁଲିସ କର୍ମଚାରୀମାନେ ନିୟୋଜିତ ରହିବେ । ସମସ୍ତଙ୍କର ମିଳିତ ପ୍ରୟାସ ଏବଂ ସହଯୋଗ ଦ୍ୱାରା ଏହି ମହାନ ପର୍ବକୁ ଶୃଙ୍ଖଳିତ ଭାବରେ ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।


